ଧଳସାମନ୍ତଙ୍କ ତିନି ସହଯୋଗୀ ଗିରଫ

ଭଡ଼ାରେ ବନ୍ଧୁକ ବେପାର କରୁଥିଲେ

କଟକ : ଧଳସାମନ୍ତଙ୍କ ତିନି ବିଶ୍ୱସ୍ତ ସହଯୋଗୀଙ୍କୁ ମର୍କତନଗର ଥାନା ପୁଲିସ ଗିରଫ କରିଛିା ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମାଛୁଆବଜାର ଅଞ୍ଚଳର ଚନ୍ଦନ ବେହେରା, ସିଡିଏ ସେକ୍ଟର ୭ ଅଞ୍ଚଳର ଲାଲନ ଗୁପ୍ତା ଏବଂ ସେଖ୍‌ ବଜାର ଅଞ୍ଚଳର ରାଜା ଓରଫ ବିରଞ୍ଚି ନାୟକ । ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଡବଲ୍‌ ବ୍ୟାରେଲ୍‌ ଦେଶୀ ବନ୍ଧୁକ, ୭.୬୨ ଏମ୍‌ଏମ୍‌ର ଦୁଇ ରାଉଣ୍ଡ ଜୀବନ୍ତ ଗୁଳି, ଏକ ବଜାଜ ପଲ୍‌ସର(ଓଆର୍‌ ୦୨ ବିଡବ୍ଲୁ ୮୦୬୨)କୁ ଜବତ କରିଛି । ଏମାନେ ଜବତ ହୋଇଥିବା ବନ୍ଧୁକକୁ ଭଡ଼ାରେ ଜଣେ ଅପରାଧୀଙ୍କୁ ଦେବାକୁ ଯୋଜନା କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ମର୍କତନଗର ଥାନ ଅଞ୍ଚଳରେ ଏକ ବଜାଜ ପଲ୍‌ସର ବାଇକ୍‌ରେ ବେଆଇନ ବନ୍ଧୁକ ଚାଲାଣ ହେଉଥିବା ପୁଲିସ ଖବର ପାଇଥିଲା । ଏସ୍‌ଆଇ ବି.ଡି. ବେହେରାଙ୍କ ନେତୃତ୍ୱରେ ଅନ୍ୟ ପୁଲିସ କର୍ମଚାରୀ ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ସିଡିଏ ସେକ୍ଟର ୯ସ୍ଥିତ ଜଷ୍ଟିସ୍‌ ଗଡ଼ା ନିକଟରେ ଅତର୍କିତ ଚଢ଼ଉ କରିଥିଲେ । ପୁଲିସ ତିନି ଅଭିଯୁକ୍ତଙ୍କୁ ଧରି ଥାନାକୁ ଆଣିବା ପରେ ସେମାନେ ଧଳସାମନ୍ତ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ବୋଲି ପୁଲିସ ଜାଣିବାକୁ ପାଇଥିଲାା ଧଳସାମନ୍ତଙ୍କ କଟକ ନଗର ଯୁବକ ସଂଘରେ ଜଣେ ଜଣେ ବିଶ୍ୱସ୍ତ ସଦସ୍ୟ ଥିବା ପୁଲିସ ଜାଣିବାକୁ ପାଇଥିଲା । ନରାଜ ଅଞ୍ଚଳରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଚୋରା ବନ୍ଧୁକ ଭଡ଼ାରେ ଦେବାକୁ ଏହି ଅଭିଯୁକ୍ତମାନେ ଆସୁଥିବା ପୁଲିସକୁ ବୟାନରେ କହିଛନ୍ତି । ବନ୍ଧୁକ ଭଡ଼ା ୪ରୁ ୫ ହଜାର ଟଙ୍କା ନେଉଥିବା ତଦନ୍ତରୁ ଜଣାପଡ଼ିଛି ।

ଏହି ଅଭିଯୁକ୍ତଙ୍କୁ ଚାଉଳିଆଗଞ୍ଜ ଥାନା ପୁଲିସ ଗତବର୍ଷ ଦାଦା ବଟି ମାମଲାରେ ଗିରଫ କରି କୋର୍ଟଚାଲାଣ କରିଥିଲା । ସେମାନେ ଗତ ୬ ମାସ ହେବ ଜେଲ୍‌ରୁ ବାହାରିବା ପରେ ଧଳସାମନ୍ତ ଦୁଇ ଭାଇଙ୍କୁ ବାଲେଶ୍ୱର ଏବଂ ଭୁବନେଶ୍ୱର ଜେଲ୍‌ରେ ଭେଟୁଥିବା ପୁଲିସ ଜାଣିବାକୁ ପାଇଥିଲା । ସିଡିଏ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବଢ଼ାଇବାକୁ ମଧ୍ୟ ସେମାନେ ମାଷ୍ଟରପ୍ଲାନ୍‌ କରୁଥିଲେ । ବନ୍ଧୁକ ଭଡ଼ାରେ ଲଗାଉଥିବା ବେଳେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଉଭୟ ଚନ୍ଦନ ଏବଂ ଲାଲନ ବିରୋଧରେ ଦାଦାବଟି, ଅସ୍ତ୍ର ଶସ୍ତ୍ର କାରବାର, ଧମକ ଚମକ ଭଳି ସଂଗୀନ ଅଭିଯୋଗ କମିସନରେଟ୍‌ ପୁଲିସରେ ରୁଜୁ ହୋଇଛି । ଚନ୍ଦନ ବିରୋଧରେ ୫ଟି ମାମଲା ଏବଂ ଲାଲନ ବିରୋଧରେ ୮ଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର