ଛୁରାମାଡ଼ରେ ମହିଳାଙ୍କ ମୃତ୍ୟୁ ଘଟଣା: ପାରିବାରିକ କହଳରୁ ହତ୍ୟାକଲା ଦିଅର

ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ସାହାଜପାଣି ଗାଁରେ ବୁଧବାର ରାତିରେ ଛୁରାମାଡ଼ ଯୋଗୁଁ ସୂର୍ଯ୍ୟକାନ୍ତି ମେହେର(୩୮)ଙ୍କ ମୃତ୍ୟୁ ଘଟିଥିଲା। ପାରିବାରିକ କହଳରୁ ତାଙ୍କ ଦିଅର ଅନିଲ ମେହେର ଛୁରାମାଡ଼ କରି ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣି ପାରିଛି। ପୁଲିସ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତକୁ ଖୋଜୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସ୍ତ୍ରୀ ସୂର୍ଯ୍ୟକାନ୍ତି ଏବଂ ଚାରି ପିଲାଙ୍କୁ ନେଇ କ୍ଷୀରଧର ମେହେର କାମଧନ୍ଦା କରି ଚଳୁଥିଲେ। ତାଙ୍କ ସାନଭାଇ ଅନିଲ ମାଁଙ୍କ ସହ ଅଲଗା ରହୁଥିଲା। ଉଭୟଙ୍କ ମଧ୍ୟରେ ପାରିବାରିକ ଝାମେଲା ଲାଗି ରହିଥିଲା।

ବୁଧବାର ସକାଳେ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ପାଖ ପଡ଼ିଶା ବୁଝାସୁଝା କରିବାରୁ ଝାମେଲା ଶାନ୍ତ ପଡ଼ିଥିଲା। ହେଲେ ଅନିଲଙ୍କ ମନରୁ ରାଗ ଯାଇ ନଥିଲା। ରାତି ୮ଟାରେ ସୂର୍ଯ୍ୟକାନ୍ତି ନିଜ କାକୀଶାଶୂଙ୍କ ସହ ଅଗଣାରେ ବସିଥିବା ବେଳେ ହଠାତ୍ ଅନିଲ ଏକ ଛୁରା ସାହାଯ୍ୟରେ ଭାଉଜଙ୍କୁ ଆକ୍ରମଣ କରି ବାଇକ୍‌ରେ ଫେରାର ହୋଇ ଯାଇଥିଲା। ପରିବାର ବର୍ଗ ତୁରନ୍ତ ସୂର୍ଯ୍ୟକାନ୍ତିଙ୍କୁ ଏକ ଗାଡ଼ିରେ ଖପ୍ରାଖୋଲ ସିଏଚ୍‌ସିକୁ ଚିକିତ୍ସା ପାଇଁ ଆଣିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ପରିବାର ପକ୍ଷରୁ ଲାଠୋର ଥାନାରେ ଏତଲା ଦିଆଯାଇଥିଲା। ଏନେଇ ଥାନା କେସ୍‌ ନଂ ୧୦୫/୨୧ରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର