ଭଦ୍ରକ ପୁରୀ ମଧ୍ୟରେ ନୂତନ ମେମୁ ଟ୍ରେନ ଚଳାଚଳ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭଦ୍ରକ ସାଂସଦ

ଭଦ୍ରକ: ଆଜି ସଂସଦ ଭବନର କେନ୍ଦ୍ର ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ସାକ୍ଷାତ କରିଛନ୍ତି | ରେଳମନ୍ତ୍ରୀଙ୍କ ନିକଟରେ ସାଂସଦ ଭଦ୍ରକରୁ ପୁରୀ ଓ ପୁରୀରୁ ଭଦ୍ରକ ମଧ୍ୟରେ ନୂତନ ପାସେଞ୍ଜର ମେମୁ ଟ୍ରେନ ପ୍ରଚଳନ, ଯାଜପୁର ବିରଜା କ୍ଷେତ୍ର – ଆଖଣ୍ଡଳମଣୀ – ଧାମରା – ଭଦ୍ରକ ମଧ୍ୟରେ ରେଳ ସଂଯୋଗୀକରଣ ଓ ରେଳ ଲାଇନ ପ୍ରତିଷ୍ଠା, ଭଦ୍ରକ ଧାମରା ମଧ୍ୟରେ ପାସେଞ୍ଜର୍ ଟ୍ରେନ ଚଳାଚଳ ସହ ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ସମସ୍ତ ରେଳ ଷ୍ଟେସନର ଉନ୍ନତି ପାଇଁ ଲିଖିତ ପତ୍ର ଦେଇ ଆଲୋଚନା କରିଛନ୍ତି । ପ୍ରକାଶ ଥାଉକି, ଗତ ୬ ଡିସେମ୍ବର ୨୦୨୨ ତାରିଖରେ ଭୁବନେଶ୍ବରଠାରେ ଦକ୍ଷିଣ ପୂର୍ବ ରେଳ ବିଭାଗର ଜେନେରାଲ ମ୍ୟାନେଜରଙ୍କ ସହ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଖୋର୍ଦ୍ଧା ରେଳ ଡିଭିଜନ ପରାମର୍ଶଦାତା କମିଟିର ସଭ୍ୟ ଶିଶିର ମିଶ୍ରଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକରେ ଆଲୋଚନା କରି ଭଦ୍ରକ ପୁରୀ ଓ ପୁରୀ ଭଦ୍ରକ ମଧ୍ୟରେ ନୂତନ ପାସେଞ୍ଜର ମେମୁ ଟ୍ରେନ ରେଳବାଇ ବୋର୍ଡ ପକ୍ଷରୁ ମଞ୍ଜୁର ହୋଇଥିବା ଓ କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତ ଟ୍ରେନର ଶୁଭାରମ୍ଭ ତାରିଖ ନିଷ୍ପତ୍ତି ପରେ ଚାଲୁ ହେବ ବୋଲି ଲିଖିତ ସୂଚନା ଦେଇଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ସେ ଟ୍ରେନଟି ଭଦ୍ରକ ପରିବର୍ତ୍ତେ ଜଳେଶ୍ଵର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇ ଚାଲୁ ଆରମ୍ଭ ହୋଇଥିଲା | ଏହାକୁ ନେଇ ବିଭିନ୍ନ ସାମାଜିକ ସଙ୍ଗଠନ ରେଳରୋକ ସହିତ ଧାରଣା, ଘେରାଉ ଭଳି କାର୍ଯ୍ୟ ହାତକୁ ନେଇଛନ୍ତି | ତତ୍ ସହିତ ସାଂସଦ ଓ ଭଦ୍ରକ ବିଧାୟକଙ୍କ ନେତୃତ୍ୱରେ ଉକ୍ତ ଟ୍ରେନ ଭଦ୍ରକ ପରିବର୍ତ୍ତେ ଜଳେଶ୍ବରରୁ ଶୁଭାରମ୍ଭ ହୋଇଥିବାରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜୁ ଜନତା ଦଳ ତରଫରୁ ଏହାକୁ ଦୃଢ଼ ବିରୋଧ କରାଯାଇ ଥିଲା । ଭଦ୍ରକ ରେଳ ଷ୍ଟେସନକୁ ପଡୋଶୀ ଚାରିଗୋଟି ଜିଲ୍ଲା ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝରର ଶହ ଶହ ଯାତ୍ରୀ ମୁଖ୍ୟ ଷ୍ଟେସନ ଭାବେ ଦୂର ସ୍ଥାନକୁ ନିଜର ଯାତାୟାତ ପାଇଁ ନିର୍ଭର କରିଥାନ୍ତି । ସେଥିପାଇଁ ଦୀର୍ଘ ବର୍ଷ ହେବ ଭଦ୍ରକରୁ ଭୁବନେଶ୍ୱର ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରୁଥିଲା । ପରେ କରୋନା ଜନିତ କାରଣରୁ ବନ୍ଦ କରାଯାଇ ପରବର୍ତ୍ତୀ ସମୟରେ ତାହା ବାଲେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ପୁନଃରାୟ ଏକ ନୂତନ ମେମୁ ପାସେଞ୍ଜର ଟ୍ରେନ ଭଦ୍ରକରୁ ପୁରୀ ପର୍ଯ୍ୟନ୍ତ ରେଳବାଇ ବୋର୍ଡ ଦ୍ଵାରା ଅନୁମୋଦିତ ହୋଇ ବିଜ୍ଞପ୍ତି ପ୍ରକାଶ ପାଇ ଉକ୍ତ ଟ୍ରେନଟି ଭଦ୍ରକ ପରିବର୍ତ୍ତେ ଜଳେଶ୍ଵରକୁ ସମ୍ପ୍ରସାରଣ କରାଯାଇ ବର୍ତ୍ତମାନ ଚାଲୁଛି । ଧାମରାରେ ଆଦାନୀ ପୋର୍ଟ, ଏୟାର ଷ୍ଟ୍ରିପ, ଏଲ୍ ଏନ୍ ଜି ଟର୍ମିନାଲ ପାଇଁ ଭଦ୍ରକ ଷ୍ଟେସନର ଗୁରୁତ୍ଵ ଆହୁରି ବୃଦ୍ଧି ପାଇଛି । ବର୍ତ୍ତମାନ ଚାଲୁ ଥିବା ଭଦ୍ରକ ଓ ଜଳେଶ୍ଵରରୁ ଦୁଇଟି ପାସେଞ୍ଜର ଟ୍ରେନ ଭଦ୍ରକ ରେଳ ଷ୍ଟେସନ ପହଞ୍ଚିବାବେଳକୁ କୌଣସି ବଗିରେ ଯାତ୍ରୀମାନଙ୍କ ପାଇଁ ସିଟଟିଏ ନ ଥାଏ । ଏଣୁ ଉକ୍ତ ଟ୍ରେନରେ ଭଦ୍ରକରୁ ଯାଉଥିବା ଯାତ୍ରୀମାନେ ବଗି ମଧ୍ୟରେ ଛିଡ଼ା ହୋଇ ଯିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥାଏ । ଏହାକୁ ବିରୋଧ କରି ଅନେକ ସମୟରେ ରେଳରୋକ, ଧାରଣା ସହ ଜନ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ତେବେ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଉକ୍ତ ଆଲୋଚନାରେ ଏବାବଦରେ ଖୁବ୍ ଶୀଘ୍ର ବିଚାରକୁ ନିଆଯାଇ ଭଦ୍ରକରୁ ପୁରୀ ମଧ୍ୟରେ ନୂତନ ପାସେଞ୍ଜର ଟ୍ରେନ ପ୍ରଚଳନ କରିବା ସହ ଦାବି କରିଥିବା ଭଦ୍ରକ ସଂସଦୀୟ କ୍ଷେତ୍ରର ସମସ୍ତ ଷ୍ଟେସନ୍ ଯଥା ବାହାନଗା, ସୋରୋ, ସବିରା, ମାର୍କୋଣା, ରାଣିତାଲ, ଭଦ୍ରକ, ବାଉଦପୁର, କେନ୍ଦୁଆପଦା ଓ ମଞ୍ଜୁରି ରୋଡ ରେଳ ଷ୍ଟେସନମାନଙ୍କର ଉନ୍ନତି ହେବ ବୋଲି ପ୍ରତିଶୃତି ଦେଇଥିଲେ ।

ସମ୍ବନ୍ଧିତ ଖବର