ମନରେଗା ରାସ୍ତା କାମର ମଜୁରି ନ ମିଳିବା ଘଟଣା: ଗାଁକୁ ଯାଇ ତଦନ୍ତ କଲେ ବିଡ଼ିଓ

ରାୟଗଡ଼ା: ମନରେଗା ଯୋଜନାରେ ରାସ୍ତା କାମ କରି ଶ୍ରମିକ ମଜୁରି ପାଇନଥିବା ଘଟଣାର ତଦନ୍ତ କରିଛନ୍ତି ରାୟଗଡ଼ା ବିଡ଼ିଓ ଲକ୍ଷ୍ମୀନାରାୟଣ ସାବତ। ଗୁମ୍ମା ପଞ୍ଚାୟତର ଲେଲିବାଡ଼ି ଗାଁକୁ ଯାଇ ରାସ୍ତା କାମ ଦେଖିବା ସହ ଯୋଜନାରେ କାମ କରିଥିବା ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ତଦନ୍ତ ସମୟରେ ଗ୍ରାମବାସୀ ସଠିକ୍ ଭାବେ ସୂଚନା ଦେଇନଥିବା ବେଳେ କାର୍ଯ୍ୟାଦେଶ ମିଳିଥିବା ଭିଲେଜ ଲେବଲ୍ ଲିଡର୍ ଦାଶରୁ ପ୍ରାସ୍କା ଗାଁରେ ଅନୁପସ୍ଥିତ ଥିବାରୁ ଆବଶ୍ୟକ ତଥ୍ୟ ମିଳିପାରିନି। ତେବେ ସୃଷ୍ଟି ହୋଇଥିବା ଶ୍ରମ ଦିବସର ରେଜିଷ୍ଟରରେ ଶ୍ରମିକଙ୍କ ସ୍ବାକ୍ଷର କିମ୍ବା ଟିପ ଚିହ୍ନ ନଥିବାରୁ ମଜୁରି ମିଳିବାରେ ସମସ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

୨୦୧୫-୧୬ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗୁମ୍ମା ପଞ୍ଚାୟତର ଲେଲିବାଡି ଗ୍ରାମରେ ୫ ଲକ୍ଷ ଟଙ୍କା ବ୍ୟୟରେ ୯୦୦ ମିଟର ରାସ୍ତା ନିର୍ମାଣ କରିବାକୁ ପଲ୍ଲୀସଭାରେ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ବ୍ଲକ୍ ପକ୍ଷରୁ ଭିଲେଜ୍ ଲେବଲ୍ ଲିଡର ଦାଶରୁ ପ୍ରାସ୍କା ନାଁରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ୨୦୧୭ ଏପ୍ରିଲ୍ ୯ରୁ ୨୯ ତାରିଖ ପର୍ଯ୍ୟନ୍ତ ୨୧ ଦିନ ଧରି ଚାଲିଥିବା ନିର୍ମାଣ କାମରେ ୫୦ରୁ ଉର୍ଧ୍ବ ଶ୍ରମିକ ନିୟୋଜିତ ହୋଇଥିଲେ। ତଦନ୍ତ ସମୟରେ ମଷ୍ଟର ରୋଲ୍ ମାଧ୍ୟମରେ ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଉପସ୍ଥାନ ରେଜିଷ୍ଟରରେ କାମରେ ନିୟୋଜିତ ହୋଇଥିବା ଶ୍ରମିକଙ୍କ ସ୍ବାକ୍ଷର କିମ୍ବା ଟିପ ଚିହ୍ନନଥିବା ଜଣା ପଡିଛି।  ବ୍ଲକ୍ ରେକର୍ଡରେ କାମ ସଂପର୍କରେ ସମସ୍ତ ତଥ୍ୟ ଥିବା ସତ୍ତ୍ବେ ଉପସ୍ଥାନ ରେଜିଷ୍ଟରରେ ଶୂନ ଉପସ୍ଥାନ ଦର୍ଶାଯାଇଥିବାରୁ ଶ୍ରମିକଙ୍କ ମଜୁରି ବାବଦ ଟଙ୍କା ମିଳିପାରିନି।

ଅନ୍ୟପକ୍ଷରେ କାମ ଦାୟିତ୍ବରେ ଥିବା ତତ୍କାଳୀନ କନିଷ୍ଠ ଯନ୍ତ୍ରୀ, ଜିଆରଏସ୍ ଅନ୍ୟତ୍ର ବଦଳି ହୋଇ ଚାଲିଯାଇଥିବାରୁ ଜିଲ୍ଲାପାଳଙ୍କ ଅନୁମତି ଲୋଡି ଦୁଇ ଅଧିକାରୀଙ୍କୁ ନୋଟିସ୍ ପଠାଯିବ ବୋଲି କହିଛନ୍ତି ବିଡ଼ିଓ। ରେକର୍ଡ ପତ୍ରରେ ସମସ୍ୟା ଯୋଗୁ ଏପରି ସ୍ଥିତି ଉପୁଜିଛି। ୬ ବର୍ଷ ପରେ ମଜୁରି ସମସ୍ୟା ନଜରକୁ ଆସିଥିବାରୁ ଏବେ ତାହାର ସମାଧାନ କଷ୍ଟକର ବ୍ୟାପାର ବୋଲି ବିଡ଼ିଓ କହିଛନ୍ତି। ଆବଶ୍ୟକ କାଗଜପତ୍ର ସହ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଓ ଜିଆରଏସ ସହଯୋଗ କଲେ ଶ୍ରମିକଙ୍କୁ ଟଙ୍କା ପ୍ରଦାନର ରାସ୍ତା ଫିଟିବ ବୋଲି ବିଡ଼ିଓ ଶ୍ରୀ ସାବତ କହିଛନ୍ତି। ସେପଟେ ଶ୍ରମିକଙ୍କ ମଜୁରି ମିଳିବାରେ ବର୍ଷ ପରେ ବର୍ଷ ଗଡ଼ି ଚାଲିଥିବାରୁ ଲେଲିବାଡିର ୪ ଶ୍ରମିକ ନେତା ସାହେବ କୁଲେସିକା, ଦଶରୁ ପ୍ରାସ୍କା, ପେଣ୍ଟିଆ ପ୍ରାସ୍କା, ଜଗବନ୍ଧୁ ପ୍ରାସ୍କା ଗାଁ ଛାଡ଼ି ଜଙ୍ଗଲରେ ଲୁଚୁଛନ୍ତି। ବାରମ୍ବାର ବ୍ଲକକୁ ଦୌଡ଼ିବା ପରେ ବି ମଜୁରି ମିଳୁନଥିବାରୁ ଶ୍ରମିକମାନେ ଉତ୍ତ୍ୟକ୍ତ ହୋଇ ମାଡ଼ ମାରିବାକୁ ଶ୍ରମିକ ନେତାଙ୍କୁ ଚେତାବନୀ ଦେଇଥିବାରୁ ଦିନ ତମାମ ଜଙ୍ଗଲରେ ରହି ସଂଧ୍ୟାରେ ଶ୍ରମିକ ନେତାମାନେ ଘରକୁ ଫେରୁଛନ୍ତି। ଏ ସଂପର୍କିତ ଖବର ଗଣାମଧ୍ୟମରେ ପ୍ରକାଶ ପାଇବା ପରେ ବିଡ଼ିଓ ଲକ୍ଷ୍ମୀନାରାୟଣ ସାବତ, ଗୁମ୍ମା ପିଇଓ ନବୀନ ନାୟକ ଓ ସରପଞ୍ଚ ଲେଲିବାଡ଼ି ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର