କଟକରେ କାର୍ଯ୍ୟକାରୀ ହେଲା ‘୧୧୨’ ପୁଲିସ ସେବା

କଟକ: ଆଜିଠାରୁ କଟକ କମିସନରେଟରେ ପୁଲିସର ସହାୟତା ପାଇଁ ଦେୟମୁକ୍ତ ନମ୍ବର ୧୦୦ ବଦଳରେ ୧୧୨ କାର୍ଯ୍ୟକାରୀ ହୋଇଛି। ଏହି ନୂଆ ସେବା ଆରମ୍ଭର ପ୍ରଥମ ଦିନରେ କେବଳ କଟକ ସହରରୁ ୪୫ ଜଣ ଲୋକ ପୁଲିସ ସହାୟତା ପାଇଁ ବିଭିନ୍ନ ପ୍ରସଂଗରେ ଫୋନ୍ କରିଛନ୍ତି। ଖୁବ ଶୀଘ୍ର ୧୧୨ ସହିତ ଅଗ୍ନିଶମ ଓ ସ୍ବାସ୍ଥ୍ୟ ସେବାକୁ ଯୋଡ଼ାଯିବ। ଭୁବନେଶ୍ବର କମିସନରେଟରେ ଏହି ସେବା ଆରମ୍ଭ ହୋଇ ନଥିବା ବେଳେ ଏ ନେଇ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି।
ରାଜ୍ୟ ସରକାରଙ୍କ ଗଲା ମାର୍ଚ୍ଚରେ ନିଷ୍ପତ୍ତି ଅନୁଯାୟୀ, ପୁଲିସ ସେବା ପାଇଁ ଜରୁରିକାଳୀନ ନମ୍ବର ୧୦୦, ଅଗ୍ନିଶମ ସେବା ପାଇଁ ୧୦୧, ଆମ୍ବୁଲାନ୍ସ ପାଇଁ ୧୦୨ ଓ ୧୦୮ ନମ୍ବରକୁ ଏଣିକି ଜନସାଧାରଣ ଫୋନ୍ କରିବେ ନାହିଁ। ଗୋଟିଏ ଜରୁରୀ ସହାୟତା ନମ୍ବର ୧୧୨କୁ ଫୋନ୍ କରିବେ। ଭୁବନେଶ୍ବରରେ ଏଥିପାଇଁ ଏକ ନୋଡାଲ୍ ସେଣ୍ଟର ଖୋଲାଯାଇଛି। ତେବେ ଆଜିଠାରୁ ୧୧୨ ମାଧ୍ୟମରେ କେବଳ ପୁଲିସ ସେବା ଯୋଗାଇ ଦିଆଯାଇଛି। ଗଲା ଏକ ସପ୍ତାହ ହେବ କଟକ କମିସନରେଟ୍ ପୁଲିସରେ ଟ୍ରାଏଲ୍ କରାଯାଉଥିବା ବେଳେ ଆଜିଠାରୁ ବିଧିବଦ୍ଧ ଭାବେ ଏହି ନମ୍ବର କାର୍ଯ୍ୟକାରୀ ହୋଇଛି।

ଖୁବ ଶୀଘ୍ର କଟକ ଜିଲ୍ଲା ଅଗ୍ନିଶମ ଓ ସ୍ବାସ୍ଥ୍ୟ ସେବାକୁ ଏହି ନମ୍ବର ସହିତ ଯୋଡ଼ାଯିବ। ୧୧୨ ନମ୍ବର ଜନସାଧାରଣଙ୍କ ମଧ୍ୟରେ ବହୁଳ ବ୍ୟବହାର ହେଲେ ୧୦୦, ୧୦୧, ୧୦୨ ଓ ୧୦୮ ନମ୍ବର ସ୍ଥାୟୀ ଭାବେ ବନ୍ଦ କରି ଦିଆଯିବାକୁ ଯୋଜନା କରାଯାଉଛି। ଏବେ ଉକ୍ତ ନମ୍ବରକୁ କେହି ଫୋନ୍ କଲେ କଲ୍ ସ୍ବୟଂଚାଳିତ ଭାବେ ୧୧୨କୁ ଟ୍ରାନ୍ସଫର୍ ହୋଇଯିବ। କଟକ ଡିସିପିଙ୍କ ମଡର୍ଣ୍ଣ କଣ୍ଟ୍ରୋଲ ରୁମରୁ ହିଁ ୧୧୨ ମାଧ୍ୟମରେ ଜନସାଧାରଣଙ୍କୁ ସହାୟତା ଯୋଗାଇ ଦିଆଯିବ। ପୂର୍ବରୁ ଅନେକ ସମୟରେ ଫେକ୍ କଲ୍ ଜରୁରୀସେବା ଯୋଗାଉଥିବା ୧୦୦ ନମ୍ବରକୁ ଆସୁଥିବାରୁ, ଏବେ ଏଥିପ୍ରତି କଡ଼ା ନଜର ରଖାଯିବ। ସବୁ ନମ୍ବର ରେକର୍ଡ କରାଯାଇ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ଏବେ ୧୧୨କୁ ଫୋନ୍ କଲେ ଭୁବନେଶ୍ବରରେ ଥିବା ନୋଡାଲ୍ ଅଫିସକୁ କଲ୍ ଯିବ। ସେଠୁ ବିଭିନ୍ନ ବିଭାଗକୁ କଲ୍ ଟ୍ରାନସଫର କରାଯିବ। ପୁଲିସ ସମ୍ପର୍କିତ କୌଣସି ପ୍ରକାର ସହାୟତାର ଆବଶ୍ୟକ ଥିଲେ ସେହି କଲ୍ କଟକ ଡିସିପିଙ୍କ ମଡର୍ଣ୍ଣ କଣ୍ଟ୍ରୋଲ ରୁମକୁ ଆସିବ। କଲ୍ ଆସିଲେ ତୁରନ୍ତ ଜନସାଧାରଣଙ୍କ ସହାୟତା ପାଇଁ ପିସିଆର୍ ଭ୍ୟାନକୁ ସୂଚନା ଦିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର