ନାବାଳିକାକୁ ଅପହରଣ କରି ଦୁଷ୍କର୍ମ!, ବିଲରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର

ଚାନ୍ଦବାଲି : କାଟୁ କରୁନି ଦଣ୍ଡର ଭୟ, କମୁନି ଦୁଷ୍କର୍ମ। କାମାନ୍ଧ ପିଶାଚଙ୍କ ପଞ୍ଝାରେ ପଡ଼ିଛି ଆଉ ଜଣେ ନାବାଳିକା। ଦୁଇ ଯୁବକ ଅପହରଣ ନାବାଳିକାକୁ ଅପହରଣ କରିନେବାର ୨୪ ଘଣ୍ଟା ପରେ ହାତଗୋଡ଼ ବନ୍ଧା ହୋଇ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ନାବାଳିକା ଜଣକ କିଛି କହି ପାରୁ ନଥିବାବେଳେ ତା’ର ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ଦୁଷ୍କର୍ମର ଶିକାର ହୋଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ; ତିହିଡ଼ି ଥାନାର ଗୁଆମାଳ ପଞ୍ଚାୟତର ଏହି ନାବାଳିକା(୧୬) ଜଣକ ଆଜି ସକାଳ ପ୍ରାୟ ୮ଟାବେଳେ ଘରେ ବସିଥିବା ବେଳେ ଦୁଇ ଜଣ ଯୁବକ ଏକ ମୋଟରସାଇକେଲରେ ଆସି ତା’କୁ ଟେକି ନେଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନାବାଳିକାକୁ ନ ପାଇବାରୁ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ କୌଣସି ତଦନ୍ତ ନ କରି ବସି ଯାଇଥିଲା। ରାତି ପ୍ରାୟ ୮ଟା ବେଳକୁ ନାବାଳିକା ଜଣକ ଘର ପଛ ପାଖ ବିଲରେ ଗୋଡ଼ହାତ ବନ୍ଧା ହୋଇଥିବା ପଡ଼ିଥିବା ଦେଖିବାକୁ ମିଳିଥିଲା। ବେଶ୍‌ କିଛି ସମୟ ଚେତା ହରାଇଥିବା ନାବାଳିକା ଜଣ ଚେତା ଫେରି ପାଇବା ପରେ ଚିତ୍କାର କରିଥିଲା। ପରିବାର ଲୋକେ ଚିତ୍କାର ଶୁଣି ବାଡ଼ିପଛ ପଟରୁ ତାକୁ ଉଦ୍ଧାର କରି ତିହିଡି ମେଡିକାଲରେ ଭର୍ତ୍ତି କରିଥିଲେ। ନାବାଳିକା ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାବେଳେ ଘଟଣା ସମ୍ପର୍କରେ କିଛି କହିପାରୁ ନ ଥିଲା। ତେବେ ଦୁଇ ଯୁବକ ତାଙ୍କ ମୁହଁ ବାନ୍ଧି ଅପହରଣ କରିଥିବା କହିଥିଲେ। ତେଣୁ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ପରିବାର ତରଫରୁ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ତିହିଡ଼ି ପୁଲିସ ମେଡିକାଲରେ ପହଞ୍ଚି ନାବାଳିକାର ବୟାନ ନେଇଥିବାବେଳେ ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଛନ୍ତି କି ନାହିଁ ତାହା ଡାକ୍ତରୀମାଇନା ପରେ ଜଣା ପଡ଼ିବ ବୋଲି ପୁଲିସ କହିଛି।

ଟିଆଇ ପ୍ୟାରେଡ୍‌ରେ ଦୁଷ୍କର୍ମ ଅଭିଯୁକ୍ତ ଚିହ୍ନଟ

କାଳିଆପାଣି : କାଳିଆପାଣି ହନୁମାନ ବଜାର ପାଖ ପୋଡ଼ାହଟିଂର ଜଣେ ନବମ ଶ୍ରେଣୀର ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଆଉ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ କାଳିଆପାଣି ପୁଲିସ୍‌ ସେଦିନ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଉକ୍ତ ମାମଲାର ବିଚାର ପ୍ରକ୍ରିୟାରେ ବିଚାରପତିଙ୍କ ନିର୍ଦେଶ କ୍ରମେ ରଗଡ଼ି ଉପକାରାଗାର ପରିସରରେ ଟିଆଇ ପ୍ୟାରେଡ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ପୀଡ଼ିତା ଦ୍ଵୟ ମୁଖ୍ୟ ଅଭିଯୁକ୍ତ କାଳିଆପାଣି ବିର୍ସାନଗର ବସ୍ତିର କୈଳାସ ସାହୁଙ୍କ ପୁଅ ଶ୍ରୀକାନ୍ତ ଓରଫ୍‌ ଚଗୁଲୁ(୨୪) ଓ ଗୁରୁଜଙ୍ଗ ଗାଁର ରବି ବେହେରାଙ୍କ ପୁଅ ଦୁଃଶାସନ ବେହେରା ଓରଫ୍‌ ଗୌରାଙ୍ଗ(୨୩)କୁ ଚିହ୍ନଟ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର