କୋରିଅର୍‌ରେ ଗୁଟ୍‌ଖା କାରବାର, ନିଷିଦ୍ଧ ପରେ ବି ଚାଲିଛି କାରଖାନା

କରୋନାରେ କୋଟିଏ ୨୨ଲକ୍ଷର ମାଲ୍ ଜବତ, ଧରାପଡ଼ିଲାଣି ୩ କାରଖାନା, ଦୁଇ ଗୋଦାମ, ଟାର୍ଗେଟ୍‌ରେ ଗ୍ରାମାଞ୍ଚଳ ଗ୍ରାହକ

କଟକ: ୨୦୧୩ ଜାନୁଆରି ୩ ତାରିଖରେ ଓଡ଼ିଶାରେ ଗୁଟଖା ପ୍ରସ୍ତୁତି, ମହଜୁଦ, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥିଲା। କିନ୍ତୁ, ୮ବର୍ଷ ପରେ ବି ସ୍ଥିତିରେ ସେଭଳି କିଛି ପରିବର୍ତ୍ତନ ହୋଇଥିବା ମନେ ହେଉ ନାହିଁ। କଟକ ସହରରେ ଗଲା ୮ମାସ ଭିତରେ ୩ଟି ବେଆଇନ ଗୁଟ୍‌ଖା କାରଖାନା ଓ ଦୁଇଟି ଗୋଦାମ ଠାବ ହେଲାଣି। କରୋନା ସମୟରେ ଗଞ୍ଜେଇଠୁ ଅଧିକ ନକଲି ଗୁଟ୍‌ଖା କାରବାର କଟକ ସହରରେ ହିଁ ହୋଇଛି। ଗଞ୍ଜେଇ ମାତ୍ର ୩୫ ଲକ୍ଷ ଟଙ୍କାର ଜବତ ହୋଇଥିବା ବେଳେ ଗୁଟ୍‌ଖା ୧ କୋଟି ୨୨ ଲକ୍ଷ ଟଙ୍କାର ଜବତ ହୋଇଛି। ପଶ୍ଚିମବଙ୍ଗରୁ କୋରିଅର୍‌ରେ ଗୁଟଖା କଟକ ସହରକୁ ଚାଲାଣ ହେଉଥିବା ଗୁରୁତ୍ବପୂର୍ଣ୍ଣ ସୂଚନା କମିସନରେଟ୍ ପୁଲିସ ହାତରେ ଲାଗିଛି। ଏହା ହିଁ ବର୍ତ୍ତମାନ ସମୟରେ ସବୁଠାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, କଟକ ସହରରେ ଜଗତପୁର ଓ ସଦର ଅଞ୍ଚଳରେ ଗୁଟ୍‌ଖା ତିଆରି ହେଉଥିବା ବେଳେ ଆଉ କିଛି ଗୁଟଖା କଲିକତାରୁ ଚାଲାଣ ହେଉଛି। କଲିକତାରୁ କଟକ ଆସୁଥିବା ଡ୍ରେସ୍ କୋରିଅର୍ ଟ୍ରକରେ ହିଁ ଗୁଟ୍‌ଖା ଚାଲାଣ ହେଉଛି। ଡ୍ରେସ୍ ପ୍ୟାକେଟ୍ ଭଳି ଗୁଟଖାକୁ ପ୍ୟାକେଟ୍ କରି ଉପରେ ଡ୍ରେସ୍ ଥିବା ଲେଖାଯାଉଛି। କଟକକୁ ଆସୁଥିବା ବହୁସଂଖ୍ୟକ ଡ୍ରେସ୍ କୋରିଅର୍‌ରେ ଗୁଟଖା ଆମଦାନୀ ହେଉଥିବା କୁହାଯାଉଛି। କଟକ ସହରରେ ଗୁଟଖା ପହଞ୍ଚିଲା ପରେ ପିକ୍-ଅପ୍‌ ଭ୍ୟାନରେ ଢେଙ୍କାନାଳ ସମେତ ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ବାରିପଦା, ସୋନପୁର, ସମ୍ବଲପୁର, ବରଗଡ଼, କେନ୍ଦୁଝର ଭଳି ଜିଲ୍ଲାକୁ ଚାଲାଣ ହେଉଛି। କଟକର ଗ୍ରାମାଞ୍ଚଳ; ଯେଭଳି ବାଙ୍କୀ, ଟାଙ୍ଗୀ ଇତ୍ୟାଦି ବ୍ଲକକୁ ବି ଚାଲାଣ କରାଯାଉଛି। ଗ୍ରାମାଞ୍ଚଳରେ ଗୁଟ୍‌ଖାର ଚାହିଦା ଅଧିକ ଥିବାରୁ ଉପରୋକ୍ତ ଜିଲ୍ଲାକୁ ଟାର୍ଗେଟ କରାଯାଉଛି। ଅଳ୍ପ ମୂଲ୍ୟରେ ଗୁଟ୍‌ଖା ମିଳିଯାଉଥିବାରୁ କାରବାର ବି ବୃଦ୍ଧି ପାଇଥିବା କୁହାଯାଉଛି। କିନ୍ତୁ ଏହି ନକଲି ଗୁଟ୍‌ଖା କଟକ ଓ ଭୁବନେଶ୍ବର ସହରରେ ସେଭଳି ବିକ୍ରି ହେଉ ନାହିଁ। ଜଗତପୁର ଓ ସଦର ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଗୁଟଖା ବାଦାମବାଡ଼ିରୁ ଯାତ୍ରୀବାହୀ ବସ୍ ଯୋଗେ ବାହାର ଜିଲ୍ଲାକୁ ଚାଲାଣ କରାଯାଉଛି। କିନ୍ତୁ ପ୍ୟାକେଟ୍ ଉପରେ ବିସ୍କୁଟ କିମ୍ବା ଅନ୍ୟ ବହି ଥିବା ଲେଖାଯାଉଛି, ଯେଭଳି ସହଜରେ ସନ୍ଦେହ ହେବ ନାହିଁ। ୨୦୨୦ ନଭେମ୍ବର ୨୩ ତାରିଖରେ ଜଗତପୁର ଶିଳ୍ପାଞ୍ଚଳ ନିକଟରେ ଜଗତପୁର ଥାନା ପୁଲିସ ଗୁଟ୍‌ଖା କାରଖାନାରେ ଚଢ଼ଉ କରି ପ୍ରାୟ ୧୫ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ କରିଥିଲା। ପ୍ରାୟ ୨୦କ୍ବିଣ୍ଟାଲର ଗୁଟଖା କାରଖାନାରୁ ମିଳିଥିଲା। ଜଣେ ବ୍ୟବସାୟୀ ଏହି ମାମଲାରେ ଗିରଫ ହୋଇଥିଲା। ଦ୍ବିତୀୟ ଥର ପୁଣି ସେହି ଅଞ୍ଚଳରେ ଡିସେମ୍ବର ୧୬ ତାରିଖରେ ଚଢ଼ଉ ହୋଇଥିଲା, ଯେଉଁଠାରେ ୩ କ୍ୟୁଣ୍ଟାଲ୍‌ ଗୁଟ୍‌ଖା ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ। ଏହି ମାମଲରେ ଦୁଇଜଣ ଗିରଫ ହୋଇଥିଲେ। ପୁଣି ଜଗତପୁର ଥାନା ପୁଲିସ ଫେବ୍ରୁଆରି ୧୧ ତାରିଖରେ ମାଲଗୋଦାମରୁ ରାୟଗଡ଼ା ଯାଉଥିବା ଏକ ଚିନି ବୋଝେଇ ଗାଡ଼ି ଜବତ କରିଥିଲା। ୧୪୨ ବସ୍ତା ଚିନି ଯାଉଥିବା ବିଲ୍ ହୋଇଥିବାବେଳେ ଏଥିରେ ୪୨ ବସ୍ତା କେବଳ ଗୁଟ୍‌ଖା ଥିଲା। ୨୦ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ବାଦାମବାଡ଼ି ଥାନା ପୁଲିସ ମେ’ ୨୨ ତାରିଖରେ ପୁରୀ ବସଷ୍ଟାଣ୍ଡ୍‌ ପଛପଟ ନ୍ୟୁ କମଳପୁରରେ ଏକ ଗୁଟ୍‌ଖା ଗୋଦାମରେ ଚଢ଼ଉ କରିଥିଲା। ପ୍ରାୟ ୬୮ କ୍ୟୁଣ୍ଟାଲର ଗୁଟ୍‌ଖା ଜବତ ହୋଇଥିଲା, ଯାହାର ମୂଲ୍ୟ ପ୍ରାୟ ୩୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଜଣେ ବ୍ୟବସାୟୀ ଗିରଫ ହୋଇଥିବା ବେଳେ ପୁରୀଘାଟ ଅଞ୍ଚଳର ଅନ୍ୟତମ ସହଯୋଗୀ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି।

ଗଲା ୮ ତାରିଖରେ ଏକକାଳୀନ ମାଲଗୋଦାମ ଓ ସଦର ଅଞ୍ଚଳରେ ଚଢ଼ଉ ହୋଇଥିଲା। ମାଲଗୋଦାମ ଓଭର ତଳୁ ଏକ ଗୁଟଖା ଗୋଦାମରୁ ଭାଙ୍ଗ ଓ ଗୁଟଖା ୧୦ ଲକ୍ଷ ଟଙ୍କାର ଜବତ ହୋଇଥିଲା। ଜଣେ ମାଫିଆକୁ ପୁଲିସ କାବୁ କରିଥିଲା। ସେହିଭଳି ସଦର ଥନା ମୁକାମେଶ୍ବର ଅଞ୍ଚଳରେ ଥିବା ଗୁଟଖା କାରଖାନାରୁ ପୁଲିସ ପ୍ରାୟ ୩୫ କୁଇଣ୍ଟାଲ୍ ଗୁଟଖା ଜବତ କରିଥିଲା। ଯାହାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଲଗାତର ଏଭଳି ବେଆଇନ ଗୁଟଖା କାରବାର ସାମନାକୁ ଆସୁଥିବା ବେଳେ ନିଶିଦ୍ଧ ପରେ ବି ମାଫିଆମାନେ ଏତେ ସାହସ କେମିତି ପାଉଛନ୍ତି, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।

ସମ୍ବନ୍ଧିତ ଖବର