ପାନୀୟଜଳ ଯୋଗାଣ ପାଇଁ ବାଲିଯାତ୍ରା ପଡ଼ିଆକୁ ୪ଜୋନ୍‌ରେ ବାଣ୍ଟିଲା ୱାଟ୍‌କୋ

କଟକ: ବାଲିଯାତ୍ରା ପଡ଼ିଆକୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ୱାଟ୍‌କୋ ପକ୍ଷରୁ ଉପର ଓ ତଳପଡ଼ିଆକୁ ୪ଟି ଜୋନ୍‌ରେ ବଣ୍ଟାଯାଇଛି। ବାଲିଯାତ୍ରାକୁ ଆସୁଥିବା ବ୍ୟବସାୟୀ ଓ ଯାତ୍ରୀଙ୍କୁ ପାନୀୟଜଳ ଯୋଗାଇବାକୁ ବିଭାଗ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି। ଉଭୟ ପଡ଼ିଆରେ ପାଣି ଯୋଗାଣ ପାଇଁ ୧୮ କିଲୋମିଟରର ପାଣି ପାଇପ୍‌ ବିଛାଯାଇଛି। ପାଇପ୍‌ ବାଟେ ପାଣି ଦେବା ପାଇଁ ୨୦ ଏଚ୍‌ପିର ଗୋଟିଏ, ୫ ଏଚ୍‌ପିର ୩ଟି ଓ ୨ ଏଚ୍‌ପିର ୨ଟି ପାଣି ମଟର ବସାଯିବ। ସିଣ୍ଟେକ୍ସ ଟାଙ୍କି ପାଇଁ ଉପର ପଡ଼ିଆରେ ୩୦ ଓ ତଳ ପଡ଼ିଆରେ ୧୨୦ଟି ସିମେଣ୍ଟ ପିଣ୍ଡି କରାଯାଉଛି। ପ୍ରତ୍ୟେକ ପାଣି ଟାଙ୍କିକୁ ନମ୍ବରିଂ କରାଯାଇ ସେଠା‌ରେ ମୋବାଇଲ୍‌ ନମ୍ବର ଦିଆଯିବ। ଚଳିତବର୍ଷ ଦୁଇଟି ପଡ଼ିଆରେ ମୋଟ ୧୨ଟି ନଳକୂପ ବସାଯାଇଛି।

ପାଣିରେ ବ୍ଳିଚିଂ ଦେବା ପାଇଁ ଏଥର ଅଟୋ କ୍ଲୋରିନ୍‌ ଡୋଜିଂର ୩ଟି ପାଣି ପମ୍ପ ବ୍ୟବହାର କରାଯିବ। ଏହା ସହିତ ଦୁଇଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତା ଓ ଆବଶ୍ୟକତାକୁ ଦେଖି ଦୁଇ ପଡ଼ିଆର ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ପାଣି ଟାଙ୍କି ରଖାଯାଇ ପାଣି ଦିଆଯିବ। ଏଥିପାଇଁ ୪ ହଜାର ଲିଟର୍‌ର ୧୦ଟି ଟ୍ୟାଙ୍କର୍‌ରେ ଦିନରେ ୩ଥର ସମସ୍ତ ଟାଙ୍କିରେ ପାଣି ଦିଆଯିବ। ଯାତ୍ରା ସମୟରେ ଏଜେନ୍ସି ମାଧ୍ୟମରେ ତିନି ସିଫ୍ଟରେ ୩୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇ ପାଣି ଯୋଗାଣ ବ୍ୟବସ୍ଥା ପରିଚାଳନା କରିବେ ବୋଲି ୱାଟ୍‌କୋ ବାରବାଟୀ ସବ୍‌-ଡିଭିଜ୍‌ନର ପରିଚାରକ ଡମ୍ବରୁଧର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର