ମାଲକାନଗିରିରୁ ଆରମ୍ଭ ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ୨୦ରେ ଆସିବେ ମୁଖ୍ୟମନ୍ତ୍ରୀ !

ମାଲକାନଗିରି: ମାଲକାନଗିରିରୁ ଆରମ୍ଭ ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଗସ୍ତକରି ଏହି ଯୋଜନାର ଶୁଭ ଉଦ୍‌ଘାଟନ କରିବେ। ଏହି ଯୋଜନାରେ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ଅନ୍ତର୍ଗତ ହିତାଧିକାରୀ ମାନେ ପାଇପାରିବେ ସ୍ବାସ୍ଥ୍ୟ ବୀମା। ଏଥିପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଦେଇଛି।

ମାଲକାନଗିରି ଜିଲ୍ଲାର ସଦର ମହକୁମା ବ୍ଲକରେ ବିଡିଓ ତହସିଲଦାର ଉପସ୍ଥିତ ରହି କିଭଳି ହିତାଧିକାରୀ ମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ ସେନେଇ ସମୀକ୍ଷା କରାଯାଉଛି। କେବଳ ମାଲକାନଗିରିରେ ନୁହେଁ ଜିଲ୍ଲାର ସମସ୍ତ ବ୍ଲକରେ ବ୍ଲକ ଅଧିକାରୀମାନେ ଏଭଳି ସମୀକ୍ଷା ଆରମ୍ଭ କରିଦେଇଛନ୍ତି। କୁହାଯାଉଛି ମୁଖ୍ୟମନ୍ତ୍ରୀ ମାଲାକନଗିରି ପହଞ୍ଚି ଦେଢ ଶହରୁ ଦୁଇଶହ ଲୋକଙ୍କୁ ନେଇ ଏହି ଯୋଜନାର ଶୁଭାରମ୍ଭ କରିବେ। ସମସ୍ତ ହିତାଧିକାରୀ ମାନଙ୍କର ପୂର୍ବରୁ କୋଭିଡ ଟେଷ୍ଟ କରାଯାଇ କୋଭିଡ ନିୟମ ଅନୁଯାୟୀ ସେହି ସମ୍ମିଳନୀ କରାଯିବ।  ଏପରି ଶୁଣାଯାଉଛି ଦୁଇଦିନ ପୂର୍ବରୁ ୮ଜଣ ମନ୍ତ୍ରୀ ଏବଂ ୧୦ଜଣ ବିଧାୟକଙ୍କ ସହ ବହୁ ବିଜେଡି ନେତା ମାଲକନାଗିରି ପହଞ୍ଚିବା ସହ ବ୍ଲକ ଓ ପଞ୍ଚାୟତ ସ୍ତରରେ ଅନେକ ସ୍ଥାନରେ ଏଭଳି ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ। ଏହି ନେତାମାନେ ବିଭିନ୍ନ ସ୍ଥାନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଡ ଗୁଡିକ ବଣ୍ଟନ କରିବେ। ଏପରି ମଧ୍ୟ କୁହାଯାଉଛି ଯେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ମାଲକାନଗିରିରୁ ଏକ ପ୍ରକାର ସରକାରୀ ଯୋଜନାର ପ୍ରଚାର ଆରମ୍ଭ କରାଯାଉଛି। ଆଜି ମାଲକାନଗିରି ବିଜେଡି ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ସ୍ବାଭିମାନ ଅଞ୍ଚଳ ଗସ୍ତକରି ବିଜେଡିର ଜୋନସ୍ତରୀୟ କମିଟି ଗଠନ କରି ବିଜେଡି ଦଳର ରଣନୀତି ପ୍ରସ୍ତୁତି କରିଥିବାର ଦେଖିବାକୁ ମିଳିଛି।

ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ଯୋଗ ଦେବାସହ ମୁଖ୍ୟମନ୍ତ୍ରୀ ଆସନ୍ତା ୨୦ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ଆଭାସ ଦେଇଥିଲେ। ତେବେ ଏନେଇ ପ୍ରଶାସନ ପକ୍ଷରୁ ବୈଠକ କରାଯାଇଥିଲେ ମଧ୍ୟ କୌଣସି ସରକାରୀ ଭାବେ ନୀତି ନିର୍ଘଣ୍ଟ କିମ୍ବା କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ। କେବଳ ପ୍ରଶାସନିକ ଅଧିକାରୀଙ୍କ ତତ୍ପରତା ଦେଖିବାକୁ ମିଳିଛି।

ତେବେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବରୁ ଏତେ ନେତା ମନ୍ତ୍ରୀ ପହଞ୍ଚିବା ରାଜନୀତି ପାଣିପାଗକୁ ସରଗରମ କରିଛି। ଗୋଟିଏ ପଟେ କୋଭିଡ ନିୟମ ଲାଗୁଥିବା ବେଳେ ଲୋକଙ୍କୁ ଏକତ୍ରୀତ କରିନପାରି ନେତା ମନ୍ତ୍ରୀମାନେ ଭାଗଭାଗ ହୋଇ ବିଭିନ୍ନ ବ୍ଲକ ପହଞ୍ଚୁଥିବା ଜଣାପଡିଛି। ତେବେ ଆଗାମୀ ଦିନରେ ପ୍ରଶାସନର କାର୍ଯ୍ୟସୁଚୀ ଓ କେଉଁ ମନ୍ତ୍ରୀ ବିଧାୟକ ଓ କେତେ ସଂଖ୍ୟକ ନେତା ଆସୁଛନ୍ତି ତାହା ସ୍ପଷ୍ଟ ହେବା ପରେ ପ୍ରକୃତ କଣ ରହିଛି ଆଭିମୁଖ୍ୟ କିମ୍ବା ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିବ କି ନାହିଁ ତାହା ଜଣାପଡିବ।

ସମ୍ବନ୍ଧିତ ଖବର