ସମ୍ବଲପୁର: ବ୍ୟବସାୟୀଙ୍କୁ ଭୟଭୀତ କରି ୧ ଲକ୍ଷ ଟଙ୍କା ଲୁଟିନେଲେ କନ୍‌ଷ୍ଟେବଲ

ସମ୍ବଲପୁର: ପୁଣି ଖାକିରେ କଳଙ୍କ। ଛତିଶଗଡ଼ର ଜଣେ ବ୍ୟବସାୟୀଙ୍କୁ ଭୟଭୀତ କରି ଜଣେ ପୁଲିସ୍‌ କନେଷ୍ଟବଳ ତାଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଧନୁପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରିଜର୍ଭ ପୁଲିସ୍‌ କନେଷ୍ଟବଳ ଲୋକନାଥ ବେହେରା(୩୦)କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ ଚନ୍ଦ୍ରପୁରର ଚାଉଳ ବ୍ୟବସାୟୀ ପ୍ରକାଶ ଅଗ୍ରୱାଲ ଶନିବାର ୮ ଲକ୍ଷ ୮୦ ହଜାର ଟଙ୍କା ନେଇ ଚାଉଳ କିଣିବାକୁ ସମ୍ବଲପୁର ଆସିଥିଲେ। କୌଣସି କାରଣବଶତଃ ଚାଉଳ ତାଙ୍କର ପସନ୍ଦ ନହେବାରୁ ସେ ଟଙ୍କା ଡିପୋଜିଟ କରିବାକୁ ଆହ୍ଲାବାଦ ବ୍ୟାଙ୍କକୁ ଯାଇଥିଲେ କିନ୍ତୁ ଶନିବାର ଥିବାରୁ ଏତେ ଟଙ୍କା ଜମା ହେବନି କହି ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଗୋଲବଜାର ଶାଖାକୁ ପଠାଇ ଦେଇଥିଲେ। ସେଠାରେ ପହଞ୍ଚିବା ପରେ ୫୦ ହଜାର ଟଙ୍କାରୁ ଅଧିକ ଜମାରେ ପାନ୍‌ କାର୍ଡ ଜରୁରୀ ହେବ ବୋଲି ବ୍ୟାଙ୍କ କର୍ମଚାରୀ କହିଥିଲେ।

ପ୍ରକାଶ ଅଗ୍ରୱାଲ ପାନ୍‌ କାର୍ଡ ଦେଖାଇବା ପରେ ମଧ୍ୟ ଟଙ୍କା ଜମା ନେଇ ବ୍ୟାଙ୍କ କର୍ମଚାରୀ ଅନିଚ୍ଛା ପ୍ରକାଶ କରିଥିଲେ। ଫଳରେ ବ୍ୟାଙ୍କ କର୍ମଚାରୀ ଓ ଅଗ୍ରୱାଲଙ୍କ ମଧ୍ୟରେ ବଚସା ହେଲା ଓ ବ୍ୟାଙ୍କ କଥା ବୁଝୁଥିବା ରିଜର୍ଭ ପୁଲିସ୍‌ ଲୋକନାଥ ବେହେରାକୁ ଡକାଯାଇଥିଲା। ଅଭିଯୁକ୍ତ ବେହେରା ଶ୍ରୀ ଅଗ୍ରୱାଲଙ୍କୁ ବାହାରକୁ ଡ଼ାକି ପ୍ରଥମେ ଟଙ୍କା ମାଗିଥିଲା କିନ୍ତୁ ଶ୍ରୀ ଅଗ୍ରୱାଲ ମନା କରିବା ପରେ ଏହାକୁ ବ୍ଲାକ୍‌ ମନି କହି ସିଜ୍‌ କରାଇଦେବି ବୋଲି ଧମକ ଦେଇ ଏକ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲା। ଏନେଇ ଶ୍ରୀ ଅଗ୍ରୱାଲ ଆସି ଧନୁପାଲିରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପରେ ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରିଛି।

 

ସମ୍ବନ୍ଧିତ ଖବର