ଡଙ୍ଗରଛିଞ୍ଚିରେ ଝାଡାବାନ୍ତି ବ୍ୟାପିବା ଘଟଣା: ବସୁଧା ଯୋଜନା ମେଣ୍ଟାଇ ପାରୁନି ଶୋଷ

ଜୟପୁର: ଜୟପୁର ବ୍ଲକ୍‌ ଅନ୍ତର୍ଗତ ଡଙ୍ଗରଛିଞ୍ଚି ଗାଁରେ ବ୍ୟାକ୍ଟେରିଆ ଯୁକ୍ତ ପାଣି ପିଇବା ଯୋଗୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ କେଉଁ କାରଣରୁ ଲୋକେ ଦୂଷିତ ପାଣି ପିଇଲେ ଅନୁସନ୍ଧାନ କରିବାରୁ ସାଂଘାତିକ ତଥ୍ୟ ମିଳିଛି। ଯେମିତି ଗାଁର ‌ଅଧିକାଂଶ ଲୋକ କୂଅ ପାଣି ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି। ଗୋଟିଏ କୂଅ ପାଣି ବ୍ୟବହାର ପାଇଁ ବାରଣ କରାଯାଇଥିବା ବେଳେ ଅନ୍ୟ କୂଅର ପାଣି ଲୋକେ ପିଉଛନ୍ତି। ସେହିପରି ବସୁଧା ଯୋଜନାରେ ଗ୍ରାମବାସୀଙ୍କ ଶୋଷ ମେଣ୍ଟୁ ନଥିବା ଜଣାପଡ଼ିଛି। ତେଣୁ ଗାଁରେ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ରହିଛି। ୫ଦିନ ମଧ୍ୟରେ ଡଙ୍ଗରଛିଞ୍ଚି ଗାଁର ୧୬ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହେବା ଉଦ୍‌ବେଗର କାରଣ ସାଜିଥିଲା। ରବି ଗାଦବା କୋରାପୁଟ ବଡ଼ ମେଡିକାଲ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ଘରେ ଚିକିତ୍ସିତ ହେଉଛନ୍ତି। ଯଦିଓ ଦୁଇ ଦିନ ହେଲା ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତଥାପି କିଛି ଜଣଙ୍କୁ ଝାଡ଼ା ହେଲେ ଔଷଧ ଦେଇ ସୁସ୍ଥ କରାଯାଉଛି। ଅନ୍ୟପକ୍ଷରେ ଗାଁର ମଝି ସାହିରେ ଥିବା କୂଅ ପାଣିରେ ବ୍ୟାକ୍ଟେରିଆ ଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିବାରୁ ତାହାକୁ ଘୋଡ଼ାଇ ରଖାଯାଇଛି। କିନ୍ତୁ ଗାଁରେ ପାଖାପାଖି ୭ଟି କୂଅ ରହିଛି। ତେଣୁ ଗୋଟିଏ କୂଅକୁ ବାଦ ଦେଲେ ଅନ୍ୟ କୂଅରୁ ଲୋକେ ଏବେ ବି ପାଣି ନେଉଛନ୍ତି।

ଗ୍ରାମବାସୀଙ୍କ କହିବା ହେଲା, ୨୦୦୮ ମସିହାରେ ଡଙ୍ଗରଛିଞ୍ଚି ଗାଁରେ ବସୁଧା ଯୋଜନାରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ଶୁଭାରମ୍ଭ ହୋଇଥିଲା। ପମ୍ପ ହାଉସ ସହ ୨୦ହଜାର ଲିଟର ବିଶିଷ୍ଟ ଟାଙ୍କି କରାଯାଇଥିଲା। ଜଳ ଯୋଗାଣ ପାଇଁ ପାଖାପାଖି ୫ଟି ଛୋଟ ଟାଙ୍କି ଓ ୧୦ଟି ଷ୍ଟାଣ୍ଡ ପୋଷ୍ଟ କରାଯାଇଥିଲା। ତେବେ ଛୋଟ ଟାଙ୍କି ଗୁଡିକ ନଷ୍ଟ ହୋଇଯାଇଛି। ଯାହାକୁ ମରାମତି କରାଯାଉନି। ତେଣୁ ପ୍ରକଳ୍ପ ପାଣି ଲୋକଙ୍କ ନିକଟରେ ପହଞ୍ଚୁନାହିଁ। ନିର୍ମାଣ ହୋଇଥିବା ଷ୍ଟାଣ୍ଡପୋଷ୍ଟ ଅବସ୍ଥା ମଧ୍ୟ ସମାନ। ଅଳ୍ପ କିଛି ଷ୍ଟାଣ୍ଡପୋଷ୍ଟରୁ ସ୍ପଳ୍ପ ସମୟ ପାଣି ଯୋଗାଣ ହେଉଛି। ପୂର୍ବରୁ ଉଚ୍ଚ ଟାଙ୍କି କେବଳ ଡଙ୍ଗରଛିଞ୍ଚି ଗାଁକୁ ପାଣି ଯୋଗାଉଥିବା ବେଳେ ଏବେ ଯୋଗୀପୁଟ ଓ ଭଟ୍ଟାଛିଞ୍ଚି ଗ୍ରାମକୁ ସେଥିରୁ ପାଣି ଯୋଗାଣ ହେଉଛି। ଯାହାଫଳରେ ଡଙ୍ଗରଛିଞ୍ଚିର ସବୁ ସାହିରେ ପାଣି ପହଞ୍ଚି ପାରୁନି। ଏମିତି ସ୍ଥିତିରେ ଝାଡ଼ାବାନ୍ତି ବ୍ୟାପିଥିବା ମଝି ସାହିରେ ଜଳକଷ୍ଟ ବଢ଼ିବାରୁ କୂଅ ପାଣି ବ୍ୟବହାର କରିବାକୁ ଲୋକେ ବାଧ୍ୟ ହୋଇଛନ୍ତି। ମଝି ସାହି କୂଅ ନନ୍ଦ ତଳକୁ ଖସି ପଡିଥିବା ‌ବେଳ ସେଥିରେ ଗଛ ଉଠି ଶିଉଳି ଭର୍ତ୍ତି ହୋଇଯାଇଛି। କୂଅ ମରାମତି କରିବା ବଦଳରେ ପ୍ରଶାସନ ଚାନ୍ଦିନୀକୁ ମରାମତି କରି ଛାଡି ଦେଇଥିବା ଗ୍ରାମବାସୀ କହିଛନ୍ତି।

ସେହିପରି ମଝି ସାହି ଶେଷ ମୁଣ୍ଡରେ ଗୋଟିଏ ନଳକୂପ ରହିଛି। ଘରକୁ ପାଇପ ଯୋଗେ ପାଣି ଯୋଗାଇବାକୁ ଗ୍ରାମବାସୀ ଦାବି କରିଥିଲେ ସୁଦ୍ଧା ବ୍ଲକ୍‌ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ରାବଣାଗୁଡା ଗୋଷ୍ଠୀ ଚିକିତ୍ସାଳୟ ଅଧିକାରୀ ଏ. ଚୈତନ୍ୟଙ୍କ କହିବାନୁଯାୟୀ, ଗାଁ ମଝି ସାହିରେ ଅଧିକାଂଶ ଆକ୍ରାନ୍ତ ରହିଛି। ସେମାନେ ବ୍ୟବହାର କରୁଥିବା କୂଅକୁ ବନ୍ଦ କରାଯାଇଛି। ସେଠାରେ ଥିବା ସମସ୍ତ କୂଅରେ ବ୍ଲିଚିଂ ପାଉଡର ପକାଇ ବିଶୋଧିତ କରାଯାଇଛି। କୂଅ ପାଣି ବ୍ୟବହାର ନକରିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଚିକିତ୍ସାଳୟ ପକ୍ଷରୁ ଡା. ବିଭୂତି କୁମାର ରଥ, ଡା. ଲିପିକା ମହାନ୍ତି, ଗୋପାଳ ପାଣିଗ୍ରାହୀ, ବନେଶ୍ବର ସାଆନ୍ତା, ସାଗର ପଟ୍ଟନାୟକ, ରମେଶ ପଟ୍ଟନାୟକ ଓ ନୃସିଂହ ଅଧିକାରୀଙ୍କ ସମେତ ଆଶା ଓ ଅଙ୍ଗନବାଡିକର୍ମୀ ରହିଛନ୍ତି। ଏହି ମେଡିକାଲ କ୍ୟାମ୍ପ ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର