ପୁଲିସକୁ ଲୁଟେରାଙ୍କ ଚାଲେଞ୍ଜ; ନରସି˚ହପୁରରେ ‘ଫେରିବାଲା ଗ୍ରୁପ୍‌’!

ଏଠି ବି ହାଫ୍‌ ପ୍ୟାଣ୍ଟ ପିନ୍ଧା ଦୁର୍ବୃତ୍ତ; ତାଲା ଭାଙ୍ଗୁଥିଲେ, ନିଦ ଭାଙ୍ଗିଗଲା

କଟକ: ମଧୁପାଟଣାକୁ ପୁଣି ଏକ ସପ୍ତାହ ବ୍ୟବଧାନରେ ଫେରିଛନ୍ତି ଲୁଟେରା ଦଳ। କଟକ ସରକାରୀ ପ୍ରେସ୍‌ର ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ ଲୁଟ୍‌ ଉଦ୍ୟମ କରିଛନ୍ତି ଲୁଟେରା ଦଳ। ଶନିବାର ବିଳମ୍ବିତ ରାତିରେ ଦୁଇଜଣ ଲୁଟେରା ତାଙ୍କ ଗ୍ରିଲର ତାଲା ଭାଙ୍ଗିବାକୁ ଉଦ୍ୟମ କଲା ବେଳେ ପରିବାର ସଦସ୍ୟଙ୍କ ନିଦ ଭାଙ୍ଗିଯାଇଥିଲା। ଯଦ୍ବାରା ବଡ଼ ଧରଣର ଲୁଟ୍‌ ଉଦ୍ୟମ ଫେଲ୍‌ ମାରିଥିବା କୁହାଯାଉଛି। ଦୁଇ ଲୁଟେରା ହାଫ୍‌ପ୍ୟାଣ୍ଟ ପିନ୍ଧିଥିବା ବେଳେ ମୁହଁରେ ମାସ୍କ ପିନ୍ଧିଥିଲେ। ଏ ସ˚କ୍ରାନ୍ତରେ ମଧୁପାଟଣା ଥାନାରେ ଅଭିଯୋଗ କଲା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଗଲା ଜାନୁଆରି ୨୫ ତାରିଖ ବିଳମ୍ବିତ ରାତିରେ ଖପୁରିଆ ଲେବର କଲୋନି ଅଞ୍ଚଳର ପ୍ରଦୀପ ମହାନ୍ତିଙ୍କ ଘରୁ ଡକାୟତି ବେଳେ ଜଣେ ହାପ୍‌ପ୍ୟାଣ୍ଟ ପିନ୍ଧା ଡେଙ୍ଗା ଦୁର୍ବୃତ୍ତଙ୍କ ଫଟୋ ସିସିଟିଭି କ୍ୟାମେରାରୁ ଜବତ ହୋଇଥିଲା। ସେହି ଭଳି ଜଣେ ବ୍ୟକ୍ତି ରମେଶଙ୍କ ଘରକୁ ଶନିବାର ବିଳମ୍ବିତ ରାତିରେ ଆସିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ମଧୁପାଟଣା ନୂଆପଡ଼ା ଅଞ୍ଚଳରେ ରହୁଥିବା ରମେଶ ଚନ୍ଦ୍ର ନାୟକଙ୍କ ଘରର ମୁଖ୍ୟ ଗ୍ରିଲ ଭିତର ପଟୁ ତାଲା ପଡ଼ିଥିଲା। ଶନିବାର ରାତି ପ୍ରାୟ ଗୋଟାଏ ବେଳେ ହଠାତ୍‌ ତାଲା କେହି ଭାଙ୍ଗୁଥିବା ଶବ୍ଦ ହୋଇଥିଲା। ସାମ୍ନା ଘରେ ଶୋଇଥିବା ରମେଶଙ୍କ ବାପା ନିଦରୁ ଉଠିପଡ଼ିଥିଲେ। ଦେଖିଲା ବେଳକୁ ତାଙ୍କ ଘରର ମୁଖ୍ୟ ଗ୍ରିଲ ଉପରେ ଜଣେ ବ୍ୟକ୍ତି ଚଢ଼ିଥିଲା ବାହାର ପଟେ ଅନ୍ୟ ଜଣେ ଗ୍ରିଲକୁ ଧରି ଛିଡ଼ା ହୋଇଥିଲା। ଉଭୟ ମିଶି ଭିତର ପଟେ ପଡ଼ିଥିବା ଗ୍ରିଲ ତାଲାକୁ ଭାଙ୍ଗୁଥିଲେ। ପ୍ରାୟ ୧୫ ମିନିଟ୍‌ କାଳ ଉଦ୍ୟମ କରିଥିଲେ। ହଠାତ୍‌ ରମେଶଙ୍କ ବାପା ପାଟି କରିବାରୁ ଦୁଇଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ। ସେମାନେ ମୁହଁରେ ମାସ୍କ ପିନ୍ଧିଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବପର ହୋଇ ନଥିଲା। ଦୁର୍ବୃତ୍ତଦ୍ବୟ ଦୌଡ଼ି ପଳାଇବା ସମୟରେ କୁକୁର ଭୁକିଥିଲା। ନୂଆପଡ଼ା ଅଞ୍ଚଳରେ ରହୁଥିବା କାନାଡ଼ା ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜରଙ୍କ ଘରୁ ଫେବ୍ରୁଆରି ୨୮ ତାରିଖରୁ ମାର୍ଚ୍ଚ ୩ ତାରିଖ ଭିତରେ ତାଲା ଭାଙ୍ଗି ଦୁର୍ବୃତ୍ତ ଦଳ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ପୁଣି କିଛିଦିନ ବ୍ୟବଧାନରେ ନୂଆପଡ଼ା ଅଞ୍ଚଳରେ ରମେଶଙ୍କ ଘରୁ ଚୋରି ଉଦ୍ୟମ ସାମନାକୁ ଆସିବା ପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି।

ମଧୁପାଟଣା ଅଞ୍ଚଳରୁ ରମେଶଙ୍କୁ ମିଶାଇ ୧୧ଟି ଚୋରି ମଧୁପାଟଣା ଅଞ୍ଚଳରେ ହୋଇଥିବାବେଳେ ଜଗତପୁର ପାଗା ଅଞ୍ଚଳରେ ଦୁଇଟି, ବାଦାମବାଡ଼ି ଅଞ୍ଚଳରେ ଦୁଇଟି, ବିଡ଼ାନାସୀ ଥାନା ଅଞ୍ଚଳରେ ଗୋଟିଏ ଏବ˚ କଟକ ଗ୍ରାମାଞ୍ଚାଳର ନରସି˚ହପୁର ଥାନା ଅଞ୍ଚଳରେ ଦୁଇଟି ଚୋରି ସମାନ ଧରଣର ବର୍ତ୍ତମାନ ସୁଦ୍ଧା ହୋଇସାରିଲାଣି। ତେବେ ପଶ୍ଚିମବଙ୍ଗ ମୁର୍ସିଦାବାଦର ‘ଫେରିବାଲା ଗ୍ରୁପ୍‌’ କିମ୍ବା ଗଞ୍ଜାମ ଓ ଯାଜପୁରରେ ରହୁଥିବା ‘କେଳା ଗ୍ରୁପ୍‌’ ଏଭଳି ଘଟାଉଥିବା ପୁଲିସ ଏକ ପ୍ରକାର ସ୍ପଷ୍ଟ ହେଲାଣି।

ଏମାନେ କଟକ ସହରରୁ ନରସି˚ହପୁର ଆଡ଼କୁ ଡେଇଁଲେଣି। ଏହି ଗ୍ୟାଙ୍ଗ୍‌ର ଅପରାଧ ଶୈଳୀ ଏଭଳି। ବିଭିନ୍ନ ସ୍ଥାନ ବୁଲିବୁଲି ଅପରାଧ ଘଟାଇଥାନ୍ତି। ନରସି˚ହପୁରରେ ଗଲା ୧୧ ତାରିଖ ରାତିରେ ପୁରୁଷୋତ୍ତମପୁରର ହରି ନାୟକଙ୍କ ଘରେ ଚୋରି ଉଦ୍ୟମ ବେଳେ ପରିବାର ଲୋକେ ଉଠି ପଡ଼ିବାରୁ ଦୁର୍ବୃତ୍ତ ଦଳ ଫେରାର ହୋଇଯାଇଥିଲେ। ସେହିଦିନ ବିଳମ୍ବିତ ରାତିରେ ନରସି˚ହପୁର ଥାନା କୋକଳବାର କାହ୍ନୁ ଚରଣ ପଣ୍ତାଙ୍କ ଘରେ ଦୁର୍ବୃତ୍ତ କବାଟ ତାଲା ଭାଙ୍ଗି ସୁନା ଅଳଙ୍କାର, ଟଙ୍କା ଓ ଶାଢ଼ୀ ଲୁଟି ନେଇଥିଲେ। ଦୁର୍ବୃତ୍ତମାନେ ଘରର ବାହାରପଟୁ କବାଟ ବନ୍ଦ କରି ଫେରାର ହୋଇଯାଇଥିଲେ। ଏଭଳି ଲୁଟିବା ପରେ ବାହାର ପଟ କବାଟ ବନ୍ଦ କରି ଚମ୍ପଟ୍‌ ମାରିବା ଘଟଣା ଜଗତପୁର ପାଗା ଫାଣ୍ତି ଅଞ୍ଚଳରେ ଗଲା ଫେବ୍ରୁଆରି ୧୫ ତାରିଖରେ ଘଟିଥିଲା। ବିଳମ୍ବିତ ରାତିରେ ରମେଶ ଚନ୍ଦ୍ର ସାମଲଙ୍କ ଘରୁ ଦୁର୍ବୃତ୍ତମାନେ ସୁନା ଅଳଙ୍କାର, ଟଙ୍କା ସମେତ ଶାଢ଼ୀ ଲୁଟି ପରିବାର ସଦସ୍ୟ ଶୋଇଥିବା ବେଡରୁମ୍‌ ବାହାର ପଟୁ ବନ୍ଦ କରି ଫେରାର ହୋଇଯାଇଥିଲେ।

ବାଦାମବାଡ଼ିରୁ ବି ଦୁଇଟି ଲୁଟ୍‌
୨୦୨୦ ନଭେମ୍ବର ୯ ତାରିଖ ରାତିରେ ଅରୁଣୋଦୟ ମାର୍କେଟ୍‌ ପିସି ସରକାର ଲେନରେ ଇଲେକ୍ଟ୍ରି ଦୋକାନ ଓ ଗ୍ରସରି ଦୋକାନରୁ ଦୁର୍ବୃତ୍ତମାନେ ଗ୍ରିଲ ତାଡ଼ି ମୂଲ୍ୟବାନ ସାମଗ୍ରୀ ଚୋରି କରିଥିଲେ। ନଭେମ୍ବର ୧୦ ତାରିଖରେ ଲିଙ୍କରୋଡ୍‌ ସୂର୍ଯ୍ୟବିହାରରେ ଚୋରି ହୋଇଥିଲା। ଲିଙ୍କରୋଡ ଜାଭିଅର‌୍‌ କଲେଜ ଅଫ୍‌ ହୋଟେଲ୍‌ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଦିଲ୍ଲୀପ ମହାରଣାଙ୍କ ଘରର ତଳମହଲାରେ ଥିବା ଷ୍ଟୋର ରୁମ ତାଲା ଭାଙ୍ଗି ଷ୍ଟୋର ରୁମ ଆଲମିରାରେ ଥିବା ୭୨ ହଜାର ଟଙ୍କା ସମେତ ପ୍ରୋଜେକ୍ଟର, ହୋଟେଲ୍‌ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପୋଷାକ, ୪ ହଜାର ଟଙ୍କାର ଗ୍ରସରି ଲୁଟି ନେଇଥିଲେ। ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟିଥିବା ଦିଲ୍ଲୀପ ଆକଳନ କରିଥିଲେ। ପ୍ରାୟ ୩ ଜଣ ଦୁର୍ବୃତ୍ତ ପାଚେରି ଡେଇଁ କ୍ୟାମ୍ପସ ଭିତରକୁ ପଶି ଏଭଳି କାଣ୍ତ ଘଟାଇଥିଲେ।

ଦୁର୍ବୃତ୍ତମାନେ କ୍ୟାମ୍ପସ ଭିତରେ ଥିବା ସିସି କ୍ୟାମେରାକୁ ଉପରକୁ ଟେକି ଦେଇଥିଲେ। ଫଳରେ ସେମାଙ୍କ କାରନାମା ରେକର୍ଡ ହୋଇପାରି ନଥିଲା। ବାଦାମବାଡ଼ି ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ କହିବା ଅନୁଯାୟୀ, ଚୋରି ହୋଇଥିବା ରାତିରେ ଦିଲ୍ଲୀପଙ୍କ ଘର ବାହାରେ ସେସୁ ପକ୍ଷରୁ ଇଲେକ୍ଟ୍ରି ତାର ଅଣ୍ତର ଗ୍ରାଉଣ୍ତ କାମ ଚାଲିଥିଲା। ତେବେ ଶ୍ରମିକ କାମ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଘରକୁ କିପରି ପଶିଲେ, ସେ ନେଇ ସନ୍ଦେହ ହେଉଛି। ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ଶ୍ରୀ ମହାପାତ୍ର କହିଛନ୍ତି।

ସନ୍ଦେହ ବଢ଼ାଇଲେ ଗିରଫ ୩ କେଳା

ଶିଖରପୁର ତଳସାହିରେ ରହୁଥିବା କାଜଲ ସ୍ବାଇଁ ଗଲା ୧୨ ତାରିଖରେ ବାହାରକୁ ଯାଇଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଘରର ମୁଖ୍ୟ କବାଟ ଭାଙ୍ଗି ଲୁଟ୍‌ କରିଥିଲେ। ଘରେ ଭାଙ୍ଗାରୁଜା ଶବ୍ଦ ଶୁଣି ପଡେ଼ାଶୀ ପାଟି କରିବାରୁ ‘କେଳା ଗ୍ରୁପ’ର ୩ ଜଣ; ପିଙ୍କି ଶବର, ରାଣୀ ଶବର ଓ ରାଜେଶ ଶବରକୁ ସ୍ଥାନୀୟ ଲୋକେ କାବୁ କରିଥିଲେ। ଚାଉଳିଆଗଞ୍ଜ ଥାନା ପୁଲିସ ଏମାନଙ୍କୁ ଗିରଫ କରିଛି। ଭୁବନେଶ୍ବର ରେଳଷ୍ଟେସନ୍‌ ଅଞ୍ଚଳରେ ଏମାନେ ରହୁଥିବା ବେଳେ ଆନ୍ଧ୍ରପ୍ରଦେଶର ବୋଲି ପୁଲିସ ସନ୍ଦେହ କରୁଛି। ଆନ୍ଧ୍ରର ଏହି ଗ୍ରୁପ ସାଧାରଣତଃ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, କୋଦଳା, ଭଞ୍ଜନଗର, ଆସ୍କାରେ ରହୁଛନ୍ତି। ଟ୍ରେନ୍‌ ଯୋଗେ କଟକ ଆସୁଛନ୍ତି। ଏହି ଗ୍ରୁପ ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଏଭଳି ଲୁଟ୍‌ କରୁଥିବା ବେଳେ ମଧୁପାଟଣା, ଜଗତପୁର ଅଞ୍ଚଳରେ ଯେଉଁ ସିରିଜ୍‌ ଲୁଟ୍‌ ହୋଇଛି, କେଳା ଗ୍ରୁପର ସମ୍ପୃକ୍ତି ଥିବା ପୁଲିସ ଅଧିକ ସ୍ପଷ୍ଟ ହୋଇପାରିଥିବା କୁହାଯାଉଛି।

ବିଡ଼ାନାସୀରେ ଲୁଟିଛନ୍ତି
ବିଡ଼ାନାସୀ କୃଷକବଜାରରେ ରହୁଥିବା ସୁଧାକର ସାହୁ ଗଲା ଫେବ୍ରୁଆରି ୨୮ ତାରିଖରେ ପରିବାର ସହିତ ଶ୍ବଶୁର ଘରକୁ ଯାଇଥିଲେ। ଦୁଇଦିନ ପରେ ଫେରିଲା ବେଳକୁ ତାଙ୍କର ଘରର ତାଲା ଭଙ୍ଗାଯାଇଥିଲା। ଭିତରେ ଥିବା ବାକ୍ସର ତାଲା ବି ଭଙ୍ଗାଯାଇଥିଲା। ବାକ୍ସରେ ଥିବା ସୁନା-ରୂପା ଅଳଙ୍କାର ଓ ବାସନ ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ବିଡ଼ାନାସୀ ଥାନାରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିଵାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର