ଧାମରାରେ ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ:ଧାମରା ବିଶ୍ବର ସବୁଠାରୁ ବଡ଼ ବନ୍ଦର ହେବ : ଶିଳ୍ପମନ୍ତ୍ରୀ

ଧାମରା ବନ୍ଦର ଆମ ପୂର୍ବସୂରୀଙ୍କର ଗୌରବର ଗାଥା ମନେ ପକାଇ ଦେଉଛି  : ସୌମ୍ୟରଂଜନ

ଭଦ୍ରକ: ଧାମରା ବନ୍ଦର ହେବ ବିଶ୍ବର  ସବୁଠାରୁ ବଡ଼ ବନ୍ଦର। ଏହି ବନ୍ଦରକୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଆଜି ଧାମରା ବନ୍ଦର ଓଡ଼ିଶା ମାନଚିତ୍ରରେ ନୁହେଁ, ସମଗ୍ର ବିଶ୍ବ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି  କରିଛି ବୋଲି ଶିଳ୍ପ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି। ଧାମରା ମତ୍ସ୍ୟ ପୋତାଶ୍ରୟ ପ୍ରାଙ୍ଗଣରେ ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ପକ୍ଷରୁ ୧୮ତମ ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସ ଉତ୍ସବକୁ ଉଦ୍‌ଘାଟନ କରି ‌ବୋଇତ ବନ୍ଦାଣ  ଉତ୍ସବ ଏକ ନିଆରା ପରମ୍ପରା ବୋଲି କହିଥିଲେ।

ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଗୋଟିଏ ପରମ୍ପରାକୁ ପାଳନ କରିବାକୁ ଯାଇ ଆମେ ଆଉ ଏକ ପରମ୍ପରା ସୃଷ୍ଟି କଲେଣି। ଆମ ଅଜା, ଜେଜେଙ୍କ ଅମଳର ନୌବାଣିଜ୍ୟର ସ୍ମୃତିକୁ ମନେ ପକାଇବା ପାଇଁ  ଏ ପ୍ରକାର ବୋଇତ ବନ୍ଦାଣ ଉତ୍ସବ ପାଳନ କରି ବନ୍ଦର ସଭ୍ୟତାର ବିକାଶ କଥାକୁ ନେଇ ଆମ ଯୁବପିଢ଼ିଙ୍କ ମନରେ ନୂଆ ସ୍ବପ୍ନ ଭରି ଦେଲେଣି। ଧାମରା ବନ୍ଦର ଆଜି ଭାରତ ବର୍ଷରେ ଏକ ପ୍ରମୁଖ ବନ୍ଦରର ଗୌରବ ବହନ କରୁଛି। ଧାମରା ବନ୍ଦର ଆମ ପୂର୍ବସୂରୀଙ୍କର ଗୌରବର ଗାଥା ମନେ ପକାଇ ଦେଉଛି। ଦିନେ ଏଇ  ସମୁଦ୍ର ମୁହାଣରୁ ଆମ ପୂର୍ବସୂରୀମାନେ ବାଣିଜ୍ୟ କରିବାକୁ ଜାଭା, ସୁମାତ୍ରା  ଯାଇ ବାଣିଜ୍ୟ କରି ପୁଣି  ସମୁଦ୍ର ପଥରେ ଫେରୁଥିଲେ ଧାମରାକୁ। ସେଦିନର ସେହି ନୌବାଣିଜ୍ୟର ପରଂପରା ଓ ଐତିହ୍ୟକୁ ମନେ ପକାଇ ଆମେ  ଆଜି ଆମ ପୂର୍ବସୂରୀମାନଙ୍କ ପାଇଁ ପାଳୁଛନ୍ତି ବୋଇତ ବନ୍ଦାଣ ଉତ୍ସବ। ଏଭଳି ଉତ୍ସବ ଆୟୋଜକବନ୍ଧୁମାନଙ୍କୁ ସେ ସାଧୁବାଦ ଦେଇଥିଲେ।

ଉତ୍ସବରେ ବରେଣ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ କହିଲେ, ଧାମରା ବନ୍ଦର ହେଉଛି  ଆମ ଗର୍ବ ଓ ଗୌରବର ପ୍ରତୀକ। ଏ ବନ୍ଦର ପାଇଁ ଆମ ଧାମରା ସାରା ବିଶ୍ବରେ ନାମ କମାଇଛି। ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ  ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପାଇଁ ଧାମରାବାସୀ ଆଜି ଆଧୁନିକ ବନ୍ଦରର ରୂପ ଦେଖୁଛନ୍ତି। ଧାମରାବାସୀଙ୍କର ବନ୍ଦର ସ୍ବପ୍ନ ମୁଖ୍ୟମନ୍ତ୍ରୀ ପାଇଁ ସଫଳ ହୋଇଛି। ଆଗାମୀ ଦିନରେ ଏ ବନ୍ଦର ଆହୁରି ଆଗକୁ ଯିବ ବୋଲି କହିଥିଲେ।  ପୂର୍ବତନ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜଗନ୍ନାଥ ସ୍ବାଇଁ, ସମାଜସେବୀ ଅଜୟ ନାୟକ, ସିନେ କଳାକାର ଅରିନ୍ଦମ୍, ଏଲିନା ଦାସ , ରାଜ୍ୟ ବିଜୁ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସୁଲତା ଦେଓ, ବିଜେଡି ସଂପାଦିକା ତଥା ସିନେ କଳାକାର ଏଲିନା ସାମନ୍ତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।  ବୋଇତ ବନ୍ଦାଣ କମିଟିର ସଂପାଦକ ପ୍ରିୟରଂଜନ ଜେନା (ପାପା)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କମିଟିର ସଦସ୍ୟ ସାମ୍ବାଦିକ ଅଭୟ ପତି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଂପାଦକୀୟ ବିବରଣୀ ପାଠ କରିଥିଲେ ଜୟନ୍ତ ବେହୁରା, ମଇତ୍ରୀ ଚିଟାଉ ପାଠ କରିଥିଲେ ଅଶୋକ ଜେନା, ପରୀକ୍ଷିତ ଦାସ। ଧନ୍ୟବାଦ ଦେଇଥିଲେ  ରଂଜନ ସାହୁ।

ଅନ୍ୟମାନଙ୍କ ମଧ୍ୟରେ ରମେଶ ନାୟକ, ଜିଲ୍ଲାପରିଷଦ ସଭ୍ୟା ବିଳାସିନୀ ଦାସ, ଜ୍ୟୋତିର୍ମୟ ଲେଙ୍କା, ଜିଲ୍ଲା ଯୁବ ବିଜେଡିର ସଭାପତି ଦୁର୍ଗା ଦାସ,  ବିଜେଡି ଯୁବନେତା ପ୍ରଦୀପ  ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  ଏଇ ଉତ୍ସବ ପାଳନ ଅବସରରେ ରଙ୍ଗୋଲି ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ସଂଜୁଲତା ବଳ, ରିଙ୍କି ମାଝୀ, ସୁଚିତ୍ରା ବାରିକଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷ‌େର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ହଜାର ହଜାର ଦର୍ଶକ ଏହି ବୋଇତ ବନ୍ଦାଣ ଉତ୍ସବରେ ଏକତ୍ରିତ ହୋଇଥିଲେ।

ପ୍ରଥମେ ମା’ ଧାମରାଈ ପୀଠରେ ପୂଜାର୍ଚ୍ଚନା କରାଯାଇ ଆଜି ସକା‌େଳ ଏକ ଶୋଭାଯାତ୍ରାରେ ଧାମରା ମାଛଧରା ଜେଟୀ ନିକଟରୁ ୭ ସାଧବଙ୍କୁ  ଚାନ୍ଦବାଲିକୁ ବୋଇତ ନେଇଯିବା ପାଇଁ ମେଲାଣି ଦେଇଥିଲେ। ସେହିପରି ଚନ୍ଦନୀପାଳ କାଳିନାଳ ଘାଟରୁ ଆସୁଥିବା ୭ ଜଣ ସାଧବଙ୍କୁ ଧାମରାଇ ମନ୍ଦିର ଘାଟରୁ ବନ୍ଦାପନା କରାଯାଇ  ବୋଇତ ବନ୍ଦାଣ ସଭାମଞ୍ଚକୁ ଅଣାଯାଇଥିଲା। ଏହି ସାଧବମାନଙ୍କ ସହ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅତିଥିମାନଙ୍କୁ ମଧ୍ୟ ଶୋଭାଯାତ୍ରାରେ ସଭାମଞ୍ଚକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର