ନୂଆପଡ଼ା ପରେ ଛତିଶଗଡ଼ରେ ଶୁଭିଲା ବିରୋଧର ସ୍ବର, ମାଓ ଦମନ ପାଇଁ ଆଦିବାସୀଙ୍କ ରଣହୁଙ୍କାର

ଭିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର

ନୂଆପଡ଼ା: ନୂଆପଡ଼ା ପରେ ଏବେ ପଡ଼ୋଶୀ ଛତିଶଗଡ଼ରେ ଶୁଭିଲାଣି ମାଓ ବିରୋଧୀ ସ୍ବର। ମାଓ ଦମନ ପାଇଁ ସେଠିକାର ଆଦିବାସୀମାନେ ମଧ୍ୟ ରଣହୁଙ୍କାର ଦେଲେଣି। ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀଙ୍କୁ ପୂରାଇ ଦେବେନାହିଁ ବୋଲି ଶପଥ ନେଇ ସୁନାବେଡ଼ା ପଞ୍ଚାୟତବାସୀ ଅସ୍ତ୍ରଶସ୍ତ୍ର ଧରି ରାତିଦିନ ଜଗିରହିଥିଲେ। ଗାଁକୁ ମାଓବାଦୀମାନେ ଆସିଲେ ମାରିବାକୁ ଧନୁତୀର ଧରି ଗାଁ ଚାରିପଟେ ଜଗି ରହିଥିଲେ।

ଏହି ଘଟଣାର ୭ ବର୍ଷ ପରେ ପୁଣି ଛତିଶଗଡ଼ ଆଦିବାସୀମାନେ ମାଓବାଦୀ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଛତିଶଗଡ଼ ଆଦିବାସୀ ଅଞ୍ଚଳରେ ମାଓବାଦୀମାନଙ୍କୁ ପୂରାଇ ନ‌ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣା ମାଓବାଦୀମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମେନପୁର ଥାନା ଅନ୍ତର୍ଗତ ଓରହ ପଞ୍ଚାୟତର ବାଲେ ଆମାମୋରା ଗାଁର ପର୍ଶୁରାମ ଭୁଞ୍ଜିଆଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହାକୁ ନେଇ ବର୍ତ୍ତମାନ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ଚକୋଟିଆ ଭୁଞ୍ଜିଆ ସମାଜ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଚକୋଟିଆ ଭୁଞ୍ଜିଆ ସମାଜ ପକ୍ଷରୁ ପୋଷ୍ଟର ଜାରି କରି ମାଓବାଦୀମାନେ ସରଳ ଆଦିବାସୀଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ସ୍ୱର ଉତ୍ତୋଳନ କରିବା ସହ ଆଗାମୀ ଦିନରେ ଏହାର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ଓଡ଼ିଶା ସୀମାବର୍ତ୍ତୀ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ମେନପୁର ଥାନା ଅଧୀନରେ ଜଣେ ବନ ବିଭାଗ ଜଗୁଆଳି ପର୍ଶୁରାମ ଭୁଞ୍ଜିଆଙ୍କୁ ମାଓବାଦୀମାନେ ଗତ ଜୁଲାଇ ୧୬ ତାରିଖ ଦିନ ଘରୁ ଡାକିନେଇ ପୁଲିସକୁ ସହଯାଗ କରୁଥିବା ଅଭିଯୋଗରେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣା ବର୍ତ୍ତମାନ ଛତିଶଗଡ଼ର ଚକୋଟିଆ ଭୁଞ୍ଜିଆ ସମାଜ ଉପରେ ଗଭୀର ପ୍ରଭାବ ପକାଇଛି। ସେମାନେ ଗରିଆବନ୍ଧ ଜିଲ୍ଲା ଓଡ଼ିଶାର ଚକୋଟିଆ ଭୁଞ୍ଜିଆବହୁଳ ଅଞ୍ଚଳରେ ପୋଷ୍ଟର ଲଗାଇ ମାଓବାଦୀମାନଙ୍କ ମନମାନୀ ଜୁଲମକୁ ବିରୋଧ କରିବା ସହ ଅଗାମୀ ଦିନରେ ଏହାର ଉପଯୁକ୍ତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ସିନାପାଲି ବ୍ଲକ୍‌ ଘାଟମାଲ ପଞ୍ଚାୟତ ନୂଆପଡ଼ା ଜିଲ୍ଲା ଖରିଆର ବନଖଣ୍ଡ ଅଧୀନ ଧୋବେଇ ରେଢ଼ମାଲ ଜଙ୍ଗଲ ତଥା ଭଇଁଷାଦାନୀଠାରୁ ସର୍ଗିଡିହି ପ୍ରଧାନମନ୍ତ୍ରୀ ସଡ଼କ ଫଳକରେ ପୋଷ୍ଟର ମାନ ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ‘ମାଓବାଦୀମାନେ ଆମ ଗ୍ରାମ ମାନଙ୍କୁ ଯିବା ଆସିବା କରୁଛନ୍ତି, ସେମାନଙ୍କ ଆବଶ୍ୟକତା ମୁତାବକ ଆମେମାନେ ସେମାନଙ୍କୁ ସାହାଯ୍ୟ ମଧ୍ୟ କରି ଆସୁଛୁ। କିନ୍ତୁ ମାଓବାଦୀମାନେ ନିରୀହ ଆଦିବାସୀଙ୍କୁ ପୁଲିସର ସହଯୋଗୀ କହି ହତ୍ୟାକରିବା ଏକପ୍ରକାର ଅଭ୍ୟାସରେ ପରିଣତ ହୋଇ ଗଲାଣି। ଏପରି ଭାବରେ ଆମ ନିରୀହ ଆଦିବାସୀମାନଙ୍କ ମନରେ ଭୟ ସଞ୍ଚାର କରି ଏକପ୍ରକାର ଜୁଲମ କରିଚାଲିଛନ୍ତି। ୨୦୧୪ ମସିହାରେ ମଧ୍ୟ ପର୍ଶୁରାମଙ୍କ ବଡ଼ଭାଇଙ୍କୁ ପୁଲିସ ସହଯୋଗୀ ଦର୍ଶାଇ ହତ୍ୟା କରିଥିଲେ। ଏଣୁ ଏଣିକି ଏହାକୁ ବରଦାସ୍ତ କରାଯିବ ନାହିଁ।’ ବୋଲି ଉକ୍ତ ପୋଷ୍ଟଣରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର