ଷଷ୍ଠ ବାଟାଲିୟନ୍‌ କ୍ବାର୍ଟର‌୍‌ ଉଚ୍ଛେଦ, ବସ୍ତିବାସିନ୍ଦାଙ୍କୁ ଥଇଥାନ ପ୍ରସ˚ଗ

କୋର୍ଟର ଦ୍ବାରସ୍ଥ ହେବ ମଞ୍ଚ; ରାଜରାସ୍ତା ବନ୍ଦ୍‌ ଚେତାବନୀ; ଦସ୍ତଖତ ସଂଗ୍ରହ ଅଭିଯାନ; ପ୍ରଥମ ଦିନରେ ୨ ହଜାର ଲୋକ ଦେଲେ ସ୍ବାକ୍ଷର

କଟକ/ମହାନଦୀବିହାର: ଓଏମପି ଷଷ୍ଠ ବାଟାଲିୟନର ଦ୍ବିତୀୟ କ୍ୟାମ୍ପସ୍‌ ଉଚ୍ଛେଦ ଏବଂ ସେହି ସ୍ଥାନରେ ବସ୍ତିବାସିନ୍ଦାଙ୍କୁ ଥଇଥାନ ଯୋଜନାକୁ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ପ୍ରଶାସନର ଏହି ନିଷ୍ପତ୍ତି ବିରୋଧରେ ଲଢ଼ିବାକୁ ସାମନାକୁ ଆସିଛି ନାଗରିକ ସୁରକ୍ଷା ମଞ୍ଚ। ଆଜି ଚାଉଳିଆଗଞ୍ଜ କୁଞ୍ଜବିହାରୀ ମଠରେ ଏକ ବୈଠକ ଆୟୋଜନ କରାଯାଇ ଆଗାମୀ କାର୍ଯ୍ୟ ପନ୍ଥା ସ୍ଥିର କରାଯାଇଛି। ସରକାର ଦାବି ନଶୁଣିଲେ ଆଗାମୀ ଦିନରେ ରାଜରାସ୍ତା ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି। ଏହାସହିତ ସାହି ସାହିରେ ଆଜିଠାରୁ ଉଚ୍ଛେଦ ପ୍ରକ୍ରିୟା ବିରୋଧରେ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆସନ୍ତା ଶନିବାର କିମ୍ବା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବା ନେଇ ମଞ୍ଚ ପକ୍ଷରୁ ଯୋଜନା କରାଯାଉଛି।
ଓଏମପି ଷଷ୍ଠ ବାଟାଲିୟନର ଦ୍ବିତୀୟ କ୍ୟାମ୍ପସ୍‌ରେ ଥିବା ୧୫୬ କ୍ବାର୍ଟର‌୍‌ ଉଚ୍ଛେଦ ଘୋଷଣା ଓ ସେଠାରେ ବସ୍ତିବାସିନ୍ଦାଙ୍କୁ ଥଇଥାନ ଯୋଜନା ଜଣା ପଡିବା ପରେ ପରିସ୍ଥିତି ଦିନକୁ ଦିନ ବିବାଦୀୟ ହୋଇଉଠିଛି।

କ୍ବାର୍ଟର‌୍‌ ବାସିନ୍ଦା ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ରାଜରାସ୍ତା ବନ୍ଦ କରିବା ସହିତ ଗେଟ୍‌ରେ ତାଲା ପକାଇଥିବା ବେଳେ ଏବେ ଚାଉଳିଆଗଞ୍ଜ ନାଗରିକ ସୁରକ୍ଷା ମଞ୍ଚ ପ୍ରତିବାଦର ମଙ୍ଗ ଧରିଛି। ଆଜି ମଞ୍ଚ ପକ୍ଷରୁ ଆୟୋଜିତ ପ୍ରଥମ ବୈଠକରେ ଅଭିଯୋଗ ହୋଇଛି ଯେ ସରକାରଙ୍କ ଏଭଳି ନିଷ୍ପତ୍ତିରେ ସହରବାସୀଙ୍କ ମତାମତକୁ ସମ୍ପୂର୍ଣ୍ଣ ଭାବେ ଉପେକ୍ଷା କରାଯାଇଛି। ଏଭଳି ନିଷ୍ପତ୍ତି ଜଳଯୋଗାଣ, ବିଦ୍ୟୁତ ସ˚ଯୋଗୀକରଣ ଇତ୍ୟାଦି ଉପରେ ଯେଉଁ ପ୍ରଭାବ ପକାଇବ ତାହା ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଭାବିତ କରିବ। ଭବିଷ୍ୟତରେ ଏହି ନବନିର୍ମିତ ଗୃହର ଥଇଥାନ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ବ୍ୟବହାର କରି ରାଜନୈତିକ ଉଦ୍ଦେଶ୍ୟ ପୂରଣ କରାଯିବ। ତେଣୁ ଏଭଳି ନିଷ୍ପତ୍ତି କୌଣସି ପରିସ୍ଥିତିରେ କାର୍ଯ୍ୟକାରୀ ହେବାକୁ ଦିଆଯିବ ନାହିଁ। ଏହି ବସ୍ତିବାସିନ୍ଦାଙ୍କୁ ସହର ଉପକଣ୍ଠ ଗୋପାଳପୁରଠାରେ ବସଷ୍ଟାଣ୍ତ ପାଇଁ ଉଦ୍ଦିଷ୍ଟ ୭୪ ଏକର ଜମିରେ ଥଇଥାନ କରାଯିବାକୁ ମଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଆଜିଠାରୁ ଦସ୍ତଖତ ସ˚ଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଚାଉଳିଆଗଞ୍ଜର ଥଟ୍ଟାରିସାହି, ମଠ ସାହି, ତଳ ସାହି, ମଙ୍ଗଳାସାହିରେ ଦସ୍ତଖତ ସ˚ଗ୍ରହ କରାଯାଇଛି। ପ୍ରଥମ ଦିନରେ ୨ ହଜାରରୁ ଅଧିକ ଲୋକଙ୍କ ଦସ୍ତଖତ ସ˚ଗ୍ରହ କରାଯାଇଛି। ସରକାରଙ୍କୁ ଦସ୍ତଖତ ମାଧ୍ୟମରେ ଅବଗତ କରାଯିବ। ସରକାର ଦାବି ନଶୁଣିଲେ ରାଜରାସ୍ତା ବନ୍ଦ କରାଯିବା ସହିତ କୋର୍ଟର ଦ୍ବାରସ୍ଥ ହେବାକୁ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବୈଠକରେ ଚାଉଳିଆଗଞ୍ଜ ପୂଜା କମିଟି ସମ୍ପାଦକ ନିରଞ୍ଜନ ସାହୁ(ଶିବ), ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ, ପ୍ରମୋଦ ସାହୁ, ନିରଞ୍ଜନ ସାହୁ(ଚଗଲା), ଟୁକୁନା ପୃଷ୍ଟି, ସୁକାନ୍ତ ସାହାଣୀ, ସୁରେନ୍ଦ୍ରନାଥ ସାହୁ, ନରେନ୍ଦ୍ର ପାତ୍ର, ଚତୁର୍ଭୁଜ ସାହାଣୀ, ଚନ୍ଦ୍ରକାନ୍ତ ସାହୁ, ସୁନିଲ ସାହୁ, ଅରକ୍ଷିତ ସାହୁ, ଟୁକୁନା ପାତ୍ର, ଜଗନ୍ନାଥ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର