ସୁନାଦେଇ ଜଙ୍ଗଲରୁ ବେଆଇନ ଗଛ କଟା:କଟାଳିଙ୍କୁ ଛାଡ଼ି ଦେବାରୁ ଫରେଷ୍ଟର ଅଟକ

ବଲାଙ୍ଗୀର: ଲୋଇସିଂହା ଜଙ୍ଗଲ ରେଞ୍ଜ ଅନ୍ତର୍ଗତ ସୁନାଦେଇ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟୁଥିବା ଲୋକଙ୍କୁ ପାଖ ଗାଁର ଲୋକେ ଅଟକ ରଖି ଫରେଷ୍ଟରଙ୍କୁ ସୂଚନା ଦେଇଥିଲେ। ଫରେଷ୍ଟର ସେଠାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ଛାଡ଼ି ଦୋବରୁ ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ପରେ ସେମାନେ ଫରେଷ୍ଟରଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ଏହି ଘଟଣା ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।
ଲୋଇସିଂହା ରେଞ୍ଜ ଓ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁଶମେଲ ଓ ଘୁଙ୍ଗୀ ଗାଁ ମଝିରେ ରହିଛି ସୁନଦେଇ ଜଙ୍ଗଲ। ବୁଧବାର ସକାଳେ କୁଶମେଲ ଗାଁର ପ୍ରାୟ ୨୦ ଜଣ ଉକ୍ତ ଜଙ୍ଗଲରୁ ରେଙ୍ଗାଲ ଗଛ କାଟୁଥିଲେ। ୭୦ଟି ଗଛ କାଟି ସାରିଥିବା ବେଳେ ଘୁଙ୍ଗୀ ଗାଁର ଯୁବକ ସଂଘ ପିଲାମାନେ ପହଞ୍ଚି ଗଛକଟାକୁ ବିରୋଧ କରିଥିଲେ। ଗଛକଟାଳିମାନଙ୍କୁ ଅଟକ ରଖି ଲୋଇସିଂହା ବନ ବିଭାଗକୁ ସୂଚନା ଦେଇଥିଲେ। ଫରେଷ୍ଟର ରାମଚନ୍ଦ୍ର ନାଏକ ବିଳମ୍ବରେ ପହଞ୍ଚିବାରୁ ଯୁବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗଛ କଟାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଉକ୍ତ ଯୁବକମାନଙ୍କୁ ଗାଁକୁ ପଠାଇ ଦେଇ ନିଜେ ଗଛ କଟାଳିଙ୍କୁ ଧରି ଗାଁରେ ପହଞ୍ଚିବେ ବୋଲି ଫରେଷ୍ଟର କହିଥିଲେ। ହେଲେ ପରେ ଫରେଷ୍ଟର ଶ୍ରୀ ନାଏକ ଏକା ଗାଁରେ ପହଞ୍ଚିଥିଲେ। ଗଛ କଟାଳିମାନେ କୁଆଡ଼େ ଗଲେ ବୋଲି ପଚାରିବାରୁ ସେମାନେ ପଳାଇଗଲେ ବୋଲି ଫରେଷ୍ଟର କହିଥିଲେ। ଏଥିରେ ଯୁବକମାନେ ଉତ୍ତ୍ୟକ୍ତ ହୋଇ ଫରେଷ୍ଟର ଶ୍ରୀ ନାଏକଙ୍କୁ ଅଟକ ରଖିଥିଲେ। ଗୁରୁବାର ରେଞ୍ଜରଙ୍କୁ ଧରି ଆସିବେ ଓ ଗଛ କଟାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଫରେଷ୍ଟର ଶ୍ରୀ ନାଏକ ଲିଖିତ ପ୍ରତିଶ୍ରୁତି ଦେବା ପରେ ଯୁବକମାନେ ସନ୍ଧ୍ୟା ୭ଟାରେ ତାଙ୍କୁ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର