୪ ମାସର ହାତୀ ଶାବକକୁ ମାରି ଖାଇଗଲା ମହାବଳ ବାଘ

ରାଇରଙ୍ଗପୁର/ବିଶୋଇ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜୈବ ମଣ୍ଡଳରେ ବାଘ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବ୍ଲକ ଖଡ଼ମବେଡା ପଞ୍ଚାୟତର ଦ୍ୱାରଶୁଣି ବୁଢ଼ାପାହାଡ଼ ଅଞ୍ଚଳରେ ଏକ କଲରାପତରିଆ ବାଘ ୪ଟି ଗୋରୁକୁ ମାରି ଖାଇଦେଇଥିଲା।

ଏହି ଘଟଣାର ୨ ଦିନ ନ ପୁରୁଣୁ ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ଅନ୍ତର୍ଗତ ସ୍ଥାନୀୟ ଟୁଙ୍ଗୁରୁ ରିଜର୍ଭ ଫୋରେଷ୍ଟ କୁଞ୍ଜକଚା ଗ୍ରାମ ନିକଟରେ ଏକ ୪ ମାସର ଅଣ୍ଡିରା ହାତୀ ଶାବକକୁ ଏକ କଲରାପତରିଆ ବାଘ ମାରି ଖାଇଯାଇଛି । ଫଳରେ କୁଞ୍ଜକଚା ଗ୍ରାମରେ ଏବେ ବାଘ ଆତଙ୍କ ଖେଳିଯାଇଛି।

ସୂଚନାଥାଉକି,ଗତ ୧୪ ତାରିଖ ସକାଳ ସମୟରେ ବିଶୋଇ ବନ୍ୟପ୍ରାଣୀ ଅନ୍ତର୍ଗତ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲର ଗାରଗାଡି ବିଟସ୍ଥିତ ସ୍ଥାନୀୟ କୁଞ୍ଜକଚା ଗ୍ରାମ ସନ୍ନିକଟରେ ଏକ କ୍ଷତବିକ୍ଷତ ହାତୀ ଶାବକର ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ।

ଖବର ପାଇବାପରେ ରାଇରଙ୍ଗପୁର ଡ଼ି.ଏଫ.ଓ ଡ଼.ଅରୁଣ କୁମାର ମିଶ୍ରଙ୍କ ନିର୍ଦେଶକ୍ରମେ ଏ.ସି.ଏଫ ନବୀନ ନାଏକ,ବୈଦ୍ୟନାଥ ମାଝୀ,ରାଇରଙ୍ଗପୁର ରେଞ୍ଜ ଅଧିକାରୀ ଅନ୍ତର୍ଯ୍ୟାମୀ ମହାକୁଡ଼, ବିଶୋଇ ବନ୍ୟପ୍ରାଣୀ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି,ଅବ୍ୟତନିକ ବନ୍ୟପ୍ରାଣୀ ସଂରକ୍ଷକ ପ୍ରଦୀପ୍ତ କୁମାର କବି,ବିଶୋଇ ରେଞ୍ଜ ଫରେଷ୍ଟର ଶ୍ରାବନ୍ତି ମାର୍ଣ୍ଡି,ବନରକ୍ଷୀ ସନତ କୁମାର ବେହେରା,ଫୁଲମଣି ମହାନ୍ତ , ରାମଚନ୍ଦ୍ର କାରୁଆ ସମେତ ଡ଼ବ୍ଲ୍ୟୁ.ଟି.ଆଇର ସ୍ୱତନ୍ତ୍ର ଚିକିତ୍ସାଧିକାରିଣୀ ଡ଼ା. ବିଶାଖା ବାସୁ ଓ ବିଶୋଇ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ନୀଳକଣ୍ଠ ଦାସ ପ୍ରମୁଖ ଘଟଣାସ୍ଥଳ‌ରେ ପହଞ୍ଚିଥିଲେ।

ପରେ ଉକ୍ତ ହାତୀକୁ ଡାକ୍ତରୀ ଦଳ ବ୍ୟବଚ୍ଛେଦ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗରେ ହାତୀ ଶାବକର ମୃତ ଶରୀରକୁ ସେହି ଜଙ୍ଗଲ ମଧ୍ୟରେ ପୋତିଥିଲେ। ତେବେ ଉକ୍ତ ହାତୀର ଶରୀରର ଅଧା ଅଂଶ ମାଂସ ନଥିବା ବେଳେ ଉକ୍ତ ହାତୀ ଶାବକଟିକୁ ଗତ ୧୩ ତାରିଖରେ ଏକ କଲରାପତ୍ରିଆ ବାଘ ଖାଇଥିବାର ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ବନ ବିଭାଗ ଘଟଣାର ଅଧିକ ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର