ଚିକିତ୍ସା ପାଇଁ ଅର୍ଥ ନାହିଁ : ୧୪ ବର୍ଷ ଧରି ବନ୍ଧା ପଡ଼ିଛି ଭିନ୍ନକ୍ଷମ ବାଳକ

ଡ଼ମପଡ଼ା: ସରକାର ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାଗୁଡ଼ିକରେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ହେଲେ, ବହୁ ଭିନ୍ନକ୍ଷମ ଏହି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଏହାର ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ-ଡମପଡ଼ା ବ୍ଲକ୍‌ ଅନ୍ତର୍ଗତ ଦୁଲଣାପୁର ପଞ୍ଚାୟତରେ। ଦୁଲଣାପୁର ୧୧ ନମ୍ବର ୱାର୍ଡର ପୂର୍ଣ୍ଣଚନ୍ଦ୍ର ସାହୁ(୫୧) ଦିନମଜୁରିଆ ଭାବେ କାର୍ଯ୍ୟ କରି କଷ୍ଟମଷ୍ଟେ ପରିବାର ପ୍ରତିପୋଷଣ କରନ୍ତି।

ଘରେ ତାଙ୍କର ପତ୍ନୀ ଓ ଦୁଇ ପୁଅ। ସାନପୁଅର ବୟସ ଏବେ ୧୭ବର୍ଷ। ୩ବର୍ଷ ବୟସରେ ହଠାତ୍‌ ସେ ବାତ ରୋଗରେ ପୀଡ଼ିତ ହେଲେ। ପରିବାର ଲୋକ ତାଙ୍କୁ ନେଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଲେ। ସେଠାରେ ସୁଫଳ ନ ମିଳିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱର ଏମ୍‌ସ୍‌ ନିଆଯାଇଥିଲା। ହେଲେ, ଚିକିତ୍ସାରେ ଅର୍ଥ ବାଧକ ସାଜିବାରୁ ବାଳକଟି ଘରେ ବନ୍ଧା ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବାପା ପୂର୍ଣ୍ଣଚନ୍ଦ୍ର ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଡମପଡା ବ୍ଲକ୍‌ ପ୍ରଶାସନକୁ ଗୁହାରି କରିବା ସହ ପୁଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ମାତ୍ର ବାରମ୍ବାର ଅନୁରୋଧ ସତ୍ତ୍ବେ କୌଣସି ସରକାରୀ ସୁବିଧା ମିଳି ନ ଥିବା ପୂର୍ଣ୍ଣଚନ୍ଦ୍ର କହିଛନ୍ତି। ମୂଲମଜୁରୀ ଲାଗି ରୋଜଗାର ହେଉଥିବା ଅର୍ଥରେ ପରିବାର ଚଳିବ‌ା କଷ୍ଟକର ହୋଇପଡ଼ୁଛି। ଏମିତିରେ ପୁଅକୁ ଟିକେ ଔଷଧ ଦେଇପାରୁ ନାହାନ୍ତି ବୋଲି କୋହଭରା କଣ୍ଠରେ ସେ କହିଛନ୍ତି।
ଅପରପକ୍ଷରେ କାମ କରୁଥିବା ବେଳେ ଦିନେ ଗୋଡ଼ ଖସି ଯିବାରୁ ପୂର୍ଣ୍ଣଚନ୍ଦ୍ରଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା।

ଦୀର୍ଘଦିନ ସେ କାମ କରିବାକୁ ଯାଇପାରି ନ ଥିଲେ। ଫଳରେ ବଡ଼ପୁଅ ରାଜକିଶୋର (୨୦) ଦଶମ ଶ୍ରେଣୀରେ ପାଠ ଅଧାରୁ ଛାଡ଼ି ଦେଇଥିଲେ। ରାଜକିଶୋର ଏବେ ଖୋର୍ଦ୍ଧାରେ ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଭିନ୍ନକ୍ଷମ ପୁଅର ସେବା କରି ମା’ ଯମୁନା ସାହୁ(୪୫) ମଧ୍ୟ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି।

ଫଳରେ ସାନ ପୁଅର ଚିକିତ୍ସା ପାଇଁ କୌଣସି ସହୃଦୟ ବ୍ୟକ୍ତି ଓ ପ୍ରଶାସନ ସହାୟତା ଯୋଗାଇ ଦେବାକୁ ପୂର୍ଣ୍ଣଚନ୍ଦ୍ର ଅନୁରୋଧ କରିଛନ୍ତି। ଏଥିପାଇଁ ଫୋନ୍‌ ନମ୍ବର ୮୧୪୪୮୮୯୪୬୫ରେ ଯୋଗାଯୋଗ କରିବାକୁ ସେ ଜଣାଇଛନ୍ତି। ଏ ସମ୍ପର୍କରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ପଚାରିବାରୁ ଏଭଳି ଘଟଣା ସମ୍ପର୍କରେ ସେ ଜାଣି ନ ଥିବା କହିଛନ୍ତି। ତେବେ ଏହାର ତଦନ୍ତ କରି ଖୁବ୍‌ଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର