ପୌରନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ବିଜେପି, ବିଧାୟକଙ୍କ ନେତୃତ୍ବରେ ହେଲା ବୈଠକ

ପରୀ ପାଇଁ ନ୍ୟାୟ ଦାବିରେ ପଦଯାତ୍ରା, ସାମିଲ ହେବେ ୫ହଜାର କର୍ମୀ

ବାରିପଦା : ପୌରନିର୍ବାଚନକୁ ଆଖି ଆଗରେ ରଖି ସକ୍ରିୟ ହୋଇଛି ବିଜେପି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ସହିତ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଖୋଦ୍‌ ବାରିପଦା ବିଧାୟକ ପ୍ରକାଶ ସୋରେନ୍‌। ଚଳିତ ଥର ବାରିପଦାରେ ବିଜେପି ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିବାରୁ ବାରିପଦା ପୌରପରିଷଦକୁ ବିଜେଡିମୁକ୍ତ କରିବାକୁ ଶ୍ରୀ ସୋରେନ୍‌ ଆଜି ଅନୁଷ୍ଠିତ ଏକ ବୈଠକରେ ଆହ୍ବାନ ଦେଇଛନ୍ତି। ଆଜି ସ୍ଥାନୀୟ ବଜାର ଇଣ୍ଡିଆ ମଣ୍ଡପରେ ବିଧାୟକ ପ୍ରକାଶଙ୍କ ନେତୃତ୍ବରେ ଦଳୀୟ କର୍ମକର୍ତ୍ତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାରିପଦା ପୌରାଞ୍ଚଳର ମଧୁବନଠାରୁ ଭଞ୍ଜପୁର ପର୍ଯ୍ୟନ୍ତ ଚଳିତ ମାସ ୨୨ରେ ପରୀ ପାଇଁ ନ୍ୟାୟ ଦାବିରେ ହେବାକୁ ଥିବା ପଦଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ପଦଯାତ୍ରାରେ ପ୍ରାୟ ୫ହଜାର ବିଜେପି କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ସାମିଲ ହେବା ନେଇ ନିଷ୍ପତି ହୋଇଥିଲା। ସେହିପରି ୨୪ରେ ଚାଷୀ ବିଲ୍‌ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ବାଲେଶ୍ବରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବାରିପଦା ନିର୍ବାଚନମଣ୍ଡଳୀରୁ ପ୍ରାୟ ୨ହଜାର ବାଇକକୁ ନେଇ ଏକ ଶୋଭାଯାତ୍ରା କରିବାକୁ ମଧ୍ୟ ନିଷ୍ପତି ହୋଇଥିଲା। ଉଲ୍ଲେଖଯୋଗ୍ୟଯେ ବାଲେଶ୍ବରରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରୁ ହଜାର ହଜାର ଚାଷୀଙ୍କୁ ନେଇ କୃଷି ବିଲ୍‌ ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ବିଜେପି ପକ୍ଷରୁ ଏକ ଚାଷୀ ସମାବେଶ ଆୟୋଜିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଦୁଇ କାର୍ଯ୍ୟକ୍ରମ ଆଳରେ ବାରିପଦା ବିଧାୟକ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରଯତ୍ନ କରୁଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଗକୁ ଆସୁଥିବା ପୌର ନିର୍ବାଚନରେ ଏଥର ବିଜେପି ଯେପରି ପରିଷଦ ଗଠନ କରିବ ସେନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ବିଜେଡି ମୁକ୍ତ ବାରିପଦା ଗଠନ କରିବାକୁ ଖୋଦ୍‌ ବିଧାୟକ ଆହ୍ବାନ ଦେଇଛନ୍ତି। ପୌର ନିର୍ବାଚନ ପରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ଯେପରି ଭଲ ପ୍ରଦର୍ଶନ କରିବ ସେନେଇ କାର୍ଯ୍ୟକର୍ତ୍ତମାନେ ଯତ୍ନବାନ ରହିବାକୁ ବିଧାୟକ କହିଛନ୍ତି। ଏହି ଦୁଇ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମାପନ କରି ଭୋଟରଙ୍କ ନିକଟରେ ବିଜେପିର ସକ୍ରିୟତା ପ୍ରମାଣ କରିବାକୁ ବିଧାୟକ ଚେଷ୍ଟା କରୁଥିବା ଜଣାପଡ଼ିଛି। ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ନଗର ସଭାପତି ନିରଞ୍ଜନ ଦାଶ, ପୂର୍ବତନ କାଉନ୍‌ସିଲର ତଥା ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ହାବଡ଼ା, ସୁମନ ସିଂ, ‌ବରିଷ୍ଠ ବିଜେପି ନେତା ଛୋଟେଲାଲା ମହାନ୍ତ, ଶୋଭାବତୀ ହୋତା, ହେମନ୍ତ ଶାହା, ମନୋଜ ମହାନ୍ତି ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର