ଏସ୍‌ସିବିରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା

କଟକ: କଟକ ବଡ଼ ଡାକ୍ତରଖାନାରେ ଅସମ୍ଭାଳ ଭିଡ଼। ଯିଏ ଯେଉଁଠି ପାରିଲା ଗାଡ଼ି ରଖିଦେଲା। ଘଣ୍ଟା ଘଣ୍ଟା କାଳ ରାସ୍ତା ଜାମ୍‌। ଏଭଳି ସମସ୍ୟାକୁ ଦୂର କରିବା ପାଇଁ ସେପ୍ଟେମ୍ବର ପହିଲାରୁ ଏସ୍‌ସିବି ମେଡିକାଲ ପରିସରରେ ନୂଆ ଟ୍ରାଫିକ ନିୟମ ଲାଗୁ କରାଯିବା ସହ ପାର୍କିଂ ବ୍ୟବସ୍ଥା ପାଇଁ ଯୋଜନା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସାଧାରଣ ରୋଗୀ ଓ ଅନ୍ୟମାନଙ୍କ ସମେତ ଡାକ୍ତରମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ପାର୍କଂ ସ୍ଥାନ ପ୍ରସ୍ତୁତ କରାଯାଇଛି। ଡାକ୍ତରମାନଙ୍କ ପାଇଁ ଚିହ୍ନିତ ସ୍ଥାନରେ କେବଳ ସେମାନେ ହିଁ ଚାରିଚକିଆ ଗାଡ଼ିଡି ପାର୍କିଂ କରିବେ ଓ ସେଥିପାଇଁ ସେମାନଙ୍କୁ ପାସ୍‌ ମଧ୍ୟ ଦିଆଯିବ। ଅନ୍ୟପଟେ ରୋଗୀଙ୍କୁ ନେଇ ଯାଉଥିବା ଗାଡି ମଧ୍ୟ ରୋଗୀଙ୍କୁ ଛାଡି ତୁରନ୍ତ ବାହାରି ଆସିବ। ଉକ୍ତ ଗାଡ଼ି ମେଡିକାଲ ପରିସରରେ ରହିପାରିବ ନାହିଁ। ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି, ସେ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଗାଡ଼ି କେହି ରଖିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୂଚନାଯୋଗ୍ୟ, କଟକ ବଡ଼ ଡାକ୍ତରଖାନା ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ ହୋଇଥିବାରୁ ପ୍ରତିଦିନ ଏଠାରେ ବଢୁଛି ରୋଗୀଙ୍କ ସଂଖ୍ୟା। ଫଳରେ ୱାର୍ଡଠାରୁ ଆରମ୍ଭ କରି ଜରୁରୀକାଳୀନ ବିଭାଗ ପର୍ଯ୍ୟନ୍ତ ସବୁଠି ଅସମ୍ଭ‌ାଳ ଭିଡ। ଏତେ ଭିଡ଼ ଯେ, ଅନେକ ସମୟରେ ଆମ୍ବୁଲାନ୍ସ ବି ଭିଡ଼ରେ ଅଟକି ଯାଉଛି। ଏଭଳି ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ନୂତନ ପାର୍କିଂ ସ୍ଥାନ ଚିହ୍ନଟ କରିବା ସହ ପାର୍କଂ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିଛନ୍ତି। ଏସ୍‌ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଓ ଡାକ ବିଭାଗକୁ ଲାଗି ଏକ ବଡ଼ ପାର୍କିଂସ୍ଥଳ ଚିହ୍ନଟ କରାଯାଇଛି। ‌ସେଠାରେ ସମସ୍ତ ବିଭାଗ ଡାକ୍ତରମାନେ ଚାରିଚକିଆ ଗାଡ଼ି ରଖିବେ ଓ ସେଠାରୁ ଚାଲି ଚାଲି ନିଜ ନିଜ ବିଭାଗକୁ ଯିବେ। ଏଥିପାଇଁ ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର