ୟୁରୋପ୍‌ ରେଳଷ୍ଟେସନ୍‌ର ରୂପ ନେବ କଟକ ରେଳଷ୍ଟେସନ୍‌

୩ ମହଲା ଏୟାର କନ୍‌କୋର୍ସ କୋଠା ତଳେ ଗଡ଼ିବ ଟ୍ରେନ୍‌, ୨ ବର୍ଷରେ ୩ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ନୂଆ କୋଠା

କଟକ: ‌କଟକ ରେଳ ଷ୍ଟେସନ ନୂଆ କୋଠା ତଳେ ଟ୍ରେନ୍‌ ଯିବା ଆସିବା କରିବ। ରେଳ ଷ୍ଟେସନର ପୂର୍ବ ପାର୍ଶ୍ବ (ଓଏମ୍‌ପି) ଗେଟ୍‌ରୁ ମୁଖ୍ୟ ଗେଟ୍‌ (କଲେଜ ଛକ) ପର୍ଯ୍ୟନ୍ତ ଏକ ଏୟାର କନ୍‌କୋର୍ସ ନିର୍ମାଣ କରାଯିବ। ତିନି ମହଲା ବିଶିଷ୍ଟ ଏୟାର କନ୍‌କୋର୍ସ ତଳେ ୫ଟି ଟ୍ରାକ୍ ଦେଇ ଟ୍ରେନ ଚଳପ୍ରଚଳ କରିବ। ୟୁରୋପର ଏକ ଷ୍ଟେସନ୍‌ ଡିଜାଇନ୍‌ରେ କଟକ ଷ୍ଟେସନର ସୌନ୍ଦର୍ଯ୍ୟୀକରଣ କାମ କରାଯିବ। ଯାହା ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ ଆଧୁନିକତାର ପରିଚୟ ଦେଉଥିବ। ଦୁଇ ବର୍ଷରେ ୩ଶହ କୋଟି ଟଙ୍କା ବ୍ୟୟରେ ଏହି ନିର୍ମାଣ କାର୍ଯ୍ୟ କରାଯିବ। ଏଥିପାଇଁ ଭିତ୍ତି ପ୍ରସ୍ତର ପଡ଼ିସାରିଥିବା ବେଳେ ଚଳିତ ମାସ ଶେଷ ସପ୍ତାହରୁ ନିର୍ମାଣ କାମ ଆରମ୍ଭ ହେବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ୧୬ ନମ୍ବର ଜାତୀୟ ରାଜପଥରୁ ଷ୍ଟେସନ୍‌ ପୂର୍ବ ଗେଟ୍‌ ପର୍ଯ୍ୟନ୍ତ ରାସ୍ତା କାମ ଆସନ୍ତା ଦୁଇ ମାସ ମଧ୍ୟରେ ଶେଷ କରିବାକୁ ଯୋଜନା ହୋଇଛି। କଟକ ରେଳ ଷ୍ଟେସନକୁ ଅନ୍ତର୍ଜାତୀୟ ଶୈଳୀରେ କରିବାକୁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଟେଣ୍ଡର ଶେଷ ହୋଇଥିବା ବେଳେ ନିର୍ମାଣ ଦାୟିତ୍ବ ୟୁଆରସି କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡକୁ ଦିଆଯାଇଛି। ଆସନ୍ତା ୨ ବର୍ଷ ମଧ୍ୟରେ ୩ ଶହ କୋଟି ଟଙ୍କାରେ ନୂଆ କୋଠାର ନିର୍ମାଣ ସହ ଏହାର ଚାରି ପାର୍ଶ୍ବର ‌େସୗନ୍ଦର୍ଯ୍ୟୀକରଣ କାମ କରାଯିବ।

ରେଳ ଷ୍ଟେସନ୍‌ର ୫ଟି ଟ୍ରାକ୍‌ ଥିବା ବେଳେ ଏହା ଉପରେ ତିନି ମହଲାର ଏକ ଏୟାର କନ୍‌କୋର୍ସ ନିର୍ମାଣ ହେବ। ଉକ୍ତ କୋଠା ତଳେ ସମସ୍ତ ଟ୍ରାକରେ ଷ୍ଟେସନ୍‌କୁ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍‌ ଆସିବ ଓ ଯିବ। ଏଥିରେ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷା ଗୃହ, ଫୁଡ୍‌ ପାର୍କ, କାଫେଟେରିଆ, ଡର୍ମିଟୋରି, ଡିପାର୍ଚର ଲବି, ଆରାଇଭାଲ୍‌ କ‌ନ୍‌କୋର୍ସ, ବିଭିନ୍ନ ଅତ୍ୟାବଶକ ସାମଗ୍ରୀ ବିକ୍ରି ଜୋନ୍‌, ଲକ୍‌ ରୁମ୍‌, ରେଳ ବିଭାଗର କାର୍ଯ୍ୟାଳୟ, ଶୌଚାଳୟ ପରି ବ୍ୟବସ୍ଥା ରହିବ। ଏହାକୁ ସଂପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରଣ କରାଯିବ। ଅନ୍ୟପେଟ ରେଳ ଷ୍ଟେସନ୍‌ ପ୍ଲାଟଫର୍ମକୁ ସିଧାସଳଖ ଭାବେ ଯାତ୍ରୀ ମାନେ ପୂର୍ବପରି ଆସି ପାରିବେ ନାହିଁ। ଯାତ୍ରୀଙ୍କୁ ଏୟ‌ାର କନ୍‌କୋର୍ସ ଦେଇ ପ୍ଲାଟଫର୍ମକୁ ଯିବାକୁ ପଡ଼ିବ। ଯାତ୍ରୀଙ୍କୁ ଏୟାର କନ୍‌କୋର୍ସରେ ଟ୍ରେନ୍‌କୁ ଅପେକ୍ଷା କରିବାକୁ ପଡିବ। ଏଥିରେ ପ୍ଲାଟଫର୍ମରେ ଯାତ୍ରୀଙ୍କ ଅଯଥା ଗହଳି ହେବ ନାହିଁ ବୋଲି ଏଡିଆରଏମ୍‌, ଖୋର୍ଦ୍ଦା, କଲ୍ୟାଣ ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ, କଟକ ଷ୍ଟେସନକୁ ଏକ ନୂଆ ରୂପ ଦେବାକୁ ବ‌ହୁ ଦିନ ପୂର୍ବରୁ ରେଳ ବିଭାଗ ତରଫରୁ ସ୍ଥିର ହୋଇଥିଲା। ମାତ୍ର ନୂଆ କୋଠାର ରୂପ କିପରି ହେବ ଏହାକୁ ନେଇ କିଛି ସ୍ଥିର ହୋଇ ନଥିଲା। ନୂଆ କୋଠାର ରୂପ ଚଣ୍ଡୀମନ୍ଦିର, ନୌବାଣିଜ୍ୟ ସଂଗ୍ରହାଳୟ ନା ବାରବାଟୀ ଦୁର୍ଗ ଢାଞ୍ଚାରେ କରାଯିବ ଏହାକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଥିଲା। ରାଜ୍ୟର ଭୁବନେଶ୍ବର ଓ ପୁରୀ ରେଳ ଷ୍ଟେସନର ନିର୍ମାଣରେ ଆଧୁନିକତାର ଛାପ ରହୁଥିବା ବେଳେ କଟକ ଷ୍ଟେସନ୍‌ର ନୂଆ କୋଠାକୁ ମଧ୍ୟ ମଡର୍ଣ୍ଣ ବିଲଡିଂ ଭାବେ କରିବାକୁ କଟକ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଥିଲା। ଶେଷରେ ୟୁରୋପର ଏକ ‌ରେଳ ଷ୍ଟେସନର ରୂପରେ ଏହା କରିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର