ରାଉରକେଲାରୁ କଣ୍ଟେନମେଣ୍ଟ ଜୋନ୍ ଉଚ୍ଛେଦ

ରାଉରକେଲା: ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଂଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ୍ ଭାବେ ଗତ ମାସ ୨୬ ତାରିଖରେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲଗାଯାଇଥିଲା। ପୂର୍ବରୁ କିଛି ଅଂଚଳରୁ କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର ହୋଇଯାଇଥିବା ବେଳେ ଆଜି ବଳକା ଅଂଚଳରୁ ବି କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର କରାଯାଇଛି। ସମ୍ପୃକ୍ତ ଅଂଚଳରୁ କୌଣସି ନୂଆ ପଜିଟିଭ କେଶ ବାହାରି ନ ଥିବାରୁ ଏବଂ ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।

ରାଉରକେଲା ମହାନଗର ନିଗମ ପକ୍ଷରୁ ଏ ସମ୍ପର୍କିତ ଏକ ଆଦେଶନାମା ପ୍ରକାଶିତ ହୋଇଛି। ଦୀର୍ଘ ୧ ମାସରୁ ଅଧିକ ସମୟ ଧରି ସମ୍ପୃକ୍ତ ଅଂଚଳର ଲୋକେ ପ୍ରଶାସନକୁ ସହଯୋଗ କରିଛନ୍ତି। ପ୍ରଶାସନ ବି ସବୁବେଳେ ଲୋକଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ନେଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ହେଉ ଅବା ସ୍ୱାସ୍ଥ୍ୟ ସେବା କିମ୍ବା ସମ୍ପୃକ୍ତ ଅଂଚଳରେ ଫସି ରହିଥିବା ଅତ୍ୟାବଶକୀୟ ଜିନିଷ ପତ୍ର ସେଠାରୁ ବାହାର କରିବା ହେଉ ସବୁ କ୍ଷେତ୍ରରେ ମହାନଗର ନିଗମ ପ୍ରଶାସନ ଏକ ପ୍ରକୃତ ବନ୍ଧୁ ଭଳି ଲୋକଙ୍କ ସହ ଛିଡା ହୋଇଛି।

ବିଭିନ୍ନ ସମସ୍ୟାର ସମାଧାନ ଲାଗି ଅହରହ ଚେଷ୍ଟା କରିଛି। ଆଗାମୀ ଦିନରେ ବି ମହାନଗର ନିଗମ ପ୍ରଶାସନ ଲୋକଙ୍କ ସହ ମିଶି ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିବାକୁ ବଦ୍ଧପରିକର। ସାନିଟାଇଜେସନ୍ ଠାରୁ ଆରମ୍ଭ କରି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ, ଏସବୁ କାର୍ଯ୍ୟରେ କର୍ମଚାରୀମାନଙ୍କ ନିଷ୍ଠାପର ସେବାକୁ ଲୋକଙ୍କ ସ୍ୱୀକୃତି ମିଳିଛି। ଲୋକଙ୍କ ସହଯୋଗ ମିଳିଲେ କରୋନା ନିଶ୍ଚିତ ଭାବେ ହାରିବ ଓ ଆମ ରାଉରକେଲା ବିଜୟୀ ହେବ ବୋଲି କମିଶନର  ଦିବ୍ୟଜ୍ୟୋତି ପରିଡା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର