ଅନିଚ୍ଛା ସତ୍ବେ ପୀଡିତାଙ୍କ ଗର୍ଭଧାରଣ ପ୍ରସଂଗ: ଡିଏମଇଟିଙ୍କୁ ନେଇ ଗଠିତ କମିଟିର ରିପୋର୍ଟ ଦାଖଲ

ହାଇକୋର୍ଟରେ ଶୁଣାଣି ଶେଷ

କଟକ: ଅନିଚ୍ଛା ସତ୍ବେ ଗର୍ଭବତୀ ହୋଇଥିବା ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ସଂପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଛି। ଡିଏମଇଟି ଓ ଅନ୍ୟ ଡାକ୍ତରଙ୍କୁ ନେଇ ଗଠିତ କମିଟି ପୀଡିତାଙ୍କ ପକ୍ଷେ ଗର୍ଭଧାରଣ ଜାରି ବାଞ୍ଛନୀୟ ବା ନୁହେଁ ସେ ନେଇ ରିପୋର୍ଟରେ ଉଲ୍ଲେଖ କରି ରିପୋର୍ଟ ଦାଖଲ କରିଛନ୍ତି। ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଡିସେମ୍ବର ୧୦ରେ ହାଇକୋର୍ଟ ମାମଲାର ଶୁଣାଣି କରି ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ, ଏସସିବି ମେଡିକାଲ କଲେଜର ଭେଷଜ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ରୋଗ ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନଙ୍କ ସହିତ ଜଣେ ମନସ୍ତତ୍ବବିତ୍, ଜଣେ ନିଶ୍ଚେତକ ବିଶେଷଜ୍ଞ ଓ ଜଣେ ରେଡିଓଲୋଜିଷ୍ଟଙ୍କୁ ନେଇ ଗଠିତ କମିଟି ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ପୀଡିତାଙ୍କ ମାନସିକ ଓ ଶାରୀରିକ ଅବସ୍ଥାକୁ ଦୃଷ୍ଟିରେ ରଖି ଗର୍ଭଧାରଣ ଜାରି ବାଞ୍ଛନୀୟ ବା ନୁହେଁ ସେ ନେଇ ରିପୋର୍ଟରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ପୀଡିତା ଅନିଚ୍ଛା ସତ୍ବେ ଗର୍ଭବତୀ ହୋଇଥିବା ବେଳେ ଗର୍ଭପାତ ପାଇଁ ଅନୁମତି ଲୋଡି ହାଇକୋର୍ଟରେ ଆବେଦନ କରାଯାଇଥିଲା। ଡିସେମ୍ବର ୭ରେ ଖଣ୍ଡପୀଠ ମାମଲାର ଶୁଣାଣି କରି ତୁରନ୍ତ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରି ରିପୋର୍ଟ ଦାଖଲ ପାଇଁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଂଗ ପୀଡିତଙ୍କ ଜୀବନ ସହିତ ଜଡିତ ଥିବା ବେଳେ ମାନସିକ ଓ ଶାରୀରିକ ସ୍ଥିତିକୁ ଦୃଷ୍ଟିରେ ରଖି ଗର୍ଭଧାରଣ ଜାରି ରହିବ ବା ନାହିଁ ସେ ନେଇ ଡାକ୍ତର ପରାମର୍ଶ ଦେବେ ବୋଲି ଡିସେମ୍ବର ୭ରେ ନିର୍ଦ୍ଦେଶ ଦିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଦାଖଲ କରିଥିବା ରିପୋର୍ଟରୁ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ପଷ୍ଟ ହୋଇ ନଥିବାରୁ ହାଇକୋର୍ଟ ଡିଏମଇଟିଙ୍କୁ ନେଇ ଗଠିତ କମିଟିକୁ ଏହି ପ୍ରସଂଗରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର