ଦେଖନ୍ତୁ ମଣିଷ ମା’ର ମୃତ୍ୟୁ ପରେ ମଶାଣି ନ ଛାଡ଼ିବାକୁ କେମିତି ବାଟ ଜଗିଛନ୍ତି କୁକୁର !

ସମ୍ବଲପୁର: ତାଙ୍କର କେହି ନଥିଲେ..ନା ପରିବାର, ନା ସମ୍ପର୍କୀୟ । ଏକାନ୍ତ ଜୀବନରେ ଶୂନ୍ୟତା ହିଁ ଥିଲା ସବୁକିଛି । କିନ୍ତୁ ଏ କୁକୁରମାନେ ହିଁ ତାଙ୍କ ଜୀବନକୁ କରିଥିଲେ ରଙ୍ଗିନ । ନିଜେ ମାଗିଯାଚି ଖାଉଥିଲେ ବି ପେଟରୁ କାଟି କୁକୁରଙ୍କୁ ଖୁଆଉଥିଲେ । ଆଉ ଅପରିଚିତା ମହିଳାଙ୍କ ଆତ୍ମୀୟତା ଭିତରେ ମଣିଷଠୁ ମମତା ପାଉଥିଲେ କୁକୁର । ସେଇଥିପାଇଁ ତ ମହିଳାଙ୍କ ମୃତ୍ୟୁ ପରେ ତାଙ୍କୁ ମଶାଣି ନଛାଡିବାକୁ ମାଟିରେ ଗୋଡ କଚାଡି ମନା କରୁଛନ୍ତି ଏ କୁକୁରମାନେ । ଶବ ପାଖରେ ନିଜ ସ୍ନେହୀ ମା’କୁ ହରାଇ କାନ୍ଦୁଛନ୍ତି କୁକୁରମାନେ..

ତେବେ ସମ୍ବଲପୁର ବୁର୍ଲା ନେତାଜୀ କ୍ଲବରେ ରହୁଥିଲେ ଜଣେ ଅପରିତା ମହିଳା । ୨୦-୨୫ ବର୍ଷ ହେବ ଉକ୍ତ କ୍ଲବରେ କାମଧନ୍ଦା କରି ଆସୁଥିବା ମହିଳାଙ୍କୁ ସେହି କ୍ଲବର ଯୁବକମାନେ ଯାହା ଦିଅନ୍ତି ତାକୁ ଖାଇ ସେହି କ୍ଲବରେ ରହନ୍ତି ସେ । ତେବେ ପରହାତ ପତାରେ ପେଟକୁ ଗଣ୍ଡେ ଦାନା ପାଉଥିବା ଏ ମହିଳା ନିଜ ଖାଦ୍ୟରୁ କୁକୁରଙ୍କୁ ଖାଇବାକୁ ଦିଅନ୍ତି ।

ଏମିତି କି ରାତିରେ ମହିଳାଙ୍କ ପାଖରେ କୁକୁରମାନେ ବି ଶୁଅନ୍ତି । ମଣିଷ-କୁକୁରଙ୍କ ଏ ପ୍ରେମ କାହାଣୀ ସେତେବେଳେ ସମାଜ ଦେଖିଛି ଯେତେବେଳେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି ଆଉ ତାଙ୍କୁ ନେତାଜୀ କ୍ଲବର ଯୁବକମାନେ ମଶାଣି ନେଉଛନ୍ତି ସେତେବେଳେ ମହିଳାଙ୍କ ଶବଗାଡିକୁ ଛାଡିବାକୁ ନାରାଜ କୁକୁରମାନେ । ଯାହା ଏ ଚିତ୍ର ହିଁ ବୟାନ କରୁଛି ।

ଏମିତି ଲାଗୁଛି ସତେ କି କୁକୁରମାନେ ଶେଷନିଦ୍ରାରେ ଶୋଇଥିବା ମହିଳାଙ୍କୁ ମାଟିରେ ଗୋଡ କଚାଡି କଚାଡି ଉଠ ଉଠ ବୋଲି କହୁଛନ୍ତି ।

ଏତିକିରେ ସରି ନ ଥିଲା ମଣିଷ-କୁକୁରର ସ୍ନେହ ମମତାର ସମ୍ପର୍କ । ମଶାଣିରୁ ସିନା କୁକୁରମାନେ ନିରାଶ ହୋଇ ଫେରିଲେ, କାଳେ ସେ ରହୁଥିବା କ୍ଲବରେ ତାଙ୍କ ମଣିଷ ମାଆ ଥିବ ସେଇ ଆଶାରେ କ୍ଲବ ଆଗରେ ଘୁରି ବୁଲୁଛନ୍ତି କୁକୁର । ଆଉ କୁକୁରଙ୍କ ଏ ଦୁଃଖ ଦେଖି ନ ପାରି ଖାଇବାକୁ ଦେଇଛନ୍ତି କ୍ଲବର ପିଲାମାନେ ।

ତେବେ ପଶୁ କେମିତି ମଣିଷର ସ୍ନେହରେ ବାନ୍ଧି ହୋଇ, ମୃତ୍ୟୁ ପରେ ମାଆ ଛେଉଣ୍ଡ ହୋଇଯାଏ ତାହା ସମ୍ବଲପୁରରୁ ଆସିଥିବା ଏହି ଘଟଣାରୁ ଜାଣି ହେଉଛି ।

ସମ୍ବନ୍ଧିତ ଖବର