ମା ନାହିଁ, ବାପା ୧୧ ବର୍ଷ ହେଲା ନିଖୋଜ:ବଞ୍ଚିବ‌ାର ରାହା ଖୋଜୁଛି ଦଶମ ଶ୍ରେଣୀ ଛାତ୍ରୀ

ପାଳଲହଡା: ମା ଆରପାରିକୁ ଚାଲିଗଲେ। ବାପାଙ୍କର ୧୧ ବର୍ଷ ହେଲା ପତ୍ତା ନାହିଁ। ବଡ଼ବାପା, ବଡ଼ମାଆ ତଥା ପ‌େଡ଼ାଶୀଙ୍କ ଦୟାରେ ଚଳୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ବଞ୍ଚିବା ପାଇଁ ରାହା ଖୋଜୁଛି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଚାହୁଁଛି। ପାଠ ପଢିବାର ଅଦମ୍ୟ ଇଚ୍ଛାଶକ୍ତି ନେଇ ସେ ପ୍ରତି ଦିନ ପାଦରେ ଚାଲିଚାଲି ନିଜ ଗାଁରୁ ପ୍ରାୟ ତିନି କିଲୋମିଟର ଦୂର ସ୍କୁଲକୁ ଯାଉଛି। ଏ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବ। ଘର ଓ ପାଠ ପଢ଼ିବା ପାଇଁ ସରକାରୀ ସାହାଯ୍ୟକୁ ନେଇ ବସିଛି ଏହି ଗରିବ ନାବାଳିକା ପାଳଲହଡା ବ୍ଲକ୍ ଝାରବେଡ଼ା ପଞ୍ଚାୟତ ତାଳବାହାଳି ଗାଁ’ର ଦଶମ ଶ୍ରେଣୀ ଛାତ୍ରୀ ଶାନ୍ତିଲତା ପ୍ରଧାନ। ଜନ୍ମ ହେବାର ଅଢେଇ ବର୍ଷ ପରେ ମା ଆରପାରିକୁ ଚାଲିଗଲେ। ଏହାର କିଛି ବର୍ଷ ପରେ ବାପା ମଧ୍ୟ ଘର ଛାଡ଼ି କୁଆଡେ ପଳାଇଗଲେ। ପ୍ରାୟ ୧୧ ବର୍ଷ ହେଲା ତାଙ୍କର ପତ୍ତା ମିଳୁ ନାହିଁ। ବଡ଼ବାପା, ବଡ଼ମାଆଙ୍କ ଦୟାରୁ ତଥା ପ‌େଡ଼ାଶୀଙ୍କ ସହଯୋଗରୁ ଏ ପର୍ଯ୍ୟନ୍ତ ସେ ବଞ୍ଚି ରହିଛି। ବଡ଼ କଷ୍ଟରେ ପାଠ ପଢିବା ସହ ଜୀବନ ସଂଗ୍ରାମ ଜାରି ରଖିଛି। ଘର ଉପରେ ଚାଳ ନାହିଁ । ଘର ଉପରେ ଖଣ୍ଡେ ଛିଣ୍ଡା ପାଲ ପଡ଼ିଛି। ଘରର କବାଟ, ଝରକା ନାହିଁ। ଛାତ୍ରୀ ଜଣକ ନିଜେ ରୋଷେଇ କରି ଖାଇବା ସହିତ ଝାରବେଡ଼ା ଗିରୀଶ୍ୱର ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଉଛି।। ଏ ବର୍ଷ ସେ ଦଶମ ଶ୍ରେଣୀ ପରୀକ୍ଷା ଦେବ । ମୁଣ୍ଡ ଗୁଞ୍ଜିବାକୁ ପ୍ରଧାନମନ୍ତ୍ରୀ ଆବାସ ହେଉ ଅବା ବିଜୁ ପକ୍କାଘର ପ୍ରଦାନ ସହ ପାଠ ପଢିବାକୁ ସରକାରୀସ୍ତରରେ ଆର୍ଥିକ ସହାୟତା ଦେବାକୁ ସେ ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କୁ ସେ ଆକୁଳ ନିବେଦନ କରିଛି । ପ୍ରଶାସନକୁ ମଧ୍ୟ ଅନୁରୋଧ କରିଛି । ପ୍ରଶାସନ ଏଇ ଗରିବ ଛାତ୍ରୀକୁ ମୁଣ୍ଡ ଗୁଞ୍ଜିବାକୁ ଘର ଦେବା ସହ ପାଠପଢିବାକୁ ସରକାରୀ ଯୋଜନାରୁ ଆର୍ଥିକ ସହାୟତା ଦେବା ପାଇଁ ପରିବାର ଲୋକ ଓ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର