ଥଣ୍ଡାର ଥାର୍ଡଡିଗ୍ରିରେ ବଲାଙ୍ଗୀର, ୧୦ ତଳକୁ ରହୁଛି ପାରଦ

ବଲାଙ୍ଗୀର: ପାଣିପାଗ ବିଭାଗର ସତର୍କ ଘଣ୍ଟି। ଲାଗି ରହିବ ଘନକୁହୁଡ଼ି। ଏବେ ବଲାଙ୍ଗୀର ସହରରେ ଶୀତର ରାଜୁତି। ଖରା ଦିନରେ ଗରମ ପାଇଁ ଚର୍ଚ୍ଚାରେ ରହୁଥିବା ଜିଲ୍ଲାରେ ଏବେ ଥଣ୍ଡାର ଥାର୍ଡଡିଗ୍ରି। ପ୍ରବଳ ଥଣ୍ଡା ଯୋଗୁଁ ଶୀତବସ୍ତ୍ରରେ ସାଧାରଣ ଲୋକେ। ସଂଧ୍ୟା ହେଉ କି ସକାଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଜାଗା ଜାଗାରେ ନିଆଁ ଜାଳି ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ଚେଷ୍ଟା କରୁଛନ୍ତି।

ବଲାଙ୍ଗୀର ସହରର ସକାଳ ଦୃଶ୍ୟ। ସୂର୍ଯ୍ୟ ଉଇଁଲା କ୍ଷଣି ଲୋକମାନେ ସକାଳିଆ ଖରାର ମଜା ନେଉଛନ୍ତି। କୁହୁଡ଼ି ଯୋଗୁଁ ବିଳମ୍ବରେ ଦେହରେ ବାଜୁଛି ସୂର୍ଯ୍ୟକିରଣ। ଘାସ ଗାଲିଚା ସବୁ ଉପରେ କାକର ପାଣି ରହୁଛି। ପ୍ରାତଃ ଭ୍ରମଣରେ ଆସୁଥିବା ଲୋକ ସଂଖ୍ୟା କମିଥିଲେ ବି କିଛି ଲୋକ ଥଣ୍ଡାର ମଜା ନେଉଛନ୍ତି। କିଏ ମର୍ଣ୍ଣିଂୱାର୍କ ପାଇଁ ବାହାରୁଛି ତ ଆଉ କିଏ ବଜାର କରିବାକୁ ସକାଳୁ ବାହାରୁଛନ୍ତି। ଆଉ ବୟସ୍କ ଲୋକଙ୍କ ସାହାରା ନିଆଁ। ବିଭିନ୍ନ ପଡ଼ାରେ ବୁଢାଠୁ ଛୁଆ ନିଆଁ ଚାରିପାଖରେ ଭିଡ଼। ଚା’ ଦୋକାନଗୁଡ଼ିକରେ ବି ଭିଡ଼ ବେଶ୍‌ ଜମୁଛି।

ସକାଳିଆ ଥଣ୍ଡାରେ ଚା’ ପିଇବାର ମଜା ଟିକିଏ ନିଆରା। ବଲାଙ୍ଗୀରରେ ୧୦ ଡିଗ୍ରି ତଳକୁ ପାରଦ ଛୁଉଁଛି। ଏଠି ଖରା ଦିନେ ୫୦ ଡିଗ୍ରି ଛୁଇଁଥାଏ ପାରଦ। ଥଣ୍ଡା ରାତିରେ କିନ୍ତୁ ଏଠି ସବୁ ଶୂନଶାନ। ସଂଧ୍ୟା ହେଲେ ନିଆଁ ପୋଉଁଥିବାର ଦୃଶ୍ୟ। ବୁଲା ଗାଈଗୋରୁ, ଷଣ୍ଢ ବି ଶୀତରୁ ରକ୍ଷା ପାଇବାକୁ ନିଜକୁ ନିଆଁ ପାଖକୁ ଯାଇ ଉଷୁମ କରୁଛନ୍ତି। ଯାଯାବରଙ୍କ ପାଇଁ ଶୀତ ବଡ଼ ଦୁଃଖ ପାଲଟିଛି। ବେଘର ଲୋକମାନେ ଶୀତରେ ଆଉଟୁପାଉଟୁ ହେଉଛନ୍ତି। ବଲାଙ୍ଗୀର ରେଳ ଷ୍ଟେସନ ରାସ୍ତା, ମୁଖ୍ୟ ରାସ୍ତାର ଷ୍ଟଲ ସମ୍ମୁଖ, ଖାଲିଥିବା ସ୍କୁଲ ବାରଣ୍ଡା ଆଦିରେ ବାରବୁଲାମାନେ ଆଶ୍ରୟ ନେଉଥିବା ଦେଖାଯାଉଛି। ପ୍ରବଳ ଥଣ୍ଡାରେ ଏବେ ଜନଜୀବନ ପ୍ରଭାବିତ ହୋଇଛି। ରାତିରେ ଶୀତ ଅଧିକ କଷ୍ଟ ଦେଉଥିବା ବେଳେ ସକାଳ ଯାଏ ଶୀତର ଲହରି ରହୁଛି।

ତତଲାଗଡ଼ ଏବେ ଥଣ୍ଡା

ଖରାଦିନରେ ଟିଟିଲାଗଡ଼ ସହରର ତାପମାତ୍ରାକୁ ନେଇ ଚର୍ଚ୍ଚା ରହିଥାଏ। ଟିଟିଲାଗଡ଼କୁ ତତଲାଗଡ଼ ବି ଲୋକେ କହନ୍ତି। ହେଲେ ଏବେ ତତଲାଗଡ଼ ଥଣ୍ଡା ପଡ଼ିଯାଇଛି। ସାରା ଟିଟିଲାଗଡ଼ବାସୀ ବି ଶୀତ ଦିନରେ ଏଭଳି ଥଣ୍ଡା ଏଥର ଅଧିକ ହେଉଥିବା କହୁଛନ୍ତି। ଲୋକଙ୍କ କହିବା ହେଲା, ଏଥର ବିଗତ ବର୍ଷରୁ ଥଣ୍ଡା ଅଧିକ ହେଉଛି। ଆଗକୁ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟ ସାରା ଥଣ୍ଡା ବଢ଼ିଲେ ବି ଟିଟିଲାଗଡ଼ର ଥଣ୍ଡା ଅଧିକ ବଢ଼ିଥିବା ଲୋକେ କହୁଛନ୍ତି।

ସମ୍ବନ୍ଧିତ ଖବର