ପୁଲିସ ବିଭାଗରେ ଡିଏସ୍ପି ପଦୋନ୍ନତି ପାଲା : ୩୦୧ ଜଣଙ୍କୁ ପଦୋନ୍ନତି; ଜଣଙ୍କୁ ମିଳିଛି ପୋଷ୍ଟିଂ
୧୧୨ ଇନ୍ଚାର୍ଜ ଡିଏସ୍ପିଙ୍କ ଭବିଷ୍ୟତ କ’ଣ?
ଇନ୍ସପେକ୍ଟର ପଦୋନ୍ନତି ପ୍ରକ୍ରିୟା ବି ଗଡ଼ି ଚାଲିଛି
Sambad is now on WhatsApp
Join and get latest news updates delivered to you via WhatsApp
କଟକ, (କୃଷ୍ଣପ୍ରସାଦ ଦାସ) : ପୁଲିସ ବିଭାଗରେ ଆବଶ୍ୟକତା ଠାରୁ ଢେର କମ୍ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କାର୍ଯ୍ୟଦକ୍ଷତା ହ୍ରାସର ଇଏ ଏକ ଅନ୍ୟତମ ପ୍ରମୁଖ କାରଣ ଦର୍ଶାଇ ବିଭାଗ ଅନେକ ସମୟରେ ଖସିଯାଏ। କିନ୍ତୁ ବିଭାଗରେ ଗଲା କିଛି ବର୍ଷ ହେଲା ଯେଭଳି ପଦୋନ୍ନତି ପାଲା ଚାଲିଛି, ତାହା କେବଳ ବ୍ୟବସ୍ଥାକୁ ଦୁର୍ବଳ କରୁନାହିଁ, ଅଦାଲତି ବିବାଦକୁ ଡାକି ଆଣିବା ସହିତ କର୍ମଚାରୀ ଓ ଅଧିକାରୀଙ୍କ ମନୋବଳ ହ୍ରାସ କରିବାର ପ୍ରମୁଖ କାରଣ ସାଜିଛି। ଜାନୁଆରି ୨୯, ୨୦୨୧ରେ ୩୦୧ ଅଧିକାରୀଙ୍କୁ ଡିଏସ୍ପି ପାହ୍ୟାକୁ ପଦୋନ୍ନତି ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ପଦୋନ୍ନତି ପାଇଥିବା ଅଧିକାରୀ ଏହାକୁ ନେଇ ଖୁସି ବି ହୋଇ ପାରୁନାହାନ୍ତି। ଏଭଳି ବିଜ୍ଞପ୍ତି ଆଗକୁ କି ପ୍ରକାର ବିବାଦକୁ ବାଟ କଢାଇବ, ସେ ଆଶଙ୍କାରେ ଏବେ ସମସ୍ତେ ରହିଛନ୍ତି।
୨୦୧୪ରେ ଶେଷଥର ପାଇଁ ଡିଏସ୍ପି ପଦୋନ୍ନତି ବୋର୍ଡ ବସିଥିଲା। ସଂରକ୍ଷଣ ବିବାଦକୁ ନେଇ ମାମଲା ସୁପ୍ରିମକୋର୍ଟ ଯାଏ ଯାଇଥିବାରୁ ତା’ପରଠାରୁ ଆଉ ବୋର୍ଡ ବସି ପାରି ନଥିଲା। ଶେଷରେ ଅଚଳାବସ୍ଥା ଏଡ଼ାଇବାକୁ ସାଧାରଣବର୍ଗର ଅଧିକାରୀ ମାମଲା ପ୍ରତ୍ୟାହାର କରିବା ପରେ ୨୦୨୦, ଡିସେମ୍ବର ୩୦ରେ ଡିଏସ୍ପି ବୋର୍ଡ ବସିଲା। ଏହାପରେ ୩୦୧ ଜଣଙ୍କୁ ନେଇ ପଦୋନ୍ନତି ତାଲିକା ଜାନୁଆରି ୫, ୨୦୨୧ରେ ପ୍ରକାଶ ପାଇଲା। କିନ୍ତୁ ସେଥିରେ ବ୍ୟାପକ ତ୍ରୁଟି ରହିବାରୁ ୨୦୨୧, ଜାନୁଆରି ୨୯ରେ ସଂଶୋଧିତ ତାଲିକା ଜାରି କରାଗଲା।
କିନ୍ତୁ ପରକୁ ପର କର୍ତ୍ତୃପକ୍ଷ ଯେଉଁଭଳି ନିଷ୍ପତ୍ତି ନେଇ ଚାଲିଛନ୍ତି, ତାହା ବିବାଦର ମଞ୍ଜି ବୁଣି ଚାଲିଛି। ୩୦୧ ଜଣଙ୍କ ତାଲିକା ଜାରି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ୧୬ ନମ୍ବର ସ୍ଥାନରେ ଥିବା ରାଧାଚରଣ ପଟ୍ଟନାୟକଙ୍କୁ ପୋଷ୍ଟିଂ ଦିଆଯାଇଛି। ସେ ଅବସର ନେବାକୁ ଯାଉଥିବାରୁ ତାଙ୍କ କ୍ଷେତ୍ରରେ ଏଭଳି ନିଷ୍ପତ୍ତି ନିଆଯାଇ ୨୦୨୧, ଜାନୁଆରି ୩୦ରେ ବିଜ୍ଞପ୍ତି ଜାରି କରାଯାଇଛି। ମାନବିକ ଅନୁକମ୍ପା ଦୃଷ୍ଟିରୁ ଏହା ହୁଏତ ଠିକ୍ କୁହାଯାଇପାରେ। କିନ୍ତୁ ତାଙ୍କ ଉପରେ ଥିବା ୧୫ ଜଣଙ୍କୁ ପୋଷ୍ଟିଂ ମିଳି ନଥିବା ବେଳେ ତାଙ୍କ ପୋଷ୍ଟିଂ ଆଇନ ଅନୁଯାୟୀ କେତେ ଦୂର ଯଥାର୍ଥ, ତାହା ଏବେ ପ୍ରଶ୍ନର ପ୍ରସଙ୍ଗ ହୋଇଛି।
ଅନ୍ୟପଟେ ୨୦୧୪ରୁ ଡିଏସ୍ପି ପଦୋନ୍ନତି ବୋର୍ଡ ବସି ପାରୁ ନଥିବାରୁ ପୁଲିସ ବିଭାଗରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଏଡାଇବା ପାଇଁ ୨୦୧୭ରେ ୧୬୫ ଜଣ ଅଫିସରଙ୍କୁ ଇନଚାର୍ଜ ଡିଏସ୍ପି ଭାବେ ପୋଷ୍ଟିଂ ଦିଆଗଲା। ଏମାନେ ଇନ୍ସପେକ୍ଟର ପାହ୍ୟାର ଦରମା ପାଇଲେ କିନ୍ତୁ ଡିଏସ୍ପି ପାହ୍ୟାରେ କାମ କଲେ। ୩ ବର୍ଷରୁ ଅଧିକ ହେଲାଣି ସେମାନେ ଏଭଳି ଭାବେ କାର୍ଯ୍ୟ କରି ଆସୁଛନ୍ତି। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକ ଅଧିକାରୀ ଅବସର ନେଇ ସାରିଥିବାବେଳେ ଏବେ ୧୧୨ ଜଣଙ୍କୁ ଏହି ୩୦୧ ତାଲିକାରେ ରଖାଯାଇ ଡିଏସପି ପଦୋନ୍ନତି ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ଏହି ୧୧୨ ଅଧିକାରୀଙ୍କ ସ୍ଥିତିକୁ ନେଇ ଆଶଙ୍କା ବଢିବାରେ ଲାଗିଛି। ଡିଏସ୍ପି ପାହ୍ୟାରେ ସେମାନଙ୍କ ବରିଷ୍ଠତା କେବେ ଠାରୁ ହିସାବ କରାଯିବ? ୨୦୧୭/୧୮ରେ ଇନଚାର୍ଜ ଡିଏସ୍ପି ଭାବେ କାର୍ଯ୍ୟ କରିବା ଦିନରୁ ନା ୨୦୨୧ରେ ଡିଏସ୍ପି ପଦୋନ୍ନତି ପାଇବା ପରେ ଯେଉଁ ଦିନ ତାଙ୍କୁ ପୋଷ୍ଟିଂ କରାଯିବ, ସେହି ଦିନରୁ? ଯଦି ସେମାନଙ୍କ ଇନଚାର୍ଜ ଡିଏସ୍ପି କାର୍ଯ୍ୟକାଳକୁ ହିସାବକୁ ନିଆ ନଯିବ, ତେବେ ସେମାନେ ଡିଏସ୍ପି ଭାବେ ଯେଉଁ ତଦନ୍ତ କରିଛନ୍ତି, ସେ ତଦନ୍ତର ଆଇନଗତ ଭାଗ୍ୟ କ’ଣ ହେବ? ସେମାନେ ଯେଉଁ ୩ ବର୍ଷରୁ ଅଧିକ ହେଲାଣି ଇନ୍ସପେକ୍ଟର ପାହ୍ୟାର ଦରମା ପାଉଛନ୍ତି, ଡିଏସ୍ପି ପାହ୍ୟାର ଦରମା ସେମାନଙ୍କୁ ପିଛିଲା ଭାବେ ମିଳିବ ନା ନାହିଁ? ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ୧୧୨ ଜଣ ଅଧିକାରୀ ଡିଏସ୍ପି ଦାୟିତ୍ବରେ ୩ ବର୍ଷରୁ ଅଧିକ ହେଲାଣି କମ୍ ଦରମାରେ କାମ କରି ଆସୁଥିବାବେଳେ ପଦୋନ୍ନତି ବିଜ୍ଞପ୍ତିର ୧୨ ଦିନ ପରେ ବି ସେମାନଙ୍କ ପୋଷ୍ଟିଂ ବିଜ୍ଞପ୍ତି ଜାରି କରାଯାଉ ନାହିଁ। ଏବେ ସ୍ଥିତି ଏମିତି ଯେ ବିଭାଗର ଟିକିଏ ଏପଟ ସେପଟ ହେଲା ଭଳି ନିଷ୍ପତ୍ତି ପୁଣି ଅଦାଲତି ଲଢେଇକୁ ଡାକି ଆଣିବ। ଏହି ପଦୋନ୍ନତି ସଂକ୍ରାନ୍ତ ବିଜ୍ଞପ୍ତି ବିଭାଗର ୱେବସାଇଟ୍ରେ ଜାରି କରା ନଯିବା ବି ବିଭିନ୍ନ ମହଲରେ ଆଶଙ୍କାର କାରଣ ହୋଇଛି। ସେପଟେ ଏସ୍ଆଇରୁ ଇନ୍ସପେକ୍ଟର ପଦୋନ୍ନତି ପ୍ରକ୍ରିୟା ବି ବିଭିନ୍ନ ଅଦ୍ଭୁତ କାରଣରୁ ଗଡ଼ିଚାଲିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ପୁଲିସ ବିଭାଗରେ ଏଭଳି ଜଟିଳତା ଆଉ ବିବାଦ ପାଇଁ ଦାୟୀ କିଏ? ଏଭଳି ସ୍ଥିତିରେ ବିଭାଗ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ନିୟନ୍ତ୍ରଣ ଭଳି ବଡ଼ ଚାଲେଞ୍ଜକୁ କିଭଳି ସଫଳ ମୁକାବିଲା କରିବ, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ମୁଣ୍ଡ ଟେକୁଛି।