ଅବହେଳିତ ସତୀଚଉରା ଶ୍ମଶାନ; ବୁଦା ଗଛ, କୁଢ଼ କୁଢ଼ ଅଙ୍ଗାରରେ ଭର୍ତ୍ତି

କଟକ: ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସତୀଚଉରା ଶ୍ମଶାନ। ସହରର ଏକ ତୃତୀୟାଂଶ ଲୋକେ ଏହି ଶ୍ମଶାନ ଉପରେ ନିର୍ଭର କରୁଥିବାବେଳେ ଶ୍ମଶାନ ପରିସର ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ଏପରିକି ଏହି ସତୀଚଉରା ଶ୍ମଶାନରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶବଦାହ କରାଯାଇଛି। ଶ୍ମଶାନ ପରିସର ଆବର୍ଜନାରେ ଭର୍ତ୍ତି ହୋଇଥିବା ବେଳେ ବୁଦା, ଗଛ ଓ କୁଢ଼ କୁଢ଼ ଅଙ୍ଗାରରେ ଜମା ହୋଇ ରହିଛି। ଶ୍ମଶାନ ଜଙ୍ଗଲ ପାଲଟି ଥିବାବେଳେ ଏଥିପ୍ରତି ବିଭାଗର ଦୃଷ୍ଟି ନାହିଁ। ଫଳରେ ଶ୍ମଶାନ ପରିସରରେ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ସମାଧିରେ ମାଲ୍ୟାର୍ପଣ କରିବାକୁ ଯିବା ପାଇଁ ବି ବିପର୍ଯ୍ୟସ୍ତ ପରିବେଶର ସାମନା କରିବାକୁ ପଡୁଛି।

ସୂଚନା ଅନୁଯାୟୀ, ସହରର ପ୍ରମୁଖ ସ୍ଥାନରେ ଥିବା ସତୀଚଉରା ଶ୍ମଶାନ ସିଏମସି ଦ୍ବାରା ପରିଚାଳିତ। ସତୀଚଉରା ଶ୍ମଶାନ ପ୍ରାୟ ୨ ଏକରର ଜାଗାରେ ରହିଥିବା‌ବେଳେ ଶ୍ମଶାନର ମୁଖ୍ୟ ଫାଟକରୁ କିଛି ଦୂର ଯାଏ ଅଞ୍ଚଳ ଶବଦାହ କାର୍ଯ୍ୟରେ ବ୍ୟବହୃତ ହେଉଥିବାବେଳେ ବଳକା ଜାଗା ପାଲଟିଛି ଜଙ୍ଗଲ। ଏପରିକି ଶ୍ମଶାନରେ ଗତ ଫେବ୍ରୁଆରି ୨୦୨୦ ମସିହାରେ ସିଏମସି ପକ୍ଷରୁ ବହୁ ଉନ୍ନତିମୂଳକ କାର୍ଯ୍ୟ ଯଥା- ଶ୍ମଶାନର ନୂତନ ମୁଖ୍ୟ ଫାଟକ, ପଛପଟ ପାଚେରି, ଗୋଟିଏ ବିଶ୍ରାମକକ୍ଷ, ‌ଗୋଟିଏ ଅନ୍ତିମ ସଂସ୍କାର କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଦୋକାନ, ଶ୍ମଶାନ ପରିସରରେ ରାସ୍ତା କାମ, ଚାରେଟି ନୂତନ ଶବଦାହ ପିଣ୍ତି କାମ ପାଇଁ ୪୫ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ବିଡ଼ାନାସୀ, ସିଡ଼ିଏ, ତୁଳସୀପୁର, ବକ୍ସିବଜାର, ଚାନ୍ଦିନୀଚୌକ, ମାନସିଂହପାଟଣା, କାଫଲା ବଜାର ଭଳି ଅଞ୍ଚଳର ଲୋକେ ଶବଦାହ ପାଇଁ ଏଠାକୁ ଆସିଥାନ୍ତି। ଏଠାରେ ପ୍ରତ୍ୟେକ ଦିନ ୪ରୁ ଅଧିକ ଶବଦାହ ହୋଇଥାଏ।

Sambad

ଏହି ସତୀଚଉରା ଶ୍ମଶାନରେ ଗତ ୧୨ ସେପ୍ଟେମ୍ବର ୨୦୨୦ ମସିହାରୁ କୋଭିଡ଼ ଶବଦାହ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା। ଏପରିକି ୩୧ ଜାନୁଆରି ୨୦୨୨ ମସିହା ସୁଦ୍ଧା ଏହି ଶ୍ମଶାନରେ ୩୯୬୫ କୋଭିଡ଼ ଶବଦାହ କରାଯାଇଛି। ସତୀଚଉରା ଶ୍ମଶାନରେ ବିନୋଦ କାନୁନ୍‌ଗୋ, ଆର୍ତ୍ତବଲ୍ଲଭ ମହାନ୍ତି, ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି, ସଚ୍ଚି ରାଉତରାୟ, ବିପ୍ଲବୀ ସାରଙ୍ଗଧର ଦାସ, ପ୍ରଫେସର ଶ୍ରୀରାମ ଦାସ, ସଂଗ୍ରାମୀ ଭଗବତୀ ପାଣୀଗ୍ରାହୀ, କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି, ଅଭିନେତା ହର ପଟ୍ଟନାୟକ, ମିହିର ଦାସଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଏଠାରେ ଶବଦାହ ହୋଇଛି। ସେଠାରେ ଏହି ବ୍ୟକ୍ତିଙ୍କ ସାମଧି ବି ରହିଛି। ହେଲେ ଏହି ଶ୍ମଶାନକୁ ସଫା ସୁତରା ରଖିବା ଦିଗରେ ସିଏମସି ନିଷ୍କ୍ରିୟ ରହିଛି। କୋଭିଡ଼ ଶବଦାହ ସମୟରେ ଅକ୍ଟୋବର ୨୦୨୧ ମସିହାରେ ଏହି ଶ୍ମଶାନରୁ ସିଏମ୍‌ସି ପକ୍ଷରୁ ସଫେଇ କରାଯାଇ ୮ ରୁ ୧୦ ଟ୍ରିପ୍‌ ଅଙ୍ଗାର ବାହାର କରାଯାଇଥିଲା। ହେଲେ ଆଜିକୁ ୪ ମାସରୁ ଅଧିକ ହେବ ଶ୍ମଶାନକୁ ସଫା କରିବା ଯେପରି ବିଭାଗ ଭୁଲି ଯାଇଛି। ଫଳରେ ପୂର୍ବ ଭଳି ଶ୍ମଶାନ ପରିସର ଆବର୍ଜନାରେ ଭର୍ତ୍ତି ହେବା ସହ ଶ୍ମଶାନ ପରିସର ଜଙ୍ଗଲ ପାଲଟିଛି। ସତୀଚଉରା ଶ୍ମଶାନରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ଏହାସହ ସେଠାରେ କୋଭିଡ଼ ଶବଦାହ କରାଯିବା ନେଇ ସମସ୍ତ ସୁବିଧା ମଧ୍ୟ କରାଯାଇଛି। ଶ୍ମଶାନକୁ ୨୦୨୧ ମସିହା ଅକ୍ଟୋବର ମାସରେ ସଫା କରାଯାଇଥିଲା। ବିଭାଗର ଦୃଷ୍ଟି ଏଥିପ୍ରତି ରହିଛି। ଖୁବ୍‌ଶୀଘ୍ର ଏହି ଶ୍ମଶାନର ସଫେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର।

ସମ୍ବନ୍ଧିତ ଖବର