ଖାଉଟି ମୁଣ୍ଡରେ ତେଲ ଚଡ଼କ, ରିଫାଇନ୍‌ ତେଲ ଲିଟର ୨୦ରୁ ୨୫ ଟଙ୍କା ବୃଦ୍ଧି

କଟକ: ରୁଷ-ୟୁକ୍ରେନ୍ ଯୋଗୁଁ ରିଫାଇନ୍ ତେଲ ଦର ଉପରେ ତାହାର ପ୍ରଭାବ ପଡିଛି। କିନ୍ତୁ ସୋରିଶ ତେଲ ଓ ରାଇସବ୍ରାନ୍ ତେଲ ଦର ଉପରେ ତାହାର ପ୍ରଭାବ ପଡି ନାହିଁ। କିନ୍ତୁ ବର୍ତ୍ତମାନ ବଜାରରେ ଅଭାବ ସ୍ଥିତି ନାହିଁ। କେତେକ ବ୍ୟବସାୟୀ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ କିଣୁ ଥିବାରୁ ଅଭାବ ଆଉ ଦର ବୃଦ୍ଧି ଉପରେ ଅଧିକ ପ୍ରଭାବ ପଡୁଛି। ଏଭଳି ସ୍ଥିତିରେ ଅଧିକ ଆତଙ୍କିତ ନ ହେବାକୁ କଟକ ବଣିକ ସଂଘ ପକ୍ଷରୁ ଗ୍ରାହକଙ୍କୁ ଅନୁରୋଧ କରାଯାଇଛି। ଅନ୍ୟପଟେ ପୂର୍ବରୁ କଞ୍ଚାମାଲ ଦର ବଢ଼ିବା ଆଳରେ ଖାଇବା ତେଲ ଦର ବୃଦ୍ଧି ହୋଇଥିବା ବେଳେ ଏବେ ଋଷ-ୟୁକ୍ରେନ୍‌ ଯୁଦ୍ଧ ଚାଲିବା ଆଳରେ ଖାଇବା ତେଲ ଦରକୁ ବୃଦ୍ଧି କରାଯାଉଛି। ଏହାର ଫଳସ୍ବରୂପ ସପ୍ତାହେ ହେଲା ହୋଲ୍‌ସେଲ୍‌ରେ ରିଫାଇନ୍ ତେଲ ଲିଟର ପିଛା ୨୦ରୁ ୨୫ ଟଙ୍କା ବଢ଼ିଯାଇଛି। ଏପରିକି ତେଲ ପାଉଚରେ ଥିବା ଲିଖିତ ମୂଲ୍ୟଠାରୁ ଅଧିକ ଦରରେ ଏହା ଖାଉଟିଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି।

ଏଭଳି ପରିସ୍ଥିତି ପାଇଁ ବହୁ ଖୁଚୁରା ବ୍ୟବସାୟୀ ଏବେ ରିଫାଇନ୍ ତେଲ ରଖୁ ନଥିବା ଜଣାପଡ଼ିଛି। କଟକ ମାଲଗୋଦାମ୍‌ରେ ସପ୍ତାହେ ତଳେ ପାମୋଲିନ୍‌ ତେଲ ପେଟିକୁ ହୋଲସେଲ୍‌ରେ ୧୩୨୦ ଟଙ୍କା ରହିଥିବା ବେଳେ ଚଳିତ ମାସ ୨ତାରିଖରେ ଏହାର ଦର ୧୫୩୦ ଟଙ୍କା ହୋଇଛି। ଗତ ସପ୍ତାହ‌ରେ ଫ୍ରିଡମ୍ ସନ୍‌ଫ୍ଲାୱାର ତେଲ ଲିଟର ପିଛା (ହୋଲସେଲ୍ ଦର) ୧୩୮ଟଙ୍କା ଥିବା ବେଳେ ଏ ସପ୍ତାହରେ ତାହା ୧୫୮ଟଙ୍କା ରହିଛି। ସେହିପରି ଗତ ସପ୍ତାହ‌ରେ ଫର୍ଚ୍ୟୁନ୍‌ ସନ୍‌ଫ୍ଲାୱାର ତେଲ ଲିଟର ପିଛା (ହୋଲସେଲ୍ ଦର) ୧୩୫ ଟଙ୍କା ଥିଲା ବେଳେ ଏବେ ୧୫୫ଟଙ୍କା ରହିଛି। କିନ୍ତୁ ସୋରିଷ ତେଲ ପୂର୍ବଭଳି ସମାନ ରହିଛି। ହୋଲସେଲ୍‌ରେ ସୋରିଷ ତେଲ ଲିଟର (ଇଞ୍ଜିନ) ପିଛା ୧୮୫ଟଙ୍କା, ଡବଲ ହିରନ୍‌ ୧୯୦ଟଙ୍କା, ସାଲୋନି ୧୭୩ଟଙ୍କା, ଫର୍ଚ୍ୟୁନ୍‌ ସୋରିଷ ତେଲ ୧୭୫ ଟଙ୍କା ରହିଛି। ଏବେ ପାମୋଲିନ୍, ରିଫାଇନ୍ ତେଲ ହୋଲସେଲ୍‌ରେ ଲିଟର ପିଛା ୨୦ରୁ ୨୫ଟଙ୍କା ବଢ଼ିଯାଇଥିବା ବେଳେ ଖୁଚୁରା ଦୋକାନୀ ଖାଉଟିମାନଙ୍କୁ ବିକ୍ରି କରିବା ବେଳେ ସମସ୍ୟାରେ ପଡୁଛନ୍ତି। ସମସ୍ୟା ହେଉଛି, ରିଫାଇନ୍ ତେଲ ପାଉଚ୍‌ରେ ଲିଟରକୁ ୧୫୫ଟଙ୍କା ଲେଖାଯାଇଥିବା ବେଳେ ଖୁଚୁରା ବ୍ୟବସାୟୀ ତାହାକୁ ୧୫୫ଟଙ୍କାରେ କିଣୁଛନ୍ତି। ତେଣୁ ସେମାନେ ଖାଉଟିଙ୍କୁ ୧୫୭ ଟଙ୍କାରେ ବିକ୍ରି କରିବା ବ‌େଳେ ଅନେକ ଗ୍ରାହକ ତାହାର ବିରୋଧ କରୁଛନ୍ତି। ମାଲଗୋଦାମର ଜଣେ ଖୁଚୁରା ବ୍ୟବସାୟୀଙ୍କ କହିବା ଅନୁସାରେ, ପାମୋଲିନ୍‌ ତେଲ ଲିଟରକୁ ୧୫୩ଟଙ୍କା କିଣା ପଡ଼ୁଥିବାରୁ ସେମାନେ ଖାଉଟିଙ୍କୁ ୧୫୫ଟଙ୍କାରେ ବିକ୍ରି କରୁଛନ୍ତି।

କିନ୍ତୁ ଫର୍ଚ୍ୟୁନ ସନଫ୍ଲାୱାର ତେଲ ପେଟି(୧୬ଲିଟର)କୁ ୨୪୮୦ଟଙ୍କା କିଣା (ଲିଟରକୁ ୧୫୫ଟଙ୍କା) ପଡ଼ୁଥିବା ବେଳେ ପାଉଚ୍‌ରେ ଲିଖିତ ମୂଲ୍ୟ ୧୫୫ଟଙ୍କା ରହିଛି। ପୁଣି ଫ୍ରିଡମ୍ ରିଫାଇନ୍ ତେଲ ପେଟି(୧୬ଲିଟରକୁ) ୨୪୭୦ଟଙ୍କା(ଲିଟରକୁ ୧୫୪.୪୦ପଇସା) ରହିଥିବା ବେଳେ ପାଉଚ୍‌ରେ ଲିଖିତ ମୂଲ୍ୟ ୧୫୫ଟଙ୍କା ରହିଛି। ଏସବୁ ତେଲକୁ ଖୁଚୁରାରେ ଲିଟର ପିଛା ୧୫୭ଟଙ୍କାରେ ବିକ୍ରି କରିବା ବେଳେ ଖାଉଟିମାନେ ବିଭିନ୍ନ ପ୍ରଶ୍ନ ପଚାରି ସମସ୍ୟା ସୃ‌ଷ୍ଟି କରୁଛନ୍ତି। ତେଣୁ ଅଧିକାଂଶ ଖୁଚୁରା ବ୍ୟବସାୟୀ ରିଫାଇନ୍‌ ତେଲ ବିକ୍ରି କରୁ ନଥିବା ସଂପୃକ୍ତ ଖୁଚୁରା ବ୍ୟବସାୟୀ କହିଛନ୍ତି। କଟକ ବଣିକ ସଂଘ ସଭାପତି ପ୍ରଶାନ୍ତ କୁମାର ପାତ୍ରଙ୍କ କହିବା ଅନୁସାରେ, ଭାରତରେ ଯେତିକି ପରିମାଣର ଖାଇବା ତେଲ ବ୍ୟବହାର କରାଯାଉଛି, ତାହାର ୬୦ପ୍ରତିଶତ ତେଲ ଦେଶବାହାରୁ ଆମଦାନୀ କରାଯାଉଛି। ବାହାରୁ ଆମଦାନୀ ହେଉଥିବା ତେଲର ୫୦ ପ୍ରତିଶତ ୟୁକ୍ରେନ୍‌ରୁ ଓ ଅବଶିଷ୍ଟ ୫୦ପ୍ରତିଶତ ମାଲ୍‌ଏସିଆ, ସିଙ୍ଗାପୁରରୁ ଆସୁଛି। ଏବେ ଯୁଦ୍ଧ ପାଇଁ ୟୁକ୍ରେନରୁ ତେଲ ଆମଦାନୀ ସଂପୂର୍ଣ୍ଣ ବନ୍ଦ ରହିଥିବାରୁ ଏବେ ଆମକୁ ସଂପୂର୍ଣ୍ଣ ଭାବେ ମାଲ୍‌ଏସିଆ ଓ ସିଙ୍ଗାପୁର ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହାର ସୁଯୋଗ ନେଇ ମାଲ୍‌ଏସିଆ ଓ ସିଙ୍ଗାପୁର ବ୍ୟବସାୟୀମାନେ ଦର ବୃଦ୍ଧି କରିଛନ୍ତି ବୋଲି ସଭାପତି ଶ୍ରୀ ପାତ୍ର କହିଛନ୍ତି। ଦ୍ବିତୀୟ କାରଣଟି ହେଉଛି ଏଭଳି ସ୍ଥିତିକୁ ବୁଝିଥିବା ଖାଉଟିମାନେ ଏବେ ୨ ଲିଟର ସ୍ଥାନରେ ଦୁଇ ପେଟି ବୋହୁଛନ୍ତି। ଏଥି ପାଇଁ ଦର ୨୦ରୁ ୨୫ଟଙ୍କା ବୃଦ୍ଧି ପାଇଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। କିନ୍ତୁ ସୋରିଷ ତେଲ ଓ ରାଇସ୍ ବ୍ରାନ୍ ତେଲ ଭାରତରେ ତିଆରି ହେଉଥିବାରୁ ଏହାର ଦର ସ୍ଥିର ରହିଛି। ଖାଉଟିମାନେ ଆତଙ୍କିତ ନ ହୋଇ ଆବଶ୍ୟକ ଅନୁ‌ସାରେ ତେଲ କିଣିବାକୁ କଟକ ବଣିକ ସଂଘ ସଭାପତି ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର