ଚୌଦ୍ୱାର ନିକଟରେ ଓଲଟି ପଡ଼ିଲା କଟକରୁ ଅନୁଗୁଳ ଯାଉଥିବା ବସ୍‌; ୨ ମୃତ, ୧୫ରୁ ଅଧିକ ଆହତ

କଟକ: କଟକ ଜିଲ୍ଲାର ଚୌଦ୍ୱାର ନିକଟ କଜଳକଣାଠାରେ ସୋମବାର ସଂଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି। କଟକରୁ ଅନୁଗୁଳ ଯାଉଥିବା ନୀଳକଣ୍ଠ ନାମକ ଘରୋଇ ବସ୍ ରାସ୍ତାରେ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଦୁଇ ଜଣ ଯାତ୍ରୀ ମୃତ୍ୟୁମୁଖରେ ପଡ଼ିବା ସହ ୨ ଜଣ ଗୁରୁତର ହୋଇଛନ୍ତି। ଅନ୍ୟ ୧୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ  କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନୀଳକଣ୍ଠ ବସ୍‌ଟି ଆଗରେ ଯାଉଥିବା ଆଉ ଏକ ବସ୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରିଥିଲା। ଏହାପରେ ରାସ୍ତା କଡ଼ରେ ଜମା ହୋଇ ପଡ଼ିଥିବା ବାଲି ଉପରେ ବସଟି ଚଢ଼ିଯାଇଥିଲା। ଫଳରେ ଓଭରଟେକ୍‌ କରିବା ସମୟରେ ବସ୍‌ଟି ତା’ର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାତ୍ରୀମାନେ ବସ ତଳେ ଚାପି ହୋଇ ରହିଯାଇ ଥିଲେ।

ସୂଚନା ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ  ବାସିନ୍ଦା  ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମିଳିଥିବା ସୂଚନା ଅନୁସାରେ ସଂଧ୍ୟା ୬.୩୦ ସୁଦ୍ଧା ଉଦ୍ଧାର  କାର୍ଯ୍ୟ ଶେଷ ହୋଇଛି। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ବିଶେଷ କ୍ଷତିଗ୍ରସ୍ତ .ହୋଇ ନଥିବା ଯାତ୍ରୀଙ୍କୁ ପୁଲିସ ପକ୍ଷରୁ ବ୍ୟବସ୍ଥା କରି ଘରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର