ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର; ବଦଳୁନି ୩୭ ବର୍ଷ ତଳର ନିଷ୍ପତ୍ତି

ଡାକ୍ତର, ନର୍ସଙ୍କ ରିସ୍କ୍ ଆଲାଉନ୍ସ ଏବେ ବି ଦେଢ ଶହ

କଟକ: ୩୭ ବର୍ଷ ତଳେ ଯାହା ମିଳୁଥିଲା, ଏବେ ବି ମିଳୁଛି ସେଇଆ। ସରକାରୀ ବ୍ୟବସ୍ଥାରେ ଏଭଳି ସ୍ଥିତି ହୁଏତ ବିରଳ। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର‌ରେ ରେଡିଏସନ୍‌ ଓ କେମୋ ଥେରାପି ଚିକିତ୍ସା ସେବା ଯୋଗାଉଥିବା ଡାକ୍ତରଙ୍କଠାରୁ ଆରମ୍ଭ କରି ଦିଦିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳୁଛି ଏଭଳି ରିସ୍କ୍‌ ଆଲାଉନ୍ସ। କିନ୍ତୁ ୩୭ ବର୍ଷ ତଳେ ଏଥିପାଇଁ ଦେଢ ଶହ ଟଙ୍କା ମିଳୁଥିବା ବେଳେ ଏବେ ବି ସେଇଆ ମିଳୁଛି। ଏହାକୁ ୫ଶହ ଟଙ୍କାକୁ ବୃଦ୍ଧି କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ସୁଦ୍ଧା ତାହାକୁ ବୃଦ୍ଧି କରୁ ନାହାନ୍ତି ସରକାର। ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବାରମ୍ବାର ଦାବି କରାଯାଇ ଆସୁଥିଲେ ବି ତାହାକୁ ବୃଦ୍ଧି କରାଯାଉ ନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ୧୯୮୪ରୁ ସ୍ବତନ୍ତ୍ର ଭାବେ ଚିକିତ୍ସା ସେବା ଯୋଗାଇ ଆସୁଛି। ରାଜ୍ୟର ଏହି ଏକମାତ୍ର ସରକାରୀ କର୍କଟ କେନ୍ଦ୍ର ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ରୋଗୀଙ୍କ ଆଶା, ଭରସାର ପ୍ରତୀକ। ସରକାରଙ୍କ ମାଗଣା ବ୍ୟବସ୍ଥା ପରେ ଏବେ ଏହି କେନ୍ଦ୍ରର ଅବସ୍ଥା ଏମିତି ଯେ, ରୋଗୀ ଚିକିତ୍ସିତ ହେବାକୁ ବେଡ୍‌ ମିଳୁନି। ମାସ ମାସ ଧରି ରିପୋର୍ଟ ଅପେକ୍ଷାରେ ବାହାରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗୁରୁତର ରୋଗୀ। ତାରି ଭିତରେ ବି ଅନେକ ଗରିବ ରୋଗୀଙ୍କ ସାହାରା ପାଲଟିଛି ଏହି କେନ୍ଦ୍ର।

ତେବେ କର୍କଟ ରୋଗ ଚିକିତ୍ସା ପାଇଁ ରେଡିଏସନ୍‌ ଥେରାପି ଓ କେମୋ ଥେରାପି ଚିକିତ୍ସା ଅତି ଜରୁରୀ। ଏହି ରେଡିଏସନ୍‌ ଚିକିତ୍ସା ପାଇଁ ରହୁଥିବା ବା ଚିକିତ୍ସା ଯୋଗାଉଥିବା‌ ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସିଂ କର୍ମଚାରୀ, ତଥା ସମସ୍ତ କର୍ମଚାରୀଙ୍କୁ ରିସ୍କ୍ ଆଲାଉନ୍ସ ସରକାର ପ୍ରଦାନ କରିଥାନ୍ତି। ଯେହେତୁ ଏଭଳି ଚିକିତ୍ସା ଦ୍ବାରା ସେମାନଙ୍କ ଉପରେ ଏହାର କୁପ୍ରଭାବ ପଡୁଛି ଓ ଅତି ସମ୍ବେଦନଶୀଳ ଅଂଚଳରେ ରହି ସେମାନେ କାମ କରୁଛନ୍ତି ସେଥିପାଇଁ ସେମାନଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ସ୍ବରୂପ ଦେଢଶହ ଟଙ୍କା ପ୍ରଦାନ କରିଥାନ୍ତି। କିନ୍ତୁ ୩୭ ବର୍ଷ ହେଲା ସେହି ଭତ୍ତାରେ ପରିବର୍ତ୍ତନ ହେଉନି। ଏହାକୁ ୫ଶହ ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ବାରମ୍ବାର ଦାବି ହେଉଥିଲେ ବି ସରକାର ଶୁଣୁ ନଥିବାରୁ ୬୦ରୁ ଅଧିକ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର