ଭିଜିଲାନ୍ସ ଜାଲରେ ଜନସଂପର୍କ ବିଭାଗ କିରାଣି: ନିଜ କାର୍ଯ୍ୟାଳୟ କର୍ମଚାରୀଙ୍କଠାରୁ ଲାଞ୍ଚ ନେଲାବେଳେ ଧରା ପଡ଼ିଲେ

ସମ୍ବଲପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ କିରାଣି ଶିବରାମ ମହାରଣା (୫୯) ୧୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। କୋର୍ଟ ଚାଲାଣ ପରେ ଶିବଙ୍କୁ ଜେଲ ପଠାଇ ଦିଆଯାଇଥିବା ଭିଜିଲାନ୍ସ ଏସପି ସୁବାସ ସ୍ବାଇଁ କହିଛନ୍ତି। ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଶିବଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। ନିଜ କାର୍ଯ୍ୟାଳୟର ନିଲମ୍ବିତ ହୋଇଥିବା ଜଣେ କର୍ମଚାରୀଙ୍କ ନିଲମ୍ବନ ଭତ୍ତାର ବିଲିଂ କରାଇ ଦେବା ପାଇଁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା।

ସୂଚନା ଅନୁଯାୟୀ, ମାର୍ଚ ମାସରେ ସମ୍ବଲପୁର ଡିଆଇପିଆରଓ ହେମନ୍ତ ନାଏକଙ୍କୁ ଧମକ ମାମଲାରେ ଡିଆଇପିଆରଓଙ୍କ ଡ୍ରାଇଭର୍‌ ଦେବାନନ୍ଦ ରନବିଡ଼ାଙ୍କ ସମେତ ୩ ଜଣଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା ପୁଲିସ। ଏହାପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିଲମ୍ବିତ କରାଯାଇ ଥିଲା। ଶ୍ରୀ ରଣବିଡ଼ା କିଛି ମାସ ପୂର୍ବରୁ ଜାମିନ ପାଇ ଆସିଛନ୍ତି। ତାଙ୍କର ମେ ମାସର ନିଲମ୍ବନ ସମୟର ଭତ୍ତାର ବିଲ ପ୍ରସ୍ତୁତ ପାଇଁ ଦେବାନନ୍ଦ ଅନେକ ଦିନ ହେଲା ଡିଆଇପିଆରଓ କାର୍ଯ୍ୟାଳୟର ଡିଲିଂ ଆସିଷ୍ଟାଣ୍ଟ ଶିବରାମ ମହାରଣାଙ୍କୁ ଅନୁରୋଧ କରୁଥିଲେ।

ରାମ କିନ୍ତୁ ଏଥିପାଇଁ ଲାଞ୍ଚ ମାଗୁଥିବା ନେଇ ନିଲମ୍ବିତ ଚାଳକ ଦେବାନନ୍ଦ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍‌ସ ପକ୍ଷରୁ ଜାଲ ବିଛା ଯାଇଥିଲା। ମଙ୍ଗଳବାର ଦିନ ୧୧ଟା ୩୦ ବେଳେ ଶ୍ରୀ ମହାରଣା ଡ୍ରାଇଭର୍‌ ଶ୍ରୀ ରଣବିଡ଼ାଙ୍କଠାରୁ କେମିକାଲ୍‌ ବୋଳା ୩ଟି ୫୦୦ ଟଙ୍କିଆ ନୋଟ୍‌ ଲାଞ୍ଚ ନେଉଥିଲାବେଳେ ଛକି ରହିଥିବା ଭିଜିଲାନ୍‌ସ ଅଧିକାରୀମାନେ ତାଙ୍କୁ କାବୁ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ଉଲ୍ଲେଖଯୋଗ୍ୟ, ୨ ମାସ ତଲେ ସମ୍ବଲପୁର ମହାନଗର ନିଗମର ଜଣେ କର୍ମଚାରୀ ମଧ୍ୟ ଲାଞ୍ଚ ନେ‌ଲାବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଥିଲେ।

ସମ୍ବନ୍ଧିତ ଖବର