ଗାନ୍ଧୀ ଭିତ୍ତି ସ୍ମାରକୀ ସ୍ଥାପତ୍ୟକୁ ନାହିଁ ସମ୍ମାନ, ୩୪ ଲକ୍ଷ ଟଙ୍କାର ସ୍ଥାପତ୍ୟକୁ ବାଉଁଶ ଠେସା

୪ ମାସରେ ଲିଭିଗଲା ଆଲୋକ, ଉଦ୍ୟାନ ସାରା ବଣବୁଦା

କଟକ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ଅବସରରେ କାଠଯୋଡି ବେଲଭ୍ୟୁ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଲା ଉତ୍କଳ ଦିବସରେ ‘ଗ‌ାନ୍ଧୀ ଭିତ୍ତି ସ୍ମାରକୀ ସ୍ଥାପତ୍ୟ’ ଉନ୍ମୋଚନ ହୋଇଥିଲା। କିନ୍ତୁ ମାତ୍ର ୪ ମାସ ଭିତରେ ଉକ୍ତ ସ୍ଥାପତ୍ୟ ଏବଂ ଏହାର ଚାରିପଟ ଅଞ୍ଚଳ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ସ୍ଥାପତ୍ୟ ପରିସରରେ ବୁଦା ଗଛ ବଢିବା ସହିତ ଆଲୋକ ଖୁଣ୍ଟିରେ ବଲବ୍‌ ବି ନାହିଁ। ଏଥି‌ରେ ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଓ ଓଡ଼ିଶାର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ଥାପତ୍ୟ ରହିଥିବା ବେଳେ ଅନ୍ଧାରୁଆ ପରିବେଶ ଅବହେଳାର ସ୍ପଷ୍ଟ ପ୍ରମାଣ ଦେଉଛି। ଅନ୍ୟପଟେ ଏହି ମହାନ ସ୍ଥାପତ୍ୟକୁ ସୁରକ୍ଷା ଦେଉଛି ପୋକଖିଆ ବାଉଁଶ। ଦେଶ ଓ ରାଜ୍ୟର ମହାନ ବ୍ୟକ୍ତିଙ୍କ ସ୍ଥାପତ୍ୟ ପ୍ରତି ଏପରି ଅସମ୍ମାନକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ୧୯୨୧ ମସିହାରେ ଗାନ୍ଧୀଜୀ ପ୍ରଥମ ଓଡ଼ିଶା ଗସ୍ତରେ ଆସି କାଠଯୋଡ଼ି ପଠାରେ କରିଥିବା ସଭାର ସ୍ମୃତି ସ୍ବରୂପ ବ୍ରୋଞ୍ଜ୍‌ ସ୍ଥାପତ୍ୟ ସ୍ଥାପନ କରିବାର ଯୋଜନା ହୋଇଥିଲା। ସଂସ୍କୃତି ବିଭାଗ ତରଫରୁ ୨୫ ଫୁଟ ଉଚ୍ଚତା ଓ ୧୩ ଫୁଟ ଚୌଡାର ଏହି ସ୍ଥାପତ୍ୟ ପାଇଁ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାକୁ ୨୦୨୧ ଏପ୍ରିଲ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ।

ଏଠାରେ ଉକ୍ତ ସ୍ଥାପତ୍ୟ ସହିତ ତିନିଟି ଫାଉଣ୍ଟେନ୍‌, ୱାକିଂ ଟ୍ରାକ୍‌, ଲୋକଙ୍କ ବସିବା ପାଇଁ ଗ୍ୟାଲେରି ସହିତ ଏକ ଉଦ୍ୟାନ ପ୍ରସ୍ତୁତ କରାଯାଇଥିଲା। ପ୍ରତିଦିନ ସଂଧ୍ୟ‌ାରେ ଏଠାରେ ଲୋକଙ୍କ ଭିଡ ଜମୁଥିଲା। ମାତ୍ର ମେ’ ୫ରେ ଲକ୍‌ଡାଉନ୍‌ ଘୋଷଣା ପରେ ଏହାକୁ ବନ୍ଦ କରି ଦିଆଗଲା। ହେଲେ ତିନି ମାସ ମଧ୍ୟରେ ଏହା ଭିତରେ ଥିବା ଆଲୋକ ବ୍ୟବସ୍ଥା ଏକ ପ୍ରକାର ଅଚଳ ହୋଇ ପଡିବା ସହିତ ଅନେକ ଖୁଣ୍ଟିରେ ଏବେ ବଲବ୍‌ ନାହିଁ। ସେପଟେ ୩ଟି ଫାଉ‌େଣ୍ଟନ‌ ବନ୍ଦ ହୋଇ ପଡିବା ସହିତ ଏହା ମଧ୍ୟରେ ବୁଦା ମାଡି ଗଲାଣି। ୩୪ ଲକ୍ଷ ଟଙ୍କାର ଏହି ସ୍ଥାପତ୍ୟକୁ ପୋକଖିଆ ପୁରୁଣା ବାଉଁଶରେ ଆବଦ୍ଧ କରାଯାଇଛି। ରାତି ସମୟରେ ନେତାଜୀ ସେତୁର ଝାପସା ଅନ୍ଧାର ଆଲୁଅ ଭିତରେ ଅଞ୍ଚଳର କିଛି ସ୍ଥାନ ଆଲୋକିତ ହେଉଛି। ଅନ୍ୟପଟେ ଉକ୍ତ ଅଞ୍ଚଳର ରକ୍ଷଣାବେକ୍ଷଣ ଦାୟିତ୍ବ ଏବେ ଆରଆଣ୍ଡବି ବିଭାଗ ଅଧୀନରେ ଥିବା ବେଳେ ଏହାକୁ ଖୁବଶୀଘ୍ର ସିଏମ୍‌ସିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର