ଗଞ୍ଜେଇ ଲିଙ୍କ୍‌! ଛେଣ୍ଡିପଦାରେ ରାଜସ୍ଥାନ ପୁଲିସ, ସାପୁଆନାଳିର ଗାଡ଼ି ଡ୍ରାଇଭର ଖୋଜା ପଡ଼ିଛି

ଡ୍ରାଇଭର ଏବେ ଫାର୍ମ ହାଉସ୍‌ ମାଲିକ, ଗାଁର ସହଯୋଗୀ ଛନକା

ଛେଣ୍ଡିପଦା: କିଛି ବର୍ଷ ତଳେ ଛେଣ୍ଡିପଦା ଆସିଥିଲା ଉତ୍ତରପ୍ରଦ‌େଶ ଏବଂ ଦିଲ୍ଲୀ ପୁଲିସ। ଗଞ୍ଜେଇ ଲିଙ୍କ୍‌ର ଖୋଳତାଡ଼ କରିଥିଲା। ଏମିତି କିଛି ଘଟଣାର ଖୋଳତାଡ଼ କରିବା ପାଇଁ ଛେଣ୍ଡିପଦାକୁ ଆସିଛି ସୁଦୂର ରାଜସ୍ଥାନ ପୁଲିସ। ଛେଣ୍ଡିପଦା ଥାନା ସାପୁଇନାଳି ଗାଁରେ ରାଜସ୍ଥାନର ଦୁଇ ଜଣିଆ ପୁଲିସ ଟିମ୍‌ ସ୍ଥାନୀୟ ପୁଲିସ ସହାୟତାରେ ଘଣ୍ଟାଚକଟା ଆରମ୍ଭ କରିଛି। ଗାଁର ଜଣେ ଡ୍ରାଇଭରଙ୍କୁ ପୁଲିସ ଖୋଜୁଥିବା ବେଳେ ସମ୍ପୃକ୍ତ ଯୁବକ ଜଣକ ଫେରାର୍‌ ହୋଇ ଯାଇଥିବା କୁହାଯାଉଛି। କେଉଁ ଘଟଣାରେ ସମ୍ପୃକ୍ତ ଡ୍ରାଇଭରକୁ ଖୋଜା ଯାଉଛି, ସେନେଇ ପୁଲିସ ଯଦିଓ ମୁହଁ ଖୋଲୁ ନାହିଁ, ତଥାପି ଏହା ପଛର କାରଣ ଗଞ୍ଜେଇ ମାମଲା ବୋଲି ସ୍ଥାନୀୟ ଅଞ୍ଚଳରେ ଜୋର୍‌ ଚର୍ଚ୍ଚା ଆରମ୍ଭ ହୋଇଛି। କେବଳ ସମ୍ପୃକ୍ତ ଯୁବକ ନୁହେଁ, ରାଜସ୍ଥାନ ପୁଲିସ ଛାନ୍‌ଭିନ୍‌ରେ ସ୍ଥାନୀୟ ଲୋକଙ୍କ ମନରେ ବି ଛନକା ପଶିଛି। ବିଭିନ୍ନ କାରବାର ସମୟରେ ସମ୍ପୃକ୍ତ ଯୁବକ ସ୍ଥାନୀୟ କିଛି ଲୋକଙ୍କ ଏକାଉଣ୍ଟ୍‌ ଜରିଆରେ ଟଙ୍କା ଉଠାଣ କରିଥିବା ବେଳେ ଏ ମାମଲାରେ ସେମାନେ ଟଣା ହେବା ନେଇ ଲୋକେ ଆତଙ୍କିତ ହୋଇଛନ୍ତି।

ଏ ମାମଲା ପଛର କାରଣ ଗଞ୍ଜେଇ ଲିଙ୍କ୍‌ ବୋଲି କୁହାଯାଉଛି। ବେଶି ଦିନ ନୁହେଁ, କିଛି ବର୍ଷ ତଳେ ସମ୍ପୃକ୍ତ ଯୁବକ ଜଣକ ଗାଡ଼ି ଚାଳକ ଭାବେ କାମ କରି ଜୀବିକା ନିର୍ବାହ କରୁଥିଲେ। ହଠାତ୍‌, କେଇଟା ବର୍ଷ ମଧ୍ୟରେ ମାଲାମାଲ୍ ହୋଇଥିଲେ। ଗାଁରେ ଦୁଇ ଦୁଇଟା ବିଲ୍ଡ଼ିଂ ତୋଳିବା ସହିତ ଏକ ଫାର୍ମ ହାଉସ୍‌ ତିଆରି କରିବା ଘଟଣା ଲୋକଙ୍କୁ ଚକିତ କରିଥିଲା। ରାତାରାତି କେମିତି ଜଣେ ଡ୍ରାଇଭର ଏତେ ବଡ଼ ଧନ ସମ୍ପତ୍ତିର ମାଲିକ ହେଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ପୂର୍ବରୁ ତାଙ୍କ ନାଁରେ ଦୁଇଟି ଗଞ୍ଜେଇ କେସ୍‌ ରହିଛି। ଏହି ଗଞ୍ଜେଇ ଲିଙ୍କ୍‌ରେ ରାଜସ୍ଥାନ ପୁଲିସ ତାଙ୍କୁ ଖୋଜୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

କେବଳ ସାପୁଆନାଳିର ଏହି ଯୁବକ ନୁହଁନ୍ତି, ହଣ୍ଡପା ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ମଧ୍ୟ ରାଜସ୍ଥାନ ପୁଲିସ ଅଟକ ରଖି ପଚରା ଉଚରା କରିଥିବା ଜଣାପଡ଼ିଛି। ରାଜସ୍ଥାନର ଜଣେ କୁଖ୍ୟାତ ଗଞ୍ଜେଇ ବେପାରି ସହିତ ଏମାନଙ୍କର ସମ୍ପୃକ୍ତି ଥିବା କୁହାଯାଉଛି। ମୋବାଇଲ୍ ଟ୍ରାକରୁ ଏମାନଙ୍କ ସୂଚନା ପାଇ ରାଜସ୍ଥାନ ପୁଲିସ ଅନୁଗୁଳ ଜିଲ୍ଲାକୁ ଆସି ଘଣ୍ଟାଚକଟା କରୁଥିବା ଜଣାପଡ଼ିଛି। କିଛି ସ୍ଥାନୀୟ ଲୋକଙ୍କ ଏକାଉଣ୍ଟ୍‌ରେ ସାପୁଆନାଳିର ଯୁବକ ଟଙ୍କା କାରବାର କରିଥିବା ବେଳେ ପୁଲିସ ତଦନ୍ତରେ ଏହି ବ୍ୟାଙ୍କ୍‌ ଏକାଉଣ୍ଟଧାରୀ ଫସିବା ଆଶଙ୍କାରେ ଭୟଭୀତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଅନୁଗୁଳ ଏସ୍‌ପି ଜଗମୋହନ ମୀନା କିଛି କହିବାକୁ ମନା କରି ଦେଇଛନ୍ତି। ଘଟଣାର ବର୍ତ୍ତମାନ ଖୋଳତାଡ଼ ଚାଲିଛି। ପୂରା ଘଟଣା ପଦାକୁ ଆସିଲା ପରେ ଜଣାଇ ଦିଆଯିବ ବୋଲି ଏସପି ଶ୍ରୀ ମୀନା ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର