ସିଏମ୍‌ସି କାଉନ୍‌ସିଲ୍‌ ବୈଠକ: ୮ ଷ୍ଟାଣ୍ଡିଂ କମିଟି ଗଠନ, ସ୍ବାସ୍ଥ୍ୟ କମିଟି ସଦସ୍ୟ ପାଇଁ ହେଲା ନିର୍ବାଚନ

ମେ’ ୨ରେ ବିଧିବଦ୍ଧ ଭାବେ ଘୋଷଣା ହେବ ଅଧ୍ୟକ୍ଷଙ୍କ ନାମ

କଟକ: ମହାନଗର ନିଗମର ଦ୍ବିତୀୟ କାଉନସିଲ୍‌ ବୈଠକ ଆଜି ବିଜୁ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସିଏମ୍‌ସିର ୯ଟି ଷ୍ଟାଣ୍ଡିଂ ବା ସ୍ଥାୟୀ କମିଟି ମଧ୍ୟରୁ ୮ଟି କମିଟି ଗଠନ କରାଯାଇଛି। ମେ’ ୨ ତାରିଖରେ କମିଟିର ଅଧ୍ୟକ୍ଷଙ୍କ ନାମ ଯଦିଓ ବିଧିବଦ୍ଧ ଭାବେ ଘୋଷଣା କରାଯିବ, ଏ ସଂପର୍କିତ ନିଷ୍ପତ୍ତି କିନ୍ତୁ ନିଆସରିଛି। କଣ୍ଟ୍ରାକ୍ଟ (ଚୁକ୍ତି) କମିଟିର ଅଧ୍ୟକ୍ଷ ମେୟର ସୁବାସ ସିଂହ ରହିବାକୁ ଥିବା ବେଳେ ଟ୍ୟାକ୍ସ (ଟିକସ) କମିଟିର ଅଧ୍ୟକ୍ଷ ଭାବେ ଡେପୁଟି ମେୟର୍‌ ଦମୟନ୍ତୀ ମାଝୀ, ହେଲ୍‌ଥ (ସ୍ବାସ୍ଥ୍ୟ) କମିଟିର ଅଧ୍ୟକ୍ଷ ଭାବେ ୨୪ ନମ୍ବର ୱାର୍ଡ କର୍ପୋରେଟର ଦୀପ୍ତିମୟୀ ମୂଳିଆ, ୱାର୍କସ୍‌ (ପୂର୍ତ୍ତ) କମିଟିର ଅଧ୍ୟକ୍ଷ ଭାବେ ୪୪ ନମ୍ବର ୱାର୍ଡ କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ, ପ୍ଲାନିଂ (ଯୋଜନା ଓ ଉନ୍ନୟନ) କମିଟିର ଅଧ୍ୟକ୍ଷ ଭାବେ ୨୧ ନମ୍ବର ୱାର୍ଡ କର୍ପୋରେଟର ଅଶୋକ ଶର୍ମା, ଏଜୁକେସନ୍ (ଶିକ୍ଷା ଓ ଚିତ୍ତ ବି‌ନୋଦନ) କମିଟିର ଅଧ୍ୟକ୍ଷ ଭାବେ ‌୧୦ ନମ୍ବର ୱାର୍ଡର କର୍ପୋରେଟର ମୋନାଲିସା ଦାଶ, ଲାଇସେନ୍ସ କମିଟିର ଅଧ୍ୟକ୍ଷ ଭାବେ ୧୭ ନମ୍ବର ୱାର୍ଡର କର୍ପୋରେଟର ଏ. ଶ୍ରୀବେଦୀ, ଏଷ୍ଟାବ୍ଲିସମେଣ୍ଟ୍ (ନିଗମ ସଂସ୍ଥାପନ) କମିଟିର ଅଧ୍ୟକ୍ଷ ଭାବେ ୫୭ ନମ୍ବର ୱାର୍ଡ କର୍ପୋରେଟର ପୂର୍ଣ୍ଣିମା ସ୍ବାଇଁ, ଅଭିଯୋଗ କମିଟିର ଅଧ୍ୟକ୍ଷ ଭାବେ ୪୬ ନମ୍ବର ୱାର୍ଡର କର୍ପୋରେଟର ପ୍ରଳୟା ବେଉରାଙ୍କ ନାମ ଚୂଡାନ୍ତ ହୋଇଛି। କିନ୍ତୁ ବ୍ୟବସ୍ଥା ଅନୁଯାୟୀ କମିଟି ଗଠନର ୩ରୁ ଏକ ସପ୍ତାହ ମଧ୍ୟରେ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବାକୁ ଥିବାରୁ ମେ’ ୨ ତାରିଖରେ ଏହା ଘୋଷଣା ହେବ ବୋଲି ସୂଚନା ମିଳିଛି।
ସବୁ କମିଟି ସହମତି ଭିତ୍ତିରେ ଗଠନ ହୋଇଥିବା ବେଳେ ସ୍ବାସ୍ଥ୍ୟ କମିଟି ପାଇଁ କିନ୍ତୁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଉକ୍ତ କମିଟିରେ କୌଣସି କଂଗ୍ରେସ କର୍ପୋରେଟର୍‌ଙ୍କୁ ରଖାଯାଇ ନଥିବାରୁ ଏହାକୁ ନେଇ କଂଗ୍ରେସ କର୍ପୋରେଟର୍‌ମାନେ ପ୍ରତିବାଦ କରିଥିଲେ। ଉକ୍ତ କମିଟିର ୭ଜଣ ସଦସ୍ୟଙ୍କ ମଧ୍ୟରେ ରହିବା ପାଇଁ କଂଗ୍ରେସ କର୍ପୋରେଟର୍‌ ଲିଜାରାଣୀ ରାଉତ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ ତାଙ୍କୁ ମାତ୍ର ୧୦ଟି ଭୋଟ୍ ମିଳିବାରୁ ସେ ଗଠନ ପ୍ରକ୍ରିୟାରୁ ବାଦ୍ ପଡିଥିଲେ। ସିଏମ୍‌ସିର ଦ୍ବିତୀୟ କାଉନସିଲ୍‌ ବୈଠକ ଆଜି ଦିନ ୧୧ଟାରେ ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଗମର ଷ୍ଟାଣ୍ଡିଂ କମିଟି ଗଠନ ସହିତ ସଦସ୍ୟ ଚୟନ ମୁଖ୍ୟ ପ୍ରସଙ୍ଗ ଥିଲା। ଆଜି ଗଠନ ହୋଇଥିବା ୮ଟି କମିଟି ମଧ୍ୟରୁ ସ୍ବାସ୍ଥ୍ୟ କମିଟିକୁ ବାଦ ଦେଇ ୭ଟି କମିଟିରେ କଂଗ୍ରେସ କର୍ପୋରେଟର୍‌ ସଦସ୍ୟ ଭାବେ ଅଛନ୍ତି। ଏବଂ ଗୋଟିଏ କମିଟିରେ ଦୁଇ କଂଗ୍ରେସ କର୍ପୋରେଟରଙ୍କୁ ରଖାଯାଇଛି। ସେହିପରି ୫ଟି କମିଟିରେ ବିଜେପିର ଜଣେ ଲେଖାଏ ଥିବା ବେଳେ ଗୋଟିଏ କମିଟିରେ ୨ଜଣ ବିଜେପି କର୍ପୋରେଟର ସଦସ୍ୟ ରହିଛନ୍ତି। ସ୍ବାସ୍ଥ୍ୟ କମିଟି ଗଠନ ସମୟରେ କର୍ପୋରେଟର୍‌ଙ୍କ ମଧ୍ୟରେ କିଛିଟା ବୁଝାମଣା ନ ରହିବାରୁ ନିର୍ବାଚନ କରାଗଲା ବୋଲି ମେୟର ସୁବାସ ସିଂହ କହିଛନ୍ତି।

ସ୍ବାସ୍ଥ୍ୟ କମିଟି ନିର୍ବାଚନରେ ହଟଚମଟ

ସିଏମ୍‌ସି ସ୍ବାସ୍ଥ୍ୟ ସ୍ଥାୟୀ କମିଟି ଗଠନ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନକୁ ନେଇ ବେଶ୍ କିଛି ସମୟ ହଟଚମଟ ଚାଲିଥିଲା। କମିଟିର ୭ ସଦସ୍ୟ ପାଇଁ ୮ ଜଣ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେଥିରୁ ବିଜେଡିର ୬ ଜଣ ଓ ବିଜେପିର ଜଣେ କର୍ପୋରେଟର ବିଜୟୀ ହୋଇଥିବା ବେଳେ କଂଗ୍ରେସ କର୍ପୋରେଟର ପରାସ୍ତ ହୋଇ କମିଟିରେ ସ୍ଥାନ ପାଇ ନଥିଲେ। କମିଟିର ସଦସ୍ୟ ଭାବେ ବିଜେଡିର ୨୪ ନମ୍ବର ୱାର୍ଡ କର୍ପୋରେଟର ଦୀପ୍ତିମୟୀ ମୂଳିଆ, ୨୮ ନମ୍ବର ୱାର୍ଡ କର୍ପୋରେଟର ବନଲତା ପ୍ରଧାନ, ୨୫ ନମ୍ବର ୱାର୍ଡ କର୍ପୋରେଟର ସତ୍ୟରାମ ସାହୁ, ୫୩ ନମ୍ବର ୱାର୍ଡ କର୍ପୋରେଟର ଅରବିନ୍ଦ ଜେନା, ୪୩ ନମ୍ବର ୱାର୍ଡ କର୍ପୋରେଟର ପ୍ରମିଳା ମହାନ୍ତି, ୪ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ପ୍ରିୟମ୍ବଦା ମହାନ୍ତି ଓ ୩୪ ନମ୍ବର ୱାର୍ଡ ବିଜେପି କର୍ପୋରେଟର ଦୀପକ ଦାସ ନିର୍ବାଚିତ ହୋଇଥିଲେ। ଏମାନେ ପ୍ରତ୍ୟେକ ୫୨ରୁ ୫୬ ଖଣ୍ଡ ଯାଏ ଭୋଟ ପାଇଥିଲେ। କିନ୍ତୁ ପ୍ରତିଦ୍ବନ୍ଦ୍ବିତା କରିଥିବା ୧୫ ନମ୍ବର ୱାର୍ଡ କଂଗ୍ରେସ କର୍ପୋରେଟର ଲିଜାରାଣୀ ରାଉତଙ୍କୁ ୧୦ ଖଣ୍ଡ ଭୋଟ ମିଳିଥିବା‌ ବେଳେ ସେ କମିଟିରୁ ବାଦ୍ ପଡିଥିଲେ। କିନ୍ତୁ ରୋଚକ ଘଟଣା ହେଉଛି କାଉନସିଲରେ ବିଜେଡିର ୩୮, କଂଗ୍ରେସର ୮, ବିଜେପିର ୭ ଓ ୬ ଜଣ ସ୍ବାଧୀନ କର୍ପୋରେଟର ଥିବା ବେଳେ ୫ ବିଜେଡି ପ୍ରାର୍ଥୀଙ୍କୁ ୫୨ରୁ ଅଧିକ ଲେଖାଏଁ ଭୋଟ ମିଳିଥିଲା। ଅର୍ଥାତ ସେମାନଙ୍କୁ କଂଗ୍ରେସ ଓ ବିଜେପି କର୍ପୋରେଟର ମାନ‌େ ବି ଭୋଟ୍ ଦେଇଥିଲେ। ସେହିଭଳି ବିଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ଯେଉଁ ଭୋଟ ‌ମିଳିଥିଲା,‌ ସେଥିରେ ସେମାନଙ୍କୁ ବିଜେଡି ଓ କଂଗ୍ରେସ କର୍ପୋରେଟର ଭୋଟ୍ ଦେଇଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ କଂଗ୍ରେସ କର୍ପୋରେଟରଙ୍କୁ ତାଙ୍କ ଦଳ ବାହାରୁ ମାତ୍ର ୨ ଖଣ୍ଡ ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ହୁଏତ କେବଳ ଦଳ ବାହାରେ ୨ ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ ହାତେଇ ପାରିଥିବା କୁହାଯାଉଛି। ତାଙ୍କୁ ବିଜେପି ଅଥବା ବିଜେଡିରୁ କେହି ଭୋଟ ଦେଇ ନଥିଲେ। ଏଭଳି ଘଟଣା ଆଜି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Sambad

୮ ଷ୍ଟାଣ୍ଡିଂ କମିଟିର ସଦସ୍ୟ

ଯୋଜନା ଓ ଉନ୍ନୟନ କମିଟି: ଅଶୋକ ଶର୍ମା, ସତ୍ୟରଂଜନ ତ୍ରିପାଠୀ, ଅରୁନ୍ଧତି କର, ଲିପସା ନାୟକ, ନଳିନୀ ବେହେରା, ସ୍ବର୍ଣ୍ଣପ୍ରଭା ପ୍ରଶାୟତ ଓ ପ୍ରଦୀପ କୁମାର ରାଉତ।
ଶିକ୍ଷା ଓ ଚିତ୍ତ ବିନୋଦନ କମିଟି: ମୋନାଲିସା ଦାସ, ଲକ୍ଷ୍ମୀପ୍ରିୟା ବେହେରା, ଗୀତାଞ୍ଜଳି ବେହେରା, ସୁଭାଶିଷ କୁମ‌ାର ପଟ୍ଟନାୟକ, କୁରେଶା ନୁର, ଶୋଭାଙ୍ଗିନୀ ଜେନା, ମମତା ମହାନ୍ତି।
ଆବେଦନ ଓ ଲାଇସେନ୍ସ: ଏ.ଶ୍ରୀଦେବୀ, ପୁଷ୍ପିତା ମହାନ୍ତି, ଭାନୁ ସେନାପତି, ରବି ନାରାୟଣ ସାହୁ, ଗଗନ ଓଝା, ବସନ୍ତ ବେହେରା, ପ୍ରଦୀପ ସାହୁ।
ଟିକସ ଓ ଅର୍ଥ: ଡେପୁଟି ମେୟର ଦମୟନ୍ତୀ ମାଝୀ, ଯତିନ କୁମାର ବେହେରା, ଝିଲ୍ଲୀ ବିହାରୀ, ବସନ୍ତ କୁମାର ସାହୁ, ଗୋପାଳ ବେ‌େହରା, ମହମ୍ମଦ ଏଫ୍‌ତକାର ଆଲମ୍‌, ଦୀପାଞ୍ଜଳି ସିଂହ।
ସ୍ବାସ୍ଥ୍ୟ କମିଟି: ଦୀପ୍ତିମୟୀ ମୂଳିଆ, ବନଲତା ପ୍ରଧାନ, ଅରବିନ୍ଦ ଜେନା, ପ୍ରିୟମ୍ବଦା ମହାନ୍ତି, ଦୀପକ କୁମାର ଦାସ, ସତ୍ୟରାମ ସାହୁ, ପ୍ରମିଳା ମହାନ୍ତି।
ପୂର୍ତ୍ତ କମିଟି: ପ୍ରଦୀପ୍ତ କୁମାର ଖୁଣ୍ଟିଆ, ତାପସ ରଂଜନ ସାମନ୍ତରାୟ, ଚନ୍ଦନ ଜେନା, କେ.ଜେଡ୍‌. ଆଫରିନ୍‌, ମଧୁସ୍ମିତା ବାରିକ, ସନ୍ତୋଷ ଭୋଳ, ବିକାଶ ବେହେରା।
ନିଗମ ସଂସ୍ଥାପନ କମିଟି: ପୂର୍ଣ୍ଣିମା ସ୍ବାଇଁ, କେ. ରାମେଶ୍ବର ରାଓ, ଲକ୍ଷ୍ମୀଧର ବେହେରା, ପ୍ରିୟମ୍ବଦା ସ୍ବାଇଁ, ମିନା ସାହୁ, ମମତା ନାୟକ, ରାକେଶ ସ୍ବାଇଁ।
ଅଭିଯୋଗ କମିଟି: ପ୍ରଳୟା ବେଉରା, ମଧୁସ୍ମିତା ବାରିକ, ବିଶ୍ବବନ୍ଦିତା ପଣ୍ଡା, ସୌଭାଗିନୀ ଜେନା, ସୁମିତ୍ରା ବସ୍ତିଆ, ପଦ୍ମିନୀ ସାହୁ, ଆରତୀ ସାହୁ।

ସାମ୍ବାଦିକଙ୍କୁ ମନା, ମହିଳା କର୍ପୋରେଟର୍‌ଙ୍କ ସ୍ବାମୀ କିନ୍ତୁ ବୈଠକରେ ରହିଲେ

ଆଜି ସିଏମ୍‌ସିର ୮ଟି ଷ୍ଟାଣ୍ଡିଂ କମିଟି ଗଠନ ବିଜୁ ଭବନର ସଭା କକ୍ଷରେ ଅନୁଷ୍ଠିତ ହୋଇଥିଲା। କମିଟି ଗଠନ ସମୟରେ ସଭା କକ୍ଷରୁ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାହାରି ଯିବାକୁ କୁହାଯାଇଥିଲା। କକ୍ଷ ମଧ୍ୟରେ କେବଳ ମେୟର, ଡେପୁଟି ମେୟର, କମିସନର, ନିଗମର ଅଧିକାରୀ, କର୍ମଚାରୀଙ୍କ ସହିତ ନିର୍ବାଚିତ କର୍ପୋରେଟର ମାନଙ୍କୁ ରହିବାକୁ କୁହାଯାଇଥିଲା। ସେମାନଙ୍କ ବ୍ୟତୀତ ଅନ୍ୟ ମାନଙ୍କୁ ସଭା କକ୍ଷରୁ ବାହାରି ଯିବାକୁ ମେୟର ଓ କମିସନର କହିଥିଲେ। ମାତ୍ର କମିଟି ଗଠନ ଓ ‌ସ୍ବାସ୍ଥ୍ୟ କମିଟି ପାଇଁ ହୋଇଥିବା ନିର୍ବାଚନ ସମୟରେ ଅନେକ ମହିଳା କର୍ପୋରେଟରଙ୍କ ସ୍ବାମୀମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଏପରିକି ସେମାନଙ୍କୁ ଚା ଓ ମଧ୍ୟାହ୍ନ ଭୋଜନ କକ୍ଷ ମଧ୍ୟରେ ଯୋଗାଇ ଦିଆଯାଇଥିବାର ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟ କମିଟି ଗଠନ ପାଇଁ ହୋଇଥିବା ନିର୍ବାଚନର ସମସ୍ତ ପ୍ରକ୍ରିୟାରେ କେତେ ଜଣ ମହିଳା କର୍ପୋରେଟରଙ୍କ ସ୍ବାମୀମାନଙ୍କୁ ସଭା କକ୍ଷରେ ଉପସ୍ଥିତ ରହିବାକୁ କିଏ ଅନୁମତି ଦେଇଥିଲା ତାହାକୁ ନେଇ ଏବେ ପ୍ରଶ୍ନ ହୋଇଛି।

ସମ୍ବନ୍ଧିତ ଖବର