ନାଳରେ ଭାସିଗଲେ ଯୁବକ, ୨୪ଘଣ୍ଟା ପରେ ଜଳଭଣ୍ଡାରରୁ ମୃତଦେହ ଉଦ୍ଧାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଓରିଆବିରିଦା ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗାଁରେ ଗତକାଲି ଏକ ଅଘଟଣ ଘଟିଯାଇଛି। ପ୍ରବଳ ବର୍ଷା ଯୋଗୁଁ ଗାଁ ନିକଟ ଜାମୁଦର ନାଳର ପ୍ରଖର ଜଳସ୍ରୋତରେ ବ୍ରହ୍ମାନନ୍ଦ ନାଏକଙ୍କ ବଡ଼ପୁଅ ଗୁରୁଦେବ ନାଏକ (୩୫) ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ଏବଂ ୨୪ ଘଣ୍ଟା ପରେ ଆଜି ସକାଳେ ଏକ କିମି ଦୂର ମହାଦେଇ ଡ଼୍ୟାମ ଜଳଭଣ୍ଡାରରୁ ମୃତକଙ୍କ ଶଵ ଉଦ୍ଧାର କରାଯାଇଛି।

ବାପା ବ୍ରହ୍ମାନନ୍ଦ, ସାନଭାଇ ଓ ଗୁରୁଦେବ ଜାମୁଦା ନାଳ ପାରି ହୋଇ ଚାଷ ଜମିକୁ ହଳ କରିବାକୁ ଯାଇଥିଲେ। ତେବେ ସକାଳ ପ୍ରାୟ ସାଢେ଼ ୯ଟା ବେଳେ ସକାଳଖିଆ ପାଇଁ ଭାତ ଆଣିବାକୁ ଗୁରୁଦେବ ଘରକୁ ଆସିଥିଲେ। ତେବେ ନାଳରୁ ଉପରମୁଣ୍ଡ କାଞ୍ଜିପାଣି ପାହାଡିଆ ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷା ହୋଇଥିଲା। ଫଳରେ ଜାମୁଦର ନାଳରେ ପ୍ରଖର ଜଳସ୍ରୋତ ପ୍ରବାହିତ ହେଉଥିଲା। ଏହି ସମୟରେ ଗୁରୁଦେବ ନାଳ ପାରି ହୋଇ ଘରକୁ ଆସୁଥିଲେ। ଫଳରେ ହଠାତ୍ ପ୍ରଖର ଜଳସ୍ରୋତରେ ସେ ଭାସିଯାଇଥିଲେ।ଭାତ ଆଣିବାରେ ବିଳମ୍ବ ହେବାରୁ ଗୁରୁଦେବଙ୍କୁ ଖୋଜା ପଡ଼ିଲା।

ସେ ଘରକୁ ଆସି ନ ଥିବା ଜଣାପଡିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳେ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ନାଳରେ ଭାସି ଯାଇଥିବା ସନ୍ଦେହ କରି ଖୋଜିଥିଲେ। ଫଳରେ ଏକ କିମି ଦୂର ମହାଦେଇ ଡ଼୍ୟାମ ଜଳ ଭଣ୍ଡାରରେ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ତେଲକୋଇ ଦମକଳ ବାହିନୀକୁ ଖବର ଦେଇଥିଲେ। ଫଳରେ ଗ୍ରାମବାସୀ ଓ ଦମକଳ ବାହିନୀ ଶଵ ଉଦ୍ଧାର କରିଥିଲେ। ଏବଂ ତେଲକୋଇ ଡାକ୍ତରଖାନାକୁ ଅଣାଯାଇଥିଲା। ଏନେଇ ତେଲକୋଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଛି। ଗୁରୁଦେବଙ୍କ ପରିବାର ଗରିବ। ଘରେ ବିଧବା ପତ୍ନୀ ସହିତ ଦୁଇ ନାବାଳକ ସନ୍ତାନ ଅଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର