ହନୁମାନ ପଇସା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ଚାଲିଥିବା ବେଳେ ଝାମ୍ପି ନେଲେ ଲୁଟେରା, ଧରିକି ଛେଚିଲେ ଗ୍ରାମବାସୀ

ନୀଳଗିରି: ହନୁମାନ ପଇସା ବିକ୍ରି କରିବାକୁ ଡିଲ୍‌ ଚାଲିଥିଲା। କିଣିବାକୁ ଆସିଥିବା ଯୁବକମାନେ ତଂଚକତା ପୂର୍ବକ ବିକ୍ରେତାଙ୍କ ପାଖରୁ ଉକ୍ତ ପଇସାକୁ ଛଡ଼ାଇ ନେଇ ପଳାଇବାକୁ ଉଦ୍ୟମ କରୁଥିଲେ। ହେଲେ ସବୁ ଭଣ୍ଡୁର ହୋଇଗଲା। ‌ଗ୍ରାମବାସୀଙ୍କ ହାତରେ ଧରାପଡ଼ି ସେମାନେ ‌ଛେଚା ଖାଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳିଗିରି ଅଞ୍ଚଳରେ।
ଔପଦା ବ୍ଲକ୍‌ ସନ୍ତରାଗଡ଼ିଆ ନିକଟସ୍ଥ କାନପୁର ଗ୍ରାମର ଜ୍ୟୋତିଷ ପୂର୍ଣଚନ୍ଦ୍ର ନାୟକ ତାଙ୍କ ପାଖରେ ହନୁମାନ ପଇସା ‌ଅଛି ଏବଂ ସେ ତାକୁ ବିକ୍ରି କରିବାକୁ ଚାହାନ୍ତି ବୋଲି କହିଥିଲେ। ଏପରି ସମୟରେ ବାହାନଗା ଅଞ୍ଚଳର ନରେଶ ବେହେରା ଓ ତାଙ୍କର ଜଣେ ସହଯୋଗୀ ଉକ୍ତ ପଇସା କିଣିବାକୁ ଆଗ୍ରହ ପ୍ରକାଶ କରି ୫ ହଜାର ଟଙ୍କା ଅଗ୍ରିମ ଦେଇଥିଲେ।
ସୋମବାର ନରେଶ ଓ ତାଙ୍କ ସହଯୋଗୀ ହନୁମାନ ପଇସା କିଣିବାକୁ ନୀଳଗିରିକୁ ଆସିଥିଲେ। ସେମାନେ ସ୍ଥାନୀୟ ଏକ ମନ୍ଦିର ପାଖରେ ଜ୍ୟୋତିଷ ପୂର୍ଣ୍ଣଚନ୍ଦ୍ରଙ୍କ ସହ ହନୁମାନ ପଇସା କିଣିବା ପାଇଁ ହୋଇଥିବା ୫୦ ଲକ୍ଷର ଡିଲ୍‌କୁ ନେଇ କଥା ହେବା ସହ ପଇସାର ନକଲ ଦେଖୁଥିଲେ। ଏପରି ସମୟରେ ନରେଶ ଓ ତାଙ୍କ ସହଯୋଗୀ ପୂର୍ଣ୍ଣଚନ୍ଦ୍ରଙ୍କ ପାଖରେ ଥିବା ନକଲ ହନୁମାନ ପଇସାଟିକୁ ଛଡ଼ାଇ ନେଇ ପଳାଇଥିଲେ। ତେବେ ଏହି ସମୟରେ ସେମାନେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଯାଇଥିଲେ ଏବଂ ନିର୍ଘାତ୍‌ ମାଡ଼ ଖାଇଥିଲେ। ଖବର ପାଇ ଈଶ୍ବରପୁର ଫାଣ୍ଡି ଅଧିକାରୀ ଖଗେନ ମହାଳିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଲେ ଏବଂ ସଂପୃକ୍ତ ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖିବା ସହ ତଦନ୍ତ ଚଳାଇଥିବ‌ା ଜଣାପଡ଼ିଛି। ସେହିପରି ପୂର୍ଣ୍ଣଚନ୍ଦ୍ରଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯିବା ସହ ହନୁମାନ ପଇସା କାରବାରରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।
ଆପଣମାନେ ଭାବୁଥିବେ, ହନୁମାନ ପଇସା କ’ଣ? ହନୁମାନ ପଇସାରେ ଅଲୌକିକ ଶକ୍ତି ରହିଛି। ଯିଏ ଏହି ପଇସାର ଅଧିକାରୀ ହେବ, ସେ ‌ଅନେକ ଅସାଧ୍ୟ କାମ କରିପାରିବ। ଏପରି କିଛି ଗୁଜବ ସୃଷ୍ଟି କରି କିଛି ଲୋକ ମୋଟା ଟଙ୍କା ପାଇବା ପାଇଁ ହନୁମାନ ପଇସା କାରବାର କରୁଛନ୍ତି।

ସମ୍ବନ୍ଧିତ ଖବର