ଜଙ୍ଗଲକୁ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର

ଭଞ୍ଜନଗର: ନିଜ ପତ୍ନୀ ସହ ଜଙ୍ଗଲକୁ ଜାଳକାଠ ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ବୁଦା ମୂଳରେ ଛପି ରହିଥିବା ଏକ ଭାଲୁ ଅତର୍କିତ ଆକ୍ରମଣ କରି ଖଣ୍ଡିଆଖାବରା କରିଦେଇଛି । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳର ଆମ୍ବଝରି ଜଙ୍ଗଲରେ। ଆହତ ବ୍ୟକ୍ତି ଜଣକ ହେଲେ ତାରାସିଂ ଥାନା ଅଧୀନ ଗଅପଦର ଗ୍ରାମର ମଙ୍ଗୁଳୁ ଭୋଇଙ୍କ ପୁଅ ପ୍ରମୋଦ ଭୋଇ(୩୧)। ସେ ଆଜି ମଧ୍ୟାହ୍ନ ସମୟରେ ଆମ୍ବଝରି ଜଙ୍ଗଲର ଚେରିଙ୍ଗି ମୁଣ୍ଡିଆକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଜଙ୍ଗଲ ମଧ୍ୟରେ ଏକ ଖଣ୍ଡିନଟି ବୁଦା ଭିତରୁ ହଠାତ୍ ଭାଲୁ ଆସି ପ୍ରମୋଦକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ସେ ଧରିଥିବା ବାଡିରେ ପ୍ରତିରୋଧ କରିବା ପାଇଁ ଚେଷ୍ଟା କରିଥିଲେ।

କିନ୍ତୁ ପଛପଟୁ ଆଉ ଏକ ଭାଲୁ ତାଙ୍କୁ ଟାଣି ଖଣ୍ଡିଆଖାବରା କରି ପକାଇଥିଲା। ତାଙ୍କ ପତ୍ନୀ ନିକଟରେ ଥିବା ଏକ ଗଛ ଉପରକୁ ଚଢି ଚିତ୍କାର କରିଥିଲେ। ତାଙ୍କର ଦୁଇ ହାତ ଓ ଜଙ୍ଘକୁ ଭାଲୁ କାମୁଡିବା ପରେ ସେ ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯିବାରୁ ଭାଲୁ ପ୍ରମୋଦକୁ ଛାଡି ପଳାଇଥିଲେ।

ଏହାପରେ ଗ୍ରାମବାସୀଙ୍କ ସହାୟତାରେ ଜଙ୍ଗଲ ଭିତରୁ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ଏକ ଖଟିଆରେ ଗ୍ରାମକୁ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ସହାୟତାରେ ପ୍ରଥମେ ଗାଲେରୀ ଓ ପରେ ଭଞ୍ଜନଗର ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୀର୍ଘ ସମୟ ପରେ ବନ ବିଭାଗ କର୍ମଚାରୀମାନେ ଡାକ୍ତରଖାନାରେ ପହଞ୍ଚି ପ୍ରମୋଦର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର