ଖଲ୍ଲିକୋଟ ବିଧାୟିକାଙ୍କ ଘର ଉପରକୁ ବୋମାମାଡ଼, ସିରିଜ୍‌ ଆକ୍ରମଣ, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଏକା ସାଙ୍ଗରେ ତିନି ସ୍ଥାନରେ ଆକ୍ରମଣ ଉଦ୍ୟମ, ବିଧାୟିକାଙ୍କୁ ନପାଇ ସମର୍ଥକଙ୍କୁ ଗୋଡ଼ାଇ ହାଣିଲେ, ୨ ଗୁରୁତର

ଖଲ୍ଲିକୋଟ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମରେ ଆରମ୍ଭ ହୋଇଯାଇଛି ରାଜନୈତିକ ଛକାପଞ୍ଝା, ହିଂସାକାଣ୍ଡ। ଏଭଳିକି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଖଲ୍ଲିକୋଟ ଓ କେଶପୁର ବାସଭବନ ଉପରକୁ ପଥର, ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏକା ସାଙ୍ଗରେ ତିନି ତିନିଟି ସ୍ଥାନରେ ସିରିଜ୍‌ ଆକ୍ରମଣ ହୋଇଥିବା ବେଳେ ବିଧାୟିକା ଅନୁପସ୍ଥିତ ଥିବାରୁ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି।

ଆଜି ଅପରାହ୍‌ଣ ପ୍ରାୟ ୪ଟାରୁ ସାଢ଼େ ୪ଟା ସମୟରେ ୩ ଟି ବାଇକ୍‌ରେ ୯ ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ବିଧାୟିକାଙ୍କ ଘର ଉପରେ ହମ୍‌ଲା କରିଥିଲେ। ବିଧାୟିକାଙ୍କ ଘର ଉପରକୁ ପଥର ମାଡ଼ କରିବା ସହ ବୋମା ପିଙ୍ଗି ଆତଙ୍କ ସୃଷ୍ଟି କରିଥିଲେ। ଏହାସହ ବିଧାୟିକାଙ୍କ ୨ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ। ଏତିକିରେ ଥମି ନଥିଲା ହିଂସାକାଣ୍ଡ। ସେମାନେ ବିଧାୟିକାଙ୍କ ଘର ଆଗରେ ଥିବା ଏକ ବାଇକ୍‌ ତେଲ ଟାଙ୍କିକୁ ଖଣ୍ଡାରେ ହାଣି ନଷ୍ଟ କରି ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ବିଧାୟିକାଙ୍କ କେଶପୁରପାଟଣା ସ୍ଥିତ ବାସଭବନରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବା ସହ ପରିସ୍ଥିତି ଉପରେ ପୁଲିସ କଡ଼ା ନଜର ରଖିଛି।

ସମ୍ବନ୍ଧିତ ଖବର