ବନ୍ଦ ହୋଇ ପଡ଼ିଛି ପ୍ଲାନେଟୋରିୟମ୍‌; ପାଣିରେ ପଡ଼ିଲା ୫୫ ଲକ୍ଷ ଟଙ୍କା

ରାୟଗଡ଼ା: ବିଜ୍ଞାନ ପ୍ରତି ରୁଚି ବଢ଼ାଇବା ସହ ଗ୍ରହ, ନକ୍ଷତ୍ର ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ୫୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ତିଆରି ହୋଇଥିଲା ପ୍ଲାନେଟୋରିୟମ୍‌। ତେବେ ୨ ବର୍ଷ ହେଲା ପ୍ଲାନେଟୋରିୟମ୍‌ ତାଲା ଖୋଲୁ ନଥିବା ବେଳେ ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ଶିକ୍ଷା ବିଭାଗର ଆନ୍ତରିକତା ନାହିଁ। ପୌର ପରିଷଦ ହାତରେ ପରିଚାଳନା ଦାୟିତ୍ୱ ଧରାଇ ଦେଇ ସଭିଁଏ ଚୁପ୍‌ ବସିଥିବାରୁ ସରକାରଙ୍କ ୫୫ ଲକ୍ଷ ଟଙ୍କା ପାଣିରେ ପଡ଼ିବାକୁ ଯାଉଛି।

ଜିଲ୍ଲା ପ୍ରଶାସନର ପ୍ରସ୍ତାବ ମୁତାବକ ରାୟଗଡ଼ାରେ ମୋବାଇଲ୍‌ ପ୍ଲାନେଟୋରିୟମ୍‌ ଖୋଲିବାକୁ ସହମତି ପ୍ରକାଶ କରିଥିଲା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ। ବିଭାଗ ପକ୍ଷରୁ ପ୍ଲାନେଟୋରିୟମ୍‌ ନିର୍ମାଣ ପାଇଁ ସମସ୍ତ ପ୍ରକାର ସରଞ୍ଜାମ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ପ୍ଲାନେଟୋରିୟମ୍‌ କାର୍ଯ୍ୟକାରୀ କରିବାକୁ ସ୍ୱତନ୍ତ୍ର ବିଲଡିଂ ବଦଳରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ଏକ ଗୃହକୁ ପୁନଃ ମରାମତି କରା ଯାଇଥିଲା। ମରାମତି ବାବଦକୁ ଖର୍ଚ୍ଚ ହେଲା ୧୦ ଲକ୍ଷ ଟଙ୍କା।

୨୦୧୭ ଅଗଷ୍ଟ ୧୯ ତାରିଖରେ ପ୍ଲାନେଟୋରିୟମର ଉଦଘାଟନ ହୋଇଥିଲା। ୨୫ ଆସନ ବିଶିଷ୍ଟ ପ୍ଲାନେଟୋରିୟମ୍‌ ରୁମ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ସହ ଥିଏଟର୍‌ ସାଉଣ୍ଡ୍‌ ସିଷ୍ଟମ ଏବଂ ଗ୍ରହ, ନକ୍ଷତ୍ର ସଂପର୍କରେ ଜ୍ଞାନ ଆରୋହଣ ପାଇଁ ପ୍ରୋଜେକ୍ଟର ଓ ସ୍କ୍ରିନ୍‌ ଲାଗିଛି। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ଢ଼ାଞ୍ଚାରେ ଏଠାରେ ଗ୍ରହ, ଉପଗ୍ରହ, ନକ୍ଷତ୍ର ଓ ଆକାଶ ବିଜ୍ଞାନ ସଂପର୍କରେ ଅବଗତ କରିବାକୁ ଯୋଜନା ହୋଇଛି।

୨୮ ଓ ୩୦ ମିନିଟ୍‌ ସମୟର ଦୁଇଟି ଭିଡ଼ିଓକୁ କମ୍ପ୍ୟୁଟର ହାର୍ଡଡିସ୍କରେ ଲୋଡ୍‌ କରାଯାଇ ପ୍ରୋଜେକ୍ଟର ମାଧ୍ୟମରେ ଆକାଶ ବିଜ୍ଞାନ ସଂପର୍କରେ ବହୁ ରୋଚକ ତଥ୍ୟ ପ୍ରଦର୍ଶିତ କରାଯାଉଥିଲା। ଦିନକୁ ୭ଟି ସୋ’ ପ୍ରଦର୍ଶିତ ପାଇଁ ଏଜେଣ୍ଡା ହୋଇଛି। ଓଡ଼ିଆ, ହିନ୍ଦୀ, ଇଂରାଜୀ ଭାଷାରେ ସକାଳ ସାଢ଼େ ୧୦ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ପ୍ଲାନେଟୋରିୟମ୍‌ ଚାଲିବାକୁ ବାହାର ନୋଟିସ୍‌ ବୋର୍ଡରେ ଉଲ୍ଲେଖ ଅଛି। ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ସୋ’ ପିଛା ୧୦ ଟଙ୍କା ଓ ଅନ୍ୟ
ଛାତ୍ରଛାତ୍ରୀ, ସାଧାରଣ ଲୋକଙ୍କ ପାଇଁ ସୋ’ ଟିକେଟ୍‌ ୨୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ମଧ୍ୟାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା କେବଳ ମହିଳାଙ୍କ ପାଇଁ ସୋ’ ଚଲାଇବାକୁ ନିଷ୍ପତ୍ତି ହୋଇଥିଲା।

ଉଦଘାଟନ ପରେ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଠିକଠାକ ଚାଲିଥିବା ମୋବାଇଲ୍‌ ପ୍ଲାନେଟୋରିୟମ୍‌ ୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ଆଉ ଗୋଟିଏ ବି ସୋ’ ପ୍ରଦର୍ଶିତ କରି ନାହିଁ। ଦେଢ଼ ବର୍ଷର ବ୍ୟବଧାନ ପରେ ୨୦୨୦ ଫେବ୍ରୁଆରି ୫ ତାରିଖରେ ଶେଷ ଥର ପାଇଁ ସୋ’ ଚାଲିଥିଲା। ଟିକେଟ୍‌ ବାବଦକୁ ଆଦାୟ ହୋଇଥିଲା ୩୦୦ଟଙ୍କା। ଏପରି ଭାବେ ଗତ ୩ ବର୍ଷରେ ପ୍ଲାନେଟୋରିୟମ୍‌ ସୋ’ ଟିକେଟ ବାବଦକୁ ଆଦାୟ ହୋଇଛି ମାତ୍ର ୯୪୩୦ଟଙ୍କା।

ଆଶ୍ଚର୍ଯ୍ୟର କଥା ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପ୍ଲାନେଟୋରିୟମର ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଶାସନ ପକ୍ଷରୁ କାହାକୁ ନିଯୁକ୍ତି ଦିଆଯାଇନାହିଁ। ପୌର ପରିଷଦର ବିଦ୍ୟୁତ ବିଭାଗ କର୍ମଚାରୀ ଆର୍‌. ହରିନାଥଙ୍କୁ ସୋ’ ଚଲାଇବା ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ରାତ୍ରି ଜଗୁଆଳି ପ୍ଲାନେଟୋରିୟମ୍‌ ଜଗୁଛନ୍ତି।

ଜିଲ୍ଲା ପ୍ରଶାସନ-ଶିକ୍ଷା ବିଭାଗ ମଧ୍ୟରେ ସମନ୍ଵୟ ଅଭାବରୁ ବିଜ୍ଞାନ ପ୍ରତି ରୁଚି ରଖିଥିବା ଛାତ୍ରଛାତ୍ରୀ ସୋ’ ଦେଖିବାରୁ ବଞ୍ଚିତ ହେବା ସହିତ ସହଜରେ ଆକାଶ ବିଜ୍ଞାନ ସଂପର୍କରେ ଜାଣିବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ପ୍ରତିବର୍ଷ ସ୍କୁଲସ୍ତରରେ ଶିକ୍ଷା ବିଭାଗ ବିଜ୍ଞାନ ମେଳା ଆୟୋଜନ କରି ଏହା ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅଥଚ ପିଲାଙ୍କୁ ପ୍ଲାନେଟୋରିୟମ୍‌ ଆଣିବାକୁ ଭୁଲି ଯାଉଛନ୍ତି। ଯେଉଁଥି ପାଇଁ ପ୍ଲାନେଟୋରିୟମ୍‌ ଲକ୍ଷ୍ୟ ବାଟବଣା ହେବା ସହ ସରକାରଙ୍କ ମାଲ୍‌ ଦରିଆ ମେଁ ଡାଲ୍‌ ନୀତିରେ ୫୫ ଲକ୍ଷ ଟଙ୍କା ପାଣିରେ ପଡ଼ିବା ସଦୃଶ୍ୟ ହୋଇଛି।

ସମ୍ବନ୍ଧିତ ଖବର