ଏସ୍‌ସିବିରେ ପୁଣି ଜଣେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତଙ୍କ ଅସ୍ତ୍ରୋପଚାର

ଆଖିକୁ ସୁରକ୍ଷା ପାଇଁ ଡାକ୍ତରଙ୍କ ୩ ଘଣ୍ଟା କସରତ; ବର୍ତ୍ତମାନ ସୁଦ୍ଧା ସଫଳ ହେଲାଣି ୩ ସଂକ୍ରମିତଙ୍କ ଅସ୍ତ୍ରୋପଚାର

କଟକ: ଏସ୍‌ସିବିରେ ପୁଣି ଜଣେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତଙ୍କ ଅସ୍ତ୍ରୋପଚାର କରାଯାଇଛି। ଆଖିର ସୁରକ୍ଷା ପାଇଁ ଦୀର୍ଘ ୩ ଘଣ୍ଟା ଧରି ତାଙ୍କ ନାକରୁ କପାଳ ପର୍ଯ୍ୟନ୍ତ ମାଡ଼ିଥିବା ବ୍ଲାକ୍‌ ଫଙ୍ଗସ୍‌କୁ ଅସ୍ତ୍ରୋପଚାର କରି ବାହାର କରାଯାଇଛି। ଏହା ନାକରୁ କପାଳ ପର୍ଯ୍ୟନ୍ତ ମାଡ଼ିଥିଲେ ବି ମସ୍ତିଷ୍କ(ବ୍ରେନ୍‌)କୁ ଛୁଇଁ ନ ଥିବା ଅସ୍ତ୍ରୋପଚାର କରିଥିବା ଡାକ୍ତରୀଦଳ ସୂଚନା ଦେଇଛନ୍ତି। ଏସ୍‌ସିବିରେ ଆଜି ପର୍ଯ୍ୟନ୍ତ ୩ଜଣ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତଙ୍କ ଅସ୍ତ୍ରୋପଚାର ହୋଇଥିବାବେଳେ ସେମାନଙ୍କ ଭିତରୁ ଦୁଇଜଣ ସୁସ୍ଥ ଅଛନ୍ତି ଓ ଅନ୍ୟ ଜଣେ ମହିଳା ରୋଗୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତ ମହିଳା ରୋଗୀଙ୍କ ଘର ମାଲକାନଗିରି ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଏସ୍‌ସିବି ବ୍ଲାକ୍‌ ଫଙ୍ଗସ୍‌ ୱାର୍ଡରେ ୪ଜଣ ଚିକିତ୍ସିତ ହେଉଥିବାବେଳେ ଆଇସିୟୁରେ ୩ଜଣ ସଂକ୍ରମିତ ରହିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଜଣେ ୫୦ ବର୍ଷୀୟ ପୁରୁଷ ରୋଗୀଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌   ଲକ୍ଷଣ ଦେଖାଦେଇଥିଲା। ଯା’ଫଳରେ ବଡ଼ ଡାକ୍ତରଖାନା ଇଏନ୍‌ଟି ବିଭାଗରେ ଖୋଲାଯାଇଥିବା ସ୍ବତନ୍ତ୍ର ବ୍ଲାକ୍‌ ଫଙ୍ଗସ୍‌ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ମଧୁମେହ ରୋଗ ଥିବାବେଳେ କରୋନା ପରେ ତାହା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଥିଲା। ଇଏନ୍‌ଟି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁବ୍ରତ ବେହେରାଙ୍କ ନେତୃତ୍ବରେ ଗଠିତ ଟିମ୍‌ ଆସିଷ୍ଟାଷ୍ଟ ପ୍ରଫେସର ଡାକ୍ତର ମୋନାଲିସା ପାଟ୍ଟଶାଣୀ ଓ ଡାକ୍ତର ଦୀପ୍ତିରଞ୍ଜନ ପାଟ୍ଟଯୋଷୀ ପ୍ରମୁଖ ଏହି ଅସ୍ତ୍ରୋପଚାର କରିଥିଲେ।

ସମ୍ବନ୍ଧିତ ଖବର