ପୁଣି ଟୁକୁନିଙ୍କ ବାଜିମାତ୍‌

ଟିଟିଲାଗଡ଼ ବିଧାନସଭା

ଟିଟିଲାଗଡ଼: ଚଳିତ ସାଧାରଣ ନିର୍ବାଚନର ଭୋଟ ଗଣତି ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ୬୯ ଟିଟିଲାଗଡ଼ ବିଧାନସଭା ଆସନରେ ପୁଣିଥରେ ବିଜେଡି ପ୍ରାର୍ଥିନୀ ଟୁକୁନି ସାହୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କ ଠାରୁ ମୋଟ ୧୯, ୫୮୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏଥର ଏହି ଆସନରୁ ମୋଟ ଆଠଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେମାନଙ୍କ ମଧ୍ୟରୁ ବିଜେପିର ଆଶୋକ ଦୋରା ୪୭୩୪୧, ବିଜେଡିର ଶ୍ରୀମତୀ ସାହୁ ୭୩୧୭୨, ବିଏସ୍‌ପିର ବିଭୀଷଣ ନାଗ ୭୫୫୫, କଂଗ୍ରେସର ଶ୍ରୀ ସିଂଭୋଇ ୫୩୫୮୫, ଏପିଆଇର ମଧୁସୂଦନ ବାରିକ ୨୦୬୫, ସ୍ୱାଧୀନ ପ୍ରାର୍ଥୀ ସତ୍ୟନାରାୟଣ ବହିଦାର ୯୦୮, ହିଜବୁଲ ରହମାନ ୧୧୭୬, କ୍ଷେମରାଜ ଅଗ୍ରଵାଲ ୧୦୫୨ ଖଣ୍ଡ ଭୋଟ ପାଇଥିବା ବେଳେ ନୋଟାରେ ୨୦୨୫ ଖଣ୍ଡ ଭୋଟ ପଡିଥିଲା। ଗଣତି ଗୁଡ଼ଭେଲା ବ୍ଲକ ପଟରୁ ଆରମ୍ଭ ହୋଇଥିଲା। ପ୍ରଥମରୁ ହିଁ ବିଜେଡି ଆଗରେ ରହି ଆସିଥିଲା। ଶ୍ରୀମତୀ ସାହୁ ବିଜୟୀ ଘୋଷିତ ହେବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ତାଙ୍କ ସମର୍ଥକମାନେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ। ସହରରେ ଏକ ବାଇକ ରାଲି ମଧ୍ୟ କରିଥିଲେ। ଶ୍ରୀମତୀ ସାହୁ ୨୦୧୪ ନିର୍ବାଚନରେ ପ୍ରଥମ ଥର ପାଇଁ ଦଳୀୟ ଟିକଟ ପାଇ ନିର୍ବାଚନକୁ ଓହ୍ଲାଇଥିବା ବେଳେ ସେହି ନିର୍ବାଚନରେ ୧୪ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ସେତେବେଳେ ତାଙ୍କ ବିଜୟକୁ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ହତ୍ୟା କରାଯାଇଥିବା ନେଇ ସମବେଦନାର ଭୋଟ ବୋଲି କହୁଥିବା ବେଳେ ଚଳିତ ନିର୍ବାଚନରେ ସେପରି କିଛି ନଥିଲା। ସେ ବିଜୟୀ ହେବା ପରେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଏହି ବିଜୟ ପାଇଁ ସେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣ ତଥା ଭୋଟର ଭାଇଭଉଣୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗତଥର ଏହି ନିର୍ବାଚନମଣ୍ଡଳୀରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଆସିଥିବା ବେଳେ ବହୁତ କାମ ଅଧୁରା ଅଛି ଓ ଚଳିତ ଥର ସେ ଏହି କାମ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ। ଦୁଇଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହେବା ଓ ଚଳିତ ନିର୍ବାଚନରେ ବିଜୟ ବ୍ୟବଧାନକୁ ଦେଖି ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ବି ବିଚିତ୍ର ନୁହେଁ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର