ଖଣି ବିସ୍ଥାପିତ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଗଡ଼ିଲା ବସ୍ 

ସୁନ୍ଦରଗଡ଼: ଏମସିଏଲ ଖଣି ବିସ୍ଥାପିତ ହେମଗିର ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ ହୋଇଛି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଏବର ଗୋପାଳପୁର ସରପଞ୍ଚ ପୁରବୀ ନାଏକଙ୍କ ପରିକଳ୍ପିତ ଏହି ବସ୍ ସେବା ପାଇଁ ବିସ୍ଥାପିତ ଅଞ୍ଚଳବାସୀ ବହୁଦିନ ଧରି ଦାବି କରି ଆସୁଥିଲେ। ଶେଷକୁ ବିସ୍ଥାପିତଙ୍କ ନ୍ୟାୟପୂର୍ଣ୍ଣ ଦାବିକୁ ଗୁରୁତ୍ବ ଦେଇ ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ କ୍ରୟ ବସ୍କୁ କଲେଜ ଛାତ୍ରଛାତ୍ରୀଙ୍କୁ ସେବାରେ ନିୟୋଜିତ କରିଛନ୍ତି। ମଙ୍ଗଳବାର ଟପରିଆ ଠାରୁ ତୁମୁଲିଆ ଦେଇ ଡୁଡୁକା କଲେଜ ପହଞ୍ଚିବା ସମୟରେ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିଲେ। ଏପରିକି ବସ୍ ସେବାକୁ ନେଇ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମଧ୍ୟ ବେଶୀ ଖୁସିଥିବା ଦେଖିବାକୁ ମିଳିଥିଲା। ଏହି ବସ୍ ସେବା ଗ୍ରାମାଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ବୃହତ ପରିବର୍ତ୍ତନ ଆଣିବ, ଗ୍ରାମାଞ୍ଚଳର ଅବହେଳିତ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧିକାର ସହ ଲିଙ୍ଗଗତ ସମାନତା ଓ ସମାନ ସୁଯୋଗ ଦିଗରେ ଏହା ସହାୟକ ହେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ବିଶେଷ କରି ଦୂର ସ୍ଥାନରୁ ଛାତ୍ରୀମାନଙ୍କ କଲେଜ ଯିବା ଆସିବା ସମୟ ସାପେକ୍ଷ ହୋଇଥିବା ବେଳେ ଅସୁରକ୍ଷା ସହ ଆର୍ଥିକ ଦୁର୍ବଳ ଯୋଗୁଁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହେଉଥିଲେ। ଏବେ ସେ ସବୁ ସମସ୍ୟାର ସମାଧାନ କରିବ ଏହି ସେବା। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆହୁରି ୪ଟି ବସ୍ ଛାତ୍ରଛାତ୍ରୀଙ୍କୁ ଯୋଗାଇଦେବେ ବୋଲି ବିସ୍ଥାପିତ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର