ବିଟେକ୍‌ ଛାତ୍ରଙ୍କ ମ୍ୟାଜିକ୍‌ ନିଶା, ବିନା ତାଲିମରେ ଅନ୍ତର୍ଜାତୀୟ ମ୍ୟାଜିସିଆନଙ୍କ ସହ କରୁଛନ୍ତି ସୋ’

କଟକ: ସିଲଭରସିଟିର ଯାଦୁଗର ସାରାଂଶ। ଭଳି କି ଭଳି ଯାଦୁ ବା ମ୍ୟାଜିକ ସୋ କରି ସେ ଏବେ ବେଶ ଚର୍ଚ୍ଚାରେ। ମ୍ୟାଜିକ ପାଇଁ ବିନା କୌଣସି ତାଲିମ ନେଇ ଏବେ ବିଶ୍ୱର ବିଭିନ୍ନ ମ୍ୟାଜିସିଆନଙ୍କ ସହ ସେ କରୁଛନ୍ତି ମ୍ୟାଜିକ ସୋ। ନୂତନ ପଦ୍ଧତିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଆପଣାଇ କରୁଛନ୍ତି ମ୍ୟାଜିକ। ଏଭଳି ନିଆରା ମ୍ୟାଜିକ ପାଇଁ ଅନ୍ତର୍ଜାତୀୟ ମ୍ୟାଜିସିଆନ ‘ଡାଇନାମୋ’ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଜଣାଇଛନ୍ତି।

କଟକ ଓଏମପି ସ୍ଥିତ ଓସଏପି ଷଷ୍ଠ ବ୍ୟାଟାଲିୟନ ଠାରେ ରହୁଥିବା ବିଶ୍ୱଜିତ ଦାସ ଓ ମମତା ସାମନ୍ତରାୟଙ୍କ ପୁଅ ସାରାଂଶ ଦାସଙ୍କ ବୟସ ୨୦ ବର୍ଷ। ପଞ୍ଜାବ ସ୍ଥିତ ଲଭ୍‌ଲି ପ୍ରଫେସ୍ନାଲ ୟୁନିଭରସିଟିର ସେ ବିଟେକ୍‌ ତୃତୀୟ ବର୍ଷର ଛାତ୍ର। ଗଣ୍ଡରପୁର ସ୍ଥିତ ଏଲଆର୍‌ ଡିଏଭି ସ୍କୁଲରେ ପାଠ ପଢୁଥିବା ସମୟରୁ ହିଁ ମ୍ୟାଜିକ ପାଇଁ ମନ ବଳାଇଥିଲେ ସାରାଂଶ। ପିଲାବେଳୁ ମ୍ୟାଜିକ ସୋ ଦେଖିବା ପାଇଁ ପସନ୍ଦ କରୁଥିବାବେଳେ ମ୍ୟାଜିକ କିଭଳି କରାଯାଏ ତାହା ଭାବିବା ସହ ନିଜ ବାପା ମା’ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଏ ବିଷୟରେ ପଚାରି ବୁଝୁଥିଲେ। ପରେ ସେ ଇଣ୍ଟରନେଟ୍‌ ଯୋଗେ ମ୍ୟାଜିକ ଉପରେ ରିସର୍ଚ୍ଚ କରିବା ଆରମ୍ଭ କରିବା ସହ ମ୍ୟାଜିକ ବହି ମଧ୍ୟ ପଢିବା ଆରମ୍ଭ କରିଥିଲେ।

ପ୍ରଥମେ ତାଙ୍କ ଜେଜେମାଙ୍କୁ ମ୍ୟାଜିକ କରି ଦେଖାଇଥିଲେ ଓ ପରେ ପରିବାରର ଅନ୍ୟ ସଦସ୍ୟଙ୍କୁ ଦେଖାଇଥିଲେ ନିଜ ଯାଦୁଗରୀ। ଏହିଭଳି ଦୁଇବର୍ଷ ନିଜ ପ୍ରୟାସ ଜାରି ରଖିବାପରେ ଷଷ୍ଠ ଶ୍ରେଣୀରେ ସ୍କୁଲ ତରଫରୁ ପ୍ରଥମଥର ପାଇଁ ତାଙ୍କୁ ମ୍ୟାଜିକ ସୋ କରିବା ପାଇଁ ସ୍କୁଲ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। ସ୍କୁଲରେ ମ୍ୟାଜିକ ଦେଖାଇବା ପରେ ଧୀରେଧୀରେ ତାଙ୍କ ମ୍ୟାଜିକ ଦେଖିବାକୁ ଲୋକେ ଆଗ୍ରହ ପ୍ରକାଶ କରିଥିଲେ। ଏପରିକି ଅନ୍ୟ ଅନୁଷ୍ଠାନ ମାନଙ୍କରେ ମଧ୍ୟ୍ୟ ନିଜ ମ୍ୟାଜିକ୍‌ ଦେଖାଇଛନ୍ତି ସାରାଂଶ।

Sambad

ବିଟେକ୍‌ ପଢିବା ପାଇଁ ପଞ୍ଜାବ ଯାଇ ସେଠି ମଧ୍ୟ ନିଜ ମ୍ୟାଜିକ୍‌ ଦେଖାଇ ବେଶ ଚର୍ଚ୍ଚାରେ ରହିଛନ୍ତି ସାରାଂଶ। କରୋନା ଯୋଗୁଁ ଲକ୍‌ଡାଉନ ସମୟରେ ସେ କଟକ ଫେରିଥିଲେ। କରୋନାର ପ୍ରଥମ ଲହରରେ ପ୍ରଥମଥର ସେ ଅନଲାଇନ ମ୍ୟାଜିକ ସୋ ଆୟୋଜନ କରିଥିଲେ। ଯେଉଁଥିରେ ବିଭିନ୍ନ ଦେଶର ମ୍ୟାଜିସିଆନ ମାନେ ଯୋଡି ହୋଇ ମ୍ୟାଜିକ ଦେଖାଇଥିଲେ ଏବଂ ଏହାକୁ ଲୋକେ ଅଧିକ ପସନ୍ଦ କରିବା ସହ ଏଭଳି ଅନଲାଇନ ମ୍ୟାଜିକ ସୋ କରିବା ପାଇଁ ଡିମାଣ୍ଡ ମଧ୍ୟ କରିଥିଲେ। ଲୋକଙ୍କ ଡିମାଣ୍ଡକୁ ନଜରରେ ରଖି କରୋନାର ଦ୍ୱିତୀୟ ଲହରର ମଧ୍ୟ୍ୟ ଏକ ଅନଲାଇନ ମ୍ୟାଜିକ ସୋ’ ସେ ଆୟୋଜନ କରିଥିଲେ।

ସେଥିରେ ବିଶ୍ୱର ବିଭିନ୍ନ ମ୍ୟାଜିସିଆନ ଯୋଡି ହୋଇ ମ୍ୟାଜିକ ଦେଖାଇଥିଲେ। ଆଗାମୀ ଦିନରେ ହଲିଉଡର ମ୍ୟାଜିସିଆନଙ୍କୁ ନିଜ ଅନଲାଇନ ମ୍ୟାଜିକ ସୋ’ରେ ଯୋଡିବା ସହ ଭାରତର ମ୍ୟାଜିକ ବିଦେଶରେ ଓ ବିଦେଶର ମ୍ୟାଜିକ ଭାରତରେ ଆଣି ଦେଖାଇବା ଏବଂ ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟରେ ନିଜ ମ୍ୟାଜିକ ପରିବେଷଣ କରିବାକୁ ସାରାଂଶ ଲକ୍ଷ୍ୟ ରଖିଛନ୍ତି। ସାରାଂଶ କୁହନ୍ତି ଯେ, ପିଲାବେଳୁ ତାଙ୍କର ମ୍ୟାଜିକ ପ୍ରତି ଦୁର୍ବଳତା ରହିଆସିଛି। ଅନ୍ତର୍ଜାତୀୟ ମ୍ୟାଜିସିଆନ ଡାଇନାମୋଙ୍କ ମ୍ୟାଜିକ ଦେଖି ସେ ମ୍ୟାଜିକ କରିବାକୁ ପ୍ରେରଣା ପାଇଛନ୍ତି। ୯ ବର୍ଷ ହେବ ସେ ମ୍ୟାଜିକ କରିଆସୁଛନ୍ତି। ପ୍ରଥମେ ଘର ଲୋକ ଏଥିରେ ଖୁସି ନଥିଲେ। ହେଲେ ଏବେ ପରିବାରର ସମର୍ଥନ ମଧ୍ୟ ମିଳୁଛି ବୋଲି ସାରାଂଶ କୁହନ୍ତି।

ସମ୍ବନ୍ଧିତ ଖବର