ପାଣି ପାଇଁ ପଥରଖଣ୍ଡି ଗାଁର ଦୁଃଖ:ନଳକୂଅରୁ ବାହାରୁଛି ଲାଲ ପାଣି

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘିକୁଣ୍ଡି ପଂଚାୟତର ପଥରଖଣ୍ଡି ଗାଁ ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ଏହି ଗାଁରେ ଥିବା ନଳକୂଅରୁ ଲାଲ ରଙ୍ଗର ପାଣି ବାହାରୁ ଥିବାରୁ ଏହାକୁ ବ୍ୟବହାର କରିବା ନେଇ ସମସ୍ୟା ସୃଷ୍ଟି ହୋଇଛି। ପାଣିର ଏପରି ରଙ୍ଗ ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
ପ୍ରକାଶ ଯେ, ଏହି ଗାଁରେ ପ୍ରାୟ ୮୦୦ରୁ ଅଧିକ ଲୋକେ ବସବାସ କରନ୍ତି। ଗାଁରେ ୫ଟି ନଳକୂଅ ଏବଂ ଗୋଟିଏ ସରକାରୀ ଗଭୀର କୂଅ ରହିଛି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳସ୍ତର କମି ଯାଉଥିବା ବେଳେ ଗାଁରେ ଥିବା ସମସ୍ତ ନଳକୂଅରୁ ଫ୍ଲୋରାଇଡ ପାଣି ବାହାରୁଥିବା ଆଶଙ୍କା କରି ଲୋକେ ଉକ୍ତ ପାଣିକୁ ବ୍ୟବହାର କରୁନାହାନ୍ତି। ଅନ୍ୟପକ୍ଷେ ଉକ୍ତ ନଳକୂଅର ପାଣି ଲାଲ ରଙ୍ଗର ବାହାରୁ ଥିବା ସହ ବାଲ୍‌ତିରେ ପରସ୍ତେ ମଳି ବସି ଯାଉଛି। ପ୍ରାୟତଃ ଖରାଦିନେ ପାଣିର ରଙ୍ଗ ଏପରି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଗାଁ ମଝିରେ ଥିବା ଏକମାତ୍ର ସରକାରୀ ଗଭୀର କୂଅ ପାଖରେ ରାତି ପାହାନ୍ତାରୁ ଲୋକଙ୍କ ଲାଇନ ଲାଗୁଛି। ଦିନ ୧୧ଟା ବେଳକୁ ଉକ୍ତ କୂଅର ଜଳସ୍ତର କମି ଯାଇଥାଏ। ଜଳ ସମସ୍ୟା ଯୋଗୁଁ ଲୋକେ ଗାଧୋଇବା ପାଇଁ ଗାଁ ଠାରୁ ୨ କିମି. ଦୂରରେ ଥିବା ଏକ ନାଳ ଉପରେ ନିର୍ଭର କରିଥାନ୍ତି। ଉକ୍ତ ନାଳରେ ଗାଈ, ମଇଁଷି ଆଦି ମଧ୍ୟ ଗାଧୋଇଥାନ୍ତି। ଫଳରେ ଉକ୍ତ ନାଳର ପାଣି ଦୂଷିତ ହୋଇଥାଏ। ସେହି ପାଣିକୁ ବ୍ୟବହାର କରି ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଘିକୁଣ୍ଡି ସରପଞ୍ଚ ପ୍ରମିଳା ଷାଣ୍ଢଙ୍କୁ ପଚାରିବାରୁ ସେ କହିଲେ,ଏ ବିଷୟରେ ମୁଁ ଅବଗତ ଅଛି,ଏନେଇ ଆରଡବ୍ଲୁଏସଏସର ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛୁ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ପାନୀୟ ଜଳ ସମସ୍ୟା ଦୂର ନହେଲେ ଆଗାମୀ ଦିନରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର