ଐତିହାସିକ ସ୍ମାରକୀ ହେଉ ଶିଶୁଭବନ ପରିସର ରାଜଭବନ, ୨୫ ଗଡ଼ଜାତ ରାଜ୍ୟର ମିଶ୍ରଣପର୍ବ ହୋଇଥିଲା ଏଇଠି

କଟକ: ଡକ୍ଟର ହରେକୃଷ୍ଣ ମହତାବଙ୍କ ନିମନ୍ତ୍ରଣରେ ୧୯୪୭ରେ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କଟକର ରାଜଭବନ (ବର୍ତ୍ତମାନର ଶିଶୁଭବନ ପରିସରର କୋଠା)କୁ ଆସିଥିଲେ। ଏହି ରାଜଭବନରେ ହିଁ ବିଭିନ୍ନ ଗଡ଼ଜାତ ରାଜ୍ୟ ମିଶ୍ରଣର ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଥିଲା। ଏବଂ ସର୍ଦ୍ଦାର ପଟେଲ ୨୫ଟି ଗଡ଼ଜାତ ରାଜ୍ୟକୁ ସ୍ବତନ୍ତ୍ର ଓଡ଼ିଶା ସହିତ ମିଶ୍ରଣ କରିବାରେ ସଫଳ ହୋଇଥିଲେ। ସର୍ଦ୍ଦାର ପଟେଲଙ୍କ ସ୍ମୃତି ସହିତ ଜଡ଼ିତ ଶିଶୁଭବନକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ହିଁ ୧୯୯୨ରେ ଶିଶୁଭବନକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ଚିକିତ୍ସାଳୟ ନାଁରେ ନାମିତ କରା ଯାଇଥିଲା। ଯେତେବେଳେ ସାରା ଦେଶ ପଟେଲଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଥିବା ବେଳେ ଓଡ଼ିଶା ସରକାର ଏହି ସ୍ବାଗତଯୋଗ୍ୟ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଶିଶୁ ଭବନରେ ଚିକିତ୍ସା ପାଇଁ ଅତ୍ୟାଧୁନିକ କୋଠା ନିର୍ମାଣ ପରେ ଐତିହାସିକ କୋଠୀକୁ ଏକ ସ୍ମାରକୀ ରୂପେ ଉତ୍ତରପିଢି ପାଇଁ ସାଇତି ରଖିବାକୁ ଏବେ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ, ଦେଶ ସ୍ବାଧୀନତା ପରେ ନୀଳଗିରି ରାଜ୍ୟରେ ପ୍ରଶାସନିକ ସ୍ତରରେ ସଂକଟ ଦେଖାଦେଇଥିଲା। ସେଠାକାର ରାଜାଙ୍କ ଅତ୍ୟାଚାର ପ୍ରଜାଙ୍କ ଉପରେ ବଢ଼ି ଚାଲିଥିଲା। ଦେଶର ତତ୍କାଳୀନ ଉପ-ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭାଭାଇ ପଟେଲଙ୍କ ନିର୍ଦ୍ଦେଶକ୍ରମେ ୧୯୪୭ ନଭେମ୍ବର ୧୪ ତାରିଖରେ ନୀଳଗିରି ରାଜ୍ୟକୁ ଓଡ଼ିଶା ସରକାର ନିଜ ଅଧୀନକୁ ଆଣିଥିଲେ। ସେତେବେଳେ ଓଡ଼ିଶାର ପ୍ରଧାନମନ୍ତ୍ରୀ (ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା) ଥାନ୍ତି ଡକ୍ଟର ହରେକୃଷ୍ଣ ମହତାବ। ଓଡ଼ିଶାରେ ଗଡ଼ଜାତ ରାଜ୍ୟର ମିଶ୍ରଣ ସମ୍ପର୍କରେ ପଟେଲଙ୍କୁ ଓଡ଼ିଶା ଆସିବାକୁ ମହତାବ ଼ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷା କରି ୧୯୪୭ ଡିସେମ୍ବର ୧୩ ତାରିଖରେ ସର୍ଦ୍ଦାର ପଟେଲ ଓଡ଼ିଶାରେ ପହଞ୍ଚି ଥିଲେ।

ତାଙ୍କ ସହିତ ଥିଲେ ତାଙ୍କର ଘରୋଇ ସଚିବ ଭି.ଶଙ୍କର, ଭାରତ ସରକାରଙ୍କ ବ୍ୟବସ୍ଥାପକ ସଭା ବିଭାଗର ଯୁଗ୍ମ ଶାସନ ସଚିବ କେ.ଭି.କେ. ସୁନ୍ଦରମ୍, ଭାରତ ସରକାରଙ୍କ ରାଜ୍ୟ ମନ୍ତ୍ରାଳୟ ଶାସନ ସଚିବ ଭି.ପି ମେନନ ଓ କୁମାରୀ ମଣିବେନ୍ ପଟେଲ। ଡିସେମ୍ବର ୧୪ ତାରିଖରେ କଟକର ରାଜଭବନ(ବର୍ତ୍ତମାନର ଶିଶୁଭବନ)ସଭାଗୃହରେ ଏକ ସମ୍ମିଳନୀରେ ଓଡ଼ିଶାର ସମସ୍ତ ରାଜାମହାରାଜାଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସର୍ଦ୍ଦାର ପଟେଲଙ୍କ ସହିତ ଡକ୍ଟର ମହତାବ ଓ ତତ୍କାଳୀନ ରାଜ୍ୟପାଳ କୈଳାସନାଥ କାଟଜୁ ଉପସ୍ଥିତ ଥିଲେ। ଆଲୋଚନା ପରେ ଅଧିକାଂଶ ରାଜା ମିଶ୍ରଣ ପାଇଁ ରାଜି ହୋଇ ଯାଇଥିଲେ। ପାଖାପାଖି ୨୫ଟି ଗଡ଼ଜାତ ରାଜ୍ୟ ସେଦିନ ରାଜଭବନ (ଆଜିର ଶିଶୁଭବନ)ରେ ଓଡ଼ିଶା ସହିତ ମିଶି ଯାଇଥିଲେ।

Sambad

ରାଜଭବନରେ ପଟେଲଙ୍କ ରାଜାଙ୍କ ସହିତ ବୈଠକ ଅନେକାଂଶରେ ସଫଳ ହୋଇଥିଲା। କୁହାଯାଏ ତତ୍କାଳୀନ ମୋଗଲ ସୁବେଦାରଙ୍କ ଦ୍ବାରା ଏହି କୋଠାକୁ ୧୬୩୩ରେ ନିର୍ମାଣ କରାଯାଇଥିଲା। ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନିର ବଣିକ ଉଇଲିୟମ ବୃଟ୍ଟନ ତାଙ୍କ ଭ୍ରମଣ କାହାଣୀରେ ଏ ସମ୍ପର୍କରେ ଉଲ୍ଲେଖ କରିଥିବା କୁହାଯାଏ। ଆଜିର ଶିଶୁଭବନରେ ୧୬୩୨ରୁ ୧୬୪୨ ପର୍ଯ୍ୟନ୍ତ ମୋଗଲ ଗଭର୍ଣ୍ଣର ଏମ. ଖାଁ ମିର୍ଜା ମାକକି ରହି ରାଜତ୍ବ କରିଥିଲେ। ପରେ ମରହଟ୍ଟା ଓ ବ୍ରିଟିସ୍ ରାଜୁତି ସମୟରେ ବି ପ୍ରମୁଖ ମାନେ ଏଠାରେ ରହୁଥିଲେ।

୧୯୩୬ ଏପ୍ରିଲ ୧ ତାରିଖରେ ସ୍ବତନ୍ତ୍ର ଓଡ଼ିଶା ଗଠନ ପରେ ୧୯୪୧ରେ ଏହି କୋଠାକୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ପାରଳାଖେମୁଣ୍ଡି ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମହାରାଜ ନାରାୟଣ ଦେଓ ନିଜର ବାସସ୍ଥାନ ଭାବେ ବାଛି ଥିଲେ। ସ୍ବାଧୀନତା ପରେ ଏହି କୋଠା ରାଜଭବନ ନାଁରେ ପରିଚିତ ହୋଇଥିଲା। ୧୯୪୨ରୁ ଏହି ସ୍ଥାନ ଓଡ଼ିଶାର ରାଜ୍ୟପାଳମାନଙ୍କ ଦ୍ବାରା ୧୯୬୧ ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ରାଜଭବନ ଭାବେ ବ୍ୟବହାର କରାଯାଉଥିଲା। ପରେ ଭୁବନେଶ୍ବରକୁ ରାଜଭବନ ସ୍ଥାନାନ୍ତର ହୋଇଥିଲା। ତେବେ ଏହି ରାଜଭବନର ଅଂଶ କୁହାଯାଉଥିବା ବର୍ତ୍ତମାନର ପୁରୁଣା ସର୍ଜରି ଓାର୍ଡ ଭଙ୍ଗାଯିବା ଯୋଜନା ପରେ ଏହି ଐତିହ୍ୟର ସୁରକ୍ଷା ଦିଗରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଐତିହାସିକ କୋଠାକୁ ସଂଗ୍ରହାଳୟ କରିବାକୁ ମତପ୍ରକାଶ ପାଇଛି। ଶିଶୁଭବନ ଅଧୀକ୍ଷକ ଡାକ୍ତର ପ୍ରଫେସର ଜ୍ଞାନେନ୍ଦ୍ରନାଥ ବେହେରା କହିଛନ୍ତି ଯେ ନୂଆ ସାତ ମହଲା କୋଠା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସେଠି ବାସ୍ତବରେ କେତେ ବଡ୍ ପଡ଼ିପାରିବ, ତାହାର ଅନୁଧ୍ୟାନ କରାଯିବ। ଆବଶ୍ୟକ ବେଡ୍ ରହିଲେ ମେଡିକାଲ୍ ଓାର୍ଡ-୨(ପୂର୍ବରୁ ରାଜଭବନ ଥିଲା)କୁ ଖାଲି କରାଯାଇ ନୂଆ କୋଠାକୁ ସ୍ଥାନାନ୍ତର କରାଯିବ। ପରେ ଏଠି ଓାର୍ଡ-୨କୁ ସଂଗ୍ରହାଳୟ କରିବା ନେଇ ବିଚାରବିମର୍ଷ କରାଯିବ।

ସମ୍ବନ୍ଧିତ ଖବର