ବାଲେଶ୍ୱର : ବିଲରେ ପଚୁଛି ପରିବା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଗାଁ ଗହଳିରେ ପରିବା ପଚୁଛି, ଆଉ ସହରାଞ୍ଚଳ ବଜାରରେ ପରିବା ମୂଲ୍ୟରେ ସତେ ଯେମିତି ନିଆଁ ଲାଗିଛି। ଏମିତି କି ଋତୁକାଳୀନ ପରିବା ମୂଲ୍ୟ ବି କମିବାରେ ନାଁ ଧରୁନି।

ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ ଗିଲ୍ଲାଯୋଡ଼ି ଗ୍ରାମର ପରିବା ଚାଷୀ ରଘୁନାଥ ସାହୁ। ଚାଷରେ ପରିବାର ଚଳେ। ଭଲ ରୋଜଗାର ବି ହୁଏ। ଚଳିତବର୍ଷ ସେ ସାଢ଼େ ୩ ଏକର ଜମିରେ ପୋଟଳ, ଭେଣ୍ଡି, ଜହ୍ନି, ବା‌ଇଗଣ, କୁନ୍ଦୁରି ଆଦି ଚାଷ କରିଥିଲେ। ଭେଲୋରା, ପାଉଁଶକୁଲି, ବେଣାପୁରା ମଣ୍ଡିରେ ପରିବା ରଖୁରଖୁ ଶେଷ ହୋଇଯାଏ। ସେଠାରେ ଭଦ୍ରକ, ବାଲେଶ୍ବର ସହର, ଜଳେଶ୍ବର, ରୁପ୍‌ସା, ରେମୁଣା ଏପରିକି ପଶ୍ଚିମବଙ୍ଗରୁ ବହୁ ବେପାରୀ ଆସି ତାଙ୍କ ପାଖରୁ ପରିବ ନିଅନ୍ତି। ହେଲେ କରୋନା ସବୁ ବିଗାଡ଼ି ଦେଇଛି। କଟକଣା ଭିତରେ, କ୍ଷେତରୁ ପରିବା ତୋଳି ବଜାର ଯିବା ବେଳକୁ, କେତେବେଳେ ପ୍ରଶାସନର ଜରିମାନା, ଆଉ କେତେବେଳେ ପୁଲିସର ମାଡ଼। ପୂରା ଡର ପଶିଯାଇଛି। ଲାଭ ଯେତିକି ନ ହେବ ତାଠୁ ଅଧିକ ଜରିମାନାରେ ଚାଲିଯିବ। ସେଥିପାଇଁ ଆଗ୍ରହ କମିଗଲାଣି। ଖୁଚୁରା ବଜାରରେ କିନ୍ତୁ ଭିଡ଼। ପରିବା ଦର ଆକାଶ ଛୁଆଁ। କାରଣ ମଣ୍ଡିକୁ ଆଗଭଳି ପରିବା ଆସୁନି। ଯାହା ଆସୁଛି, ତାହା ବହୁଗୁଣିତ ହୋଇ ଖାଉଟିଙ୍କ ପାଖରେ ପହଞ୍ଚୁଛି। ମାର୍କେଟ୍‌ରେ ପୋଟଳ କେଜି ପ୍ରତି ୫୦ରୁ ୬୦ ଟଙ୍କା, ବାଇଗଣ ୬୦ ଟଙ୍କା ଭେଣ୍ଡି ୩୦/୩୫ଟଙ୍କାରେ ବିକ୍ରି ହେଉଥିବା ବେଳେ ଚାଷୀମାନେ ସେଗୁଡ଼ିକୁ ନଷ୍ଟ ହୋଇଯିବା ଭୟରେ ବେପାରୀଙ୍କୁ ବହୁ କମ୍‌ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା‌ ଶ୍ରୀ ସାହୁ କହିଛନ୍ତି। ଏଇ କିଛି ମାସ ଭିତରେ ସେ ଲକ୍ଷାଧିକ ଟଙ୍କାର କ୍ଷତି ସହିଲେଣି।

ନୀଳଗିରି ବ୍ଲକ ମଛୁଆ ପଞ୍ଚାୟତ କାଠପାଳ ଗ୍ରାମର ଚାଷୀ ରବିନାରାୟଣ ବେହେରା। ଚଳିତବର୍ଷ ସେ ବି ସାଢ଼େ ୩ ଏକର ଜମିରେ ବୋଇତାଳୁ, ତରଭୁଜ, କାକୁଡ଼ି, ଜହ୍ନି, ବାଇଗଣ ଆଦି ଚାଷ କରିଥିଲେ। ଭଲ ଚାଷ ହୋଇଥିଲା। ହେଲେ ଲକଡାଉନ ଯୋଗୁ ବଜାର ଆଣିପାରି ନ ଥିଲେ। ଏବେ ଟିକେ କୋହଳ ହେବା ବେଳକୁ କ୍ଷେତରେ ଆଉ ପରିବା ନାହିଁ। ଲକଡାଉନ ସମୟରେ କ୍ଷେତରେ ପଡ଼ି ନଷ୍ଟ ହୋଇଛି। ସେ ବି ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି।

ସମ୍ବନ୍ଧିତ ଖବର