ଦୁର୍ଘଟଣା, ଜୀବନହାନୀ ଅସହ୍ୟ, ଚାଲିଛି ବଲାଙ୍ଗୀର ବନ୍ଦ

ବଲାଙ୍ଗୀର: ବାରମ୍ବାର ଦୁର୍ଘଟଣା, ବାରମ୍ବାର ଅକାଳରେ ଝଡ଼ିପଡ଼ୁଛି ନିରିହ ଜୀବନ। ଯାହାକୁ ଯେତେ ଗୁହାରି କଲେ ମଧ୍ୟ କେହି ଶୁଣୁ ନାହାଁନ୍ତି। ଯୋଜନା ରହି ଯାଉଛି ନାଲିଫିତା ତଳେ, ଆଉ ଯନ୍ତ୍ରଣା ଭୋଗୁଛନ୍ତି ବଲାଙ୍ଗୀରବାସୀ। ଏଭଳି ସ୍ଥିିତିକୁ ଆଉ ବରଦାସ୍ତ କରାଯିବ ନାହିଁ। ତୁରନ୍ତ ବଲାଙ୍ଗର ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଓ ୫୭ ନମ୍ବର ଜାତୀୟ ରାଜପଥ ପାଇଁ ବାଇପାସ ନିର୍ମାଣ ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବଲାଙ୍ଗୀର ସହର। ଫଳରେ ବଲାଙ୍ଗୀର ସହର ଦେଇ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଦୋକାନବଜାର ମଧ୍ୟ ବନ୍ଦ ରହିଛି।


ସୂଚନାଯୋଗ୍ୟ ଯେ ଗତ ୫ ତାରିଖ ଦିନ ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହାର ଦୁଇ ଦନ ପରେ ଗତକାଲି ବଲାଙ୍ଗୀର କଲେଜକୁ ପଢ଼ିବାକୁ ଆସୁଥିବା ଜଣେ ଛାତ୍ରୀଙ୍କୁର ଟ୍ରକ୍‌ ଧକକାରେ ମୃତ୍ୟୁ ଘଟିଥିଲା। ଏ ବାଇପାସ ନିର୍ମାଣ ହେଉ ନ ଥିବାରୁ ବଲାଙ୍ଗୀର ସହର ଦେଇ ଦୁଇଟି ଜାତୀୟ ରାଜପଥ ଯାଇଥିବାରୁ ସହରବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁୁଖୀନ ହେଉଛନ୍ତି। ତେଣୁ ବାଇପାସ ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଅସୁଛି। ଅପରପକ୍ଷେ କେନ୍ଦ୍ର ସଡ଼କ ପରିବହନ କର୍ତ୍ତୃପକ୍ଷ ବାଇପାସ ନିର୍ମାଣ ପାଇଁ ଯେଉଁ ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରାଶସନକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଅନୁଯାୟୀ, ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ ପାଇଁ ୨୪୧ କୋଟି ଟଙ୍କାର ଏକ ଅଟକଳ କେନ୍ଦ୍ର ସଡକ ପରିବହନ ବିଭାଗକୁ ପଠାଇଥିଲେ। ତେବେ ଜମିର ବେଞ୍ଚ ମାର୍କ ଭାଲ୍ୟୁଏସନ୍‌ ଚଞ୍ଚକତା କରାଯାଇଥିବା ନେଇ ଆପତ୍ତି ଉଠାଇଥିବା କେନ୍ଦ୍ର ସଡକ ପରିବହନ ବିଭାଗ। ତେଣୁ ପୁଣି ଥରେ ୨୨୪ କୋଟି ଟଙ୍କାର ଅଟକଳ କରି ଜିଲ୍ଲା ପ୍ରଶାସନ ପଠାଇଛି। ତେବେ ଏ ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବାରମ୍ବାର ଦୁର୍ଘଟଣାରେ ଜନଜୀବନ କ୍ଷତି ହେଉଥିବା ଅଭିଯୋଗ କରି ନଗର କଂଗ୍ରେସ ପକ୍ଷରୁ ଆଜି ଦିନିକିଆ ବଲାଙ୍ଗୀର ସହର ବନ୍ଦ ପାଳନ କରାଯାଉଥିବା ବେଳେ ମିଳିତ କ୍ରିୟାନୁଷ୍ଠାନ କମିଟିର ବ୍ୟାନର ତଳେ ନାଗରିକ କମିଟି, ଶ୍ରମିକ ସଙ୍ଗଠନ, ବାର ଆସୋସିଏସନ ପ୍ରମୁଖ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଅହ୍ଵାନ ଦେଇଛନ୍ତି। ବନ୍ଦ ଯୋଗୁଁ ବଲାଙ୍ଗୀରରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ସମ୍ବନ୍ଧିତ ଖବର