କେନାଲ ଖୋଳାକୁ ପାଞ୍ଚ ଦଶନ୍ଧି: ସଫେଇ, ଖୋଳେଇ ନାଁରେ ଅର୍ଥଶ୍ରାଦ୍ଧ

ମାର୍ଶାଘାଇ:  ଚାଷ ଜମିକୁ ପାଣି ଯୋଗାଇ ଦେବା ଲକ୍ଷ୍ୟ ନେଇ ୧୯୬୮ ମସିହାରେ ଖୋଳାଯାଇଥିଲା କରାଣ୍ତିଆ ଓ ପୁନ୍ଦାଳ ମାଇନର। ଏହାଭିତରେ ପାଞ୍ଚ ଦଶନ୍ଧି ବିତିଯାଇଛି ସିନା ଶେଷମୁଣ୍ତରେ ପାଣି କିନ୍ତୁ ପହଞ୍ଚି ପାରିନି ଏ ଯାଏ। ଏବେ କେନାଲ ଶଯ୍ୟା ବଣବୁଦା ମାଡ଼ି ଯାଇଛି। ଖୋଳେଇ ଆଉ ସଫେଇ ନାଁରେ ଖାଲି ସରକାରୀ ଅର୍ଥ ଶ୍ରାଦ୍ଧ ଚାଲିଛି। ଜଳସେଚନର ଏପରି ବିକଳ ଛବି ମାର୍ଶାଘାଇ ବ୍ଲକର ଲୁଣା-ଚିତ୍ରୋତ୍ପଳା ଦ୍ବୀପାଂଚଳରେ ଦେଖିବାକୁ ମିଳିଛି। ପ୍ରଶାସନିକ ଦାୟିତ୍ବହୀନତା ଓ ଅଦୂରଦର୍ଶିତାର ଫଳ ଏବେ ଚାଷୀଙ୍କୁ ଭୋଗିବାକୁ ପଡ଼ୁଛି। ମହାନଦୀ ତ୍ରିକୋଣ ଭୂମିର ଶେଷମୁଣ୍ତରେ ରହିଛି ଲୁଣା–ଚିତ୍ରୋତ୍ପଳା ଦ୍ବୀପାଂଚଳ। ଏହାର ଶେଷମୁଣ୍ତରେ ଥିବା ଚାଷଜମିକୁ ଜଳ ଯୋଗାଇ ଦେବାକୁ ଉଭୟ ପାର୍ଶ୍ବରେ ପୁନ୍ଦାଳ ଓ କରାଣ୍ତିଆ ମାଇନର ରହିଛି। ବଡ଼ପଡାର ତିନିମୁହାଣୀଠାରେ ଏକ ସାଇଫନ୍ ନିର୍ମାଣ କରାଯାଇ ଏହି ମାଇନର ଦୁଇଟିରେ ଦ୍ବୀପାଂଚଳର ଚାଷଜମିକୁ ପାଣି ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି। ତେବେ ଦୀର୍ଘ ୫୩ ବର୍ଷ ବିତି ଯାଇଥିଲେ ବି ଏହି ମାଇନରର ଶେଷମୁଣ୍ତରେ କେବେ ବି ପାଣି ପହଞ୍ଚି ପାରିନାହିଁ। ବନ୍ଧକଟା ପଞ୍ଚାୟତର ବୈକୁଣ୍ଠପୁର ସାମିଲ ତେଲିଆକଣଠାରେ ଏହା ଶେଷ ହୋଇଛି। ବିସ୍ମୟର କଥା ଏହି କି ଯେ, କେନାଲ ଆରମ୍ଭରୁ କରାଣ୍ତିଆ ପର୍ଯ୍ୟନ୍ତ ଅନିୟମିତ ଭାବେ ପାଣି ଆସୁଥିଲେ ବି ତାହା ଚାଷୀଙ୍କ ଆବଶ୍ୟକତା ମେଂଟାଇ ପାରୁନାହିଁ। ବଡପଡା ତାରିଣୀଗଡାଠାରୁ କରାଣ୍ତିଆ ମାଇନର ବାହାରି ୨୮.୬୦ କିଲୋମିଟର ଲମ୍ବି କରାଣ୍ତିଆଠାରେ ପହଞ୍ଚିଛି। ଆରମ୍ଭରୁ ଦେମାଣ୍ଡୋ, ବାଲିଆପଦା, ଫତେପୁର, କୋଇଲିରଙ୍ଗା, ନେମାଳ ସେକ୍ସନରେ ରହିଥିବା ବେଳେ ତରତଶାସନ, ବାହାରବଙ୍ଗୁ, ଭାରିଗୋଳ, ଖାନନଗର, ନୂଆଶାସନ, ଗୋପେଇ, ତରତ ସେକ୍ସନ ଓ କରିଲୋପାଟଣା, ଜମପଡା, ରଘୁନାଥପୁର ବ୍ଲକର କରିଲୋପାଟଣା ସେକ୍ସନ ଅଧୀନରେ ରହିଛି। ଦେମାଣ୍ଡୋଠାରୁ ଏହି ମାଇନର ଉପରୋକ୍ତ ଡିଷ୍ଟ୍ରିବ୍ୟୁଟାରି ଦେଇ କରାଣ୍ତିଆଠାରେ ପହଂଚିବା ପରେ ସେଠାରୁ ମେହେନ୍ଦିନଗର ମାଇନର ଦେଇ ବଛରାଇ ଓ ଖାରିଆ ସାହି ପର୍ଯ୍ୟନ୍ତ ସବ୍‌ ମାଇନର ଲମ୍ବିଛି। ପ୍ରତି ଶହେ ଘନମିଟର ଖୋଳେଇ ପାଇଁ ୬ହଜାର ଟଙ୍କା ସରକାରୀ ଅଟକଳ ରହିଥିବା ବେଳେ ଏହି କେନାଲ ଖୋଳେଇରେ କୋଟିକୋଟି ଟଙ୍କା ବ୍ୟୟ କରାଯାଇଛି। ଏଥିସହିତ ସଂପୃକ୍ତ ଅଂଚଳର ଚାଷୀକୁ ମଧ୍ୟବହୁ ମୂଲ୍ୟବାନ ଜମି ହରାଇବାକୁ ପଡିଛି। ମାତ୍ର ପାଣି ଚାଷ ଜମି ପର୍ଯ୍ୟନ୍ତ ପହଞ୍ଚିବା ଦୂରେ ଥାଉ କେନାଲରେ ବି ଦେଖିବାକୁ ମିଳୁନାହିଁ।

ପାଣି ନ ପହଞ୍ଚୁ ପଛେ ପ୍ରତିବର୍ଷ କେନାଲ ସଫେଇ ନାମରେ ଅର୍ଥଶ୍ରାଦ୍ଧ ଚାଲିଛି। କରାଣ୍ତିଆ ମାଇନର ଯୋଗେ ୬ହଜାର ୧୧୨ହେକ୍ଟର ଜମିରେ ପାଣି ମାଡିବାର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ଏଥିରୁ ୪ହଜାର ୨୭୦ ହେକ୍ଟର ପାଣି ମାଡୁଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ସେହିପରି ପୁନ୍ଦାଳ ମାଇନର ଯୋଗେ ୩ ହଜାର ୫୪୩ ହେକ୍ଟର ଜମିରେ ପାଣି ମାଡ଼ିବାର ଧାର୍ଯ୍ୟ ଲକ୍ଷ୍ୟ ରହିଛି। ପ୍ରକୃତପକ୍ଷେ ଶେଷମୁଣ୍ତ ନୁହେଁ ଜମପଡା ପର୍ଯ୍ୟନ୍ତ କେତେ ବେଳେ କେମିତି ପାଣି ଆସୁଥିବା ସୂଚନା ମିଳିଛି। ଚାଷ ପାଇଁ ପାଣିର ଆବଶ୍ୟକତା ଥିବା ସମୟରେ ଏହି ମାଇନରର ଖାନନଗର ଡିଷ୍ଟ୍ରିବ୍ୟୁଟାରିରେ ପାଳିରେ ୪ଦିନ ପାଣି ଦିଆଯିବା ଜଳସେଚନର ବ୍ୟବସ୍ଥାର ନଗ୍ନନମୁନା ମାତ୍ର। ଏହି ବ୍ୟବସ୍ଥାରେ ଅଧା ବାଟ ପର୍ଯ୍ୟନ୍ତ ପାଣି ଆସିବା ବେଳକୁ ସରି ଯାଉଛି। ଫଳରେ କରାଣ୍ତିଆ ପର୍ଯ୍ୟନ୍ତ ପାଣି ପହଂଚିବା ବିଳମ୍ବ ହେଉଛି। ଖାଲି ସେତିକି ନୁହେଁ ଫତେପୁର ଓ କୂଳସାହି ପାଖରେ ଥିବା ସଟର୍‌ ପକାଯିବା ଓ ପାଣିଓହଳା ପଏଣ୍ଟ୍‌ ବଡ଼ ହୋଇଥିବାରୁ ଅଧିକ ପାଣି ସେପଟେ ପଳାଇ ଯାଉଥିବାରୁ ଏପରି ଅବସ୍ଥା ଉପୁଜୁଛି। ଅନ୍ୟପକ୍ଷରେ ଏହି ମାଇନରରୁ ୩୮ଟି ଆଉଟଲେଟ୍‌ରେ ପାଣି ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କରାଣ୍ତିଆଠାରୁ ମେହେନ୍ଦିନଗର ମାଇନର, ବଛରାଇ ଓ ଖାରିଆସାହି ସବ୍‌ମାଇନରରେ କେବେ ବି ପାଣି ଆସେନାହିଁ। ଏବେ ମେହେନ୍ଦିନଗର ସବ୍‌ମାଇନର ଆରମ୍ଭରେ ରାସ୍ତା କରୁଥିବା ଠିକାଦାର କେନାଲ ପୋତି ଦେଇଥିବାରୁ ତାହା କରାଣ୍ତିଆଠାରୁ ବିଚ୍ଛିନ୍ନ ହୋଇପଡ଼ିଛି। ସେଠାରୁ ଦୀର୍ଘ ୫କିମିରୁ ଅଧିକ ଅଂଶ ସଫେଇ ବି କରାଯାଇ ପାରିନାହିଁ। ଚାଷ ପାଇଁ ଜମିକୁ ଜଳ ଯୋଗାଇ ଦିଆଯାଇପାରୁ ନ ଥିବାରୁ ଦ୍ବୀପାଂଚଳରେ ଥିବା ମାର୍ଶାଘାଇ ବ୍ଲକର କରିଲୋପାଟଣା, ଜମପଡା, ମେହେନ୍ଦିନଗର, ବଛରାଇ, ବନ୍ଧକଟା, ଆଖୁଆଦକ୍ଷିଣୀ, ରାଘବପୁର, ପରକୁଳା ଆଦି ପଂଚାୟତର ତଳିଘେରା ଜଳିଯିବା ସହିତ କାଦୁଅ ଜମି ଫାଟି ଆଁ କରିବାର ନଜିର ରହିଛି। ଅଂଚଳବାସୀଙ୍କୁ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ମୌଳିକ ସୁବିଧାରୁ ଦୂରେଇ ରଖିଥିବା ଜନପ୍ରତିନିଧି, ବିଭାଗୀୟ ଉଚ୍ଚପଦାଧିକାରୀଙ୍କ ନିଦ କେବେ ଭାଙ୍ଗିବ ତାହା ସମୟ କହିବ।

ସମ୍ବନ୍ଧିତ ଖବର