ଏଥର ଅଧିକ ଆକର୍ଷଣୀୟ ହେବ ବାଲିଯାତ୍ରା, ୩୪ ଏକର ଅଞ୍ଚଳରେ ଯାତ୍ରା; ୧୦୮ ଏକର ଖୋଲା ସ୍ଥାନ

କଟକ: ଚଳିତ ବର୍ଷ ଅଧିକ ଆକର୍ଷଣୀୟ ଢଙ୍ଗରେ ଆୟୋଜନ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା। ଦୁଇ ବର୍ଷ ଧରି ବାଲିଯାତ୍ରା ଆୟୋଜନ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଲୋକଙ୍କ ଭିଡ଼ ପୂର୍ବ ବର୍ଷମାନଙ୍କର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି। ଗୋଟିଏ ପଟେ ଏନ୍‌ଜିଟିରେ ମାମଲା ଗଡ଼ୁଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଯେଉଁ ଆଶଙ୍କା ଓ ଦ୍ବନ୍ଦ୍ବ ରହିଥିଲା, ଏନ୍‌ଜିଟିଙ୍କ ରାୟ ପରେ ସ୍ଥିତି ସ୍ପଷ୍ଟ ହୋଇ ସାରିଛି। ମହାନଦୀ କୂଳରେ ବାଲିଯାତ୍ରା ତଳ ପଡ଼ିଆର ୩୪ ଏକର ଅଞ୍ଚଳରେ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ହେବ। ବିଗତ ବର୍ଷ ମାନଙ୍କରେ ସାଧାରଣଭାବେ ୩୦ ଏକର ଅଞ୍ଚଳରେ ବାଲିଯାତ୍ରା ଆୟୋଜନ ସୀମିତ ରହୁଥିବା ବେଳେ ଚଳିତ ବର୍ଷ ଆଉ ୪ ଏକର ଅଧିକ ଅଞ୍ଚଳ ଆୟୋଜନ ପାଇଁ ଉପଲବ୍ଧ ହୋଇ ପାରିଛି। ଯାହାକି ଅଧିକ ବ୍ୟବସାୟୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁଯୋଗ ଦେବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଅନ୍ୟପଟେ ଏନ୍‌ଜିଟିଙ୍କ ରାୟ ଅନୁସାରେ ବାଲିଯାତ୍ରା ଆୟୋଜନ ସ୍ଥଳ ୩୪ ଏକରକୁ ବାଦ୍ ଦେଇ ଆଉ ୧୦୮ ଏକର ଅଞ୍ଚଳକୁ ପାର୍କ ଏବଂ ଖେଳ ପଡ଼ିଆ ଭାବେ ବ୍ୟବହାର କରାଯାଇ ପାରିବ। ଫଳରେ ଏଥର ବାଲିଯାତ୍ରା ଆୟୋଜନ ହେବାକୁ ଥିବା ଅଞ୍ଚଳ ଚାରି ପଟେ ଯେଉଁ ବିସ୍ତୃତ ଖାଲିସ୍ଥାନ ରହିବ, ତାହା ଭିଡ଼ ହ୍ରାସ ଓ ଲୋକଙ୍କୁ ଖୋଲା ପରିବେଶରେ ଯାତ୍ରା ଉପଭୋଗ କରିବାର ସୁଯୋଗ ଆଣି ଦେବ ବୋଲି ଆଶା କରାଯାଉଛି। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ ହେଉଥିବା ଦାବି ଏବଂ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ପରିପ୍ରେକ୍ଷୀରେ ରାଜ୍ୟ ସରକାର ବି ବାଲିଯାତ୍ରା ଆୟୋଜନ ପାଇଁ ଚଳିତ ବର୍ଷ ସବୁଠୁ ଅଧିକ ଅର୍ଥ ଯୋଗାଇ ଦେଇଛନ୍ତି। ବାଲିଯାତ୍ରା ପ୍ରସ୍ତୁତି ପାଇଁ ୧୦ କୋଟି ଟଙ୍କା ରାଜ୍ୟ ସରକାର ଯୋଗାଇ ଦେବେ। ସଂପ୍ରସାରିତ ତଥା ଆକର୍ଷଣୀୟ ବାଲିଯାତ୍ରା ଆୟୋଜନ ପାଇଁ ଏଭଳି ସ୍ଥିତିରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ସାରିଛି।

ଚଳିତ ବର୍ଷ ନୂଆ ଢଙ୍ଗରେ ପ୍ଲଟ୍ ଆବଣ୍ଟନ ସହ ଏହାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏକାଧିକ ମଂଚ ପ୍ରସ୍ତୁତ କରିବା ସହ ଭିନ୍ନ ଢଙ୍ଗରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୧୯ରେ ବାଲିଯାତ୍ରାକୁ ସ୍ବତନ୍ତ୍ର ରୂପ ଦେବା ପାଇଁ ଯେଉଁ ପଦକ୍ଷେପ ନିଆଯାଇଥିଲା, ତାହାକୁ ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ବିଶେଷକରି ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା, ଏଥିରେ ରାଜ୍ୟ, ରାଜ୍ୟ ବାହାର ତଥା ବିଦେଶର କଳାକାର ମାନଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ଦେବା ପାଇଁ ତାହାକୁ ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ କରିବା ଯୋଜନା ହେଉଛି। ପଡ଼ିଆରେ ପରିମଳ ବ୍ୟବସ୍ଥାକୁ ଏଥର ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଛି। ଏହା ବ୍ୟତୀତ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଲୋକଙ୍କ ସମାଗମ ଆଶା କରାଯାଉଥିବାରୁ ପଡ଼ିଆରେ ଲୋକଙ୍କ ସୁବିଧା, ଟ୍ରାଫିକ ବ୍ୟବସ୍ଥା ପାଇଁ ମଧ୍ୟ ଇତିମଧ୍ୟରେ ପ୍ରଶାସନିକ ସ୍ତରରେ ରୂପରେଖ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅନ୍ୟପଟେ ବାଲିଯାତ୍ରା ତଳ ପଡିଆକୁ ନେଇ ଏନ୍‌ଜିଟିଙ୍କ ରାୟ ଅନୁଯାୟୀ ମହାନଦୀ ପଠାରେ ବାଲି ପକାଇ ଯେଉଁ ବିସ୍ତୃତ ଅଞ୍ଚଳ ସୃଷ୍ଟି କରାଯାଇଛି, ତାହାର ଦୁଇ ତୃତୀୟାଂଶ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବ। ଏହି ଅଞ୍ଚଳକୁ ବନ ବିଭାଗକୁ ହସ୍ତାନ୍ତର କରାଯିବ। ବାକି ଏକ ତୃତୀୟାଂଶ ଅଞ୍ଚଳରେ ପାର୍କ ଓ ଖେଳ ପଡ଼ିଆ ପ୍ରସ୍ତୁତ କରାଯାଇ ପାରିବ। କିନ୍ତୁ ସେଠାରେ କୌଣସି ସ୍ଥାୟୀ ନିର୍ମାଣ କାର୍ଯ୍ୟ ହେବ ନାହିଁ। ବ୍ୟାବସାୟିକ କାର୍ଯ୍ୟରେ ମଧ୍ୟ ତାହାକୁ ବିନିଯୋଗ କରାଯିବ ନାହିଁ। ୩୪ ଏକର ପରିମିତ ଅଞ୍ଚଳରେ ବାଲିଯାତ୍ରା ହେବ। ଏବଂ ତାହାର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ବଜାୟ ରଖାଯିବ। ଏସବୁ ଅଞ୍ଚଳର ରକ୍ଷଣାବେକ୍ଷଣ ଦାୟିତ୍ବ ସ୍ଥାନୀୟ ପ୍ରଶାସନ ହାତରେ ରହିବ। ଗୋଟିଏ ପଟେ ବାଲିଯାତ୍ରାକୁ ନେଇ ବ୍ୟବସାୟୀ ମହଲରେ ବି ଉତ୍ସାହ ସୃଷ୍ଟି ହୋଇଥିବା ବେଳେ ପ୍ଲଟ୍ ଆବଣ୍ଟନକୁ ଦଲାଲମୁକ୍ତ, ସହଜ, ସରଳ କରିବାକୁ ଅନେକ ବ୍ୟବସାୟୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର